ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନୂଆ ସରକାରଙ୍କ ପାଇଁ ଆହ୍ୱାନ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନର ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ଏକ ଐତିହାସିକ କ୍ଷଣ । ଏହି ସରକାର ଗଠନ କରିଥିବା ରାଜନୈତିକ ଦଳ ନିର୍ଦ୍ଦିଷ୍ଟ ନୀତି ଓ ଆଦର୍ଶରେ ବିଶ୍ୱାସ ରଖୁଥିବା ଏକ ଦଳ । ବିଗତ ଦୁଇଟି ଅବଧିର କେନ୍ଦ୍ର ସରକାର ଏହି ନୀତି ଓ ଆଦର୍ଶ ପ୍ରଣୟନ ପୂର୍ବକ ଜନସାଧାରଣଙ୍କ ସେବା ସଫଳତାର ସହ ସମ୍ପାଦନ କରିପାରିଛନ୍ତି । ଅନ୍ତୋଦୟ ଏବଂ ‘ସବକା ସାଥ, ସବକା ପ୍ରୟାସ, ସବକା ବିଶ୍ୱାସ, ଔର ସବକା ବିକାଶ’ ଏହି ନୀତିଗତ ଆଦର୍ଶ ଓଡ଼ିଶାରେ ଶାସନ ଭାର ସମ୍ଭାଳିଥିବା ରାଜନୈତିକ ଦଳର ମଧ୍ୟ ମୂଳ ମନ୍ତ୍ର ହେବା ବିଶ୍ୱାସ କରାଯାଏ ।

ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ଆଉ ମାତ୍ର ୧୨ବର୍ଷ ବାକି ଅଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ରୂପାନ୍ତରିତ କରିବା ନିମିତ୍ତ ଲକ୍ଷ୍ୟ ତଥା ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ । ମାନବ ସମ୍ବଳ ବିକାଶକୁ ତ୍ୱରାନ୍ୱିତ କରି ସେଥିରୁ ଆଶାନୁରୂପ ଲାଭାଂଶ ହାସଲ କରିବା ଆମର ଲକ୍ଷ୍ୟ ।

ରାଜ୍ୟରେ ବହୁ ଆକାଂକ୍ଷିତ ଭାରତୀୟ ଜନତା ପାର୍ଟି ସରକାର ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ହୋଇଛି । ସଂସ୍କୃତି ଓ ସଭ୍ୟତାକୁ ନେଇ ପ୍ରଗତିର ପଥ ନିର୍ଦ୍ଧାରଣ କରିବା ଦ୍ୱାରା ଅତୀତରେ ଯେଉଁ ସୁଫଳ ମିଳିଛି ତାକୁ ଆଧାର କରି ଓଡ଼ିଶା ମଧ୍ୟ ନିଜର ଐତିହ୍ୟ, ସଂସ୍କୃତି ଓ ସଭ୍ୟତା ମାଧ୍ୟମରେ ପ୍ରଗତିର ସଂଜ୍ଞା ନିରୂପଣ କରିପାରିବ ।

ଓଡ଼ିଶା ପ୍ରଗତିର ରିପୋର୍ଟ କାର୍ଡକୁ ଆଧାର କଲେ ଜଣାପଡ଼େ, ଆଜିର ଦିନରେ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ୩୩% ଏବଂ ଏହା କରୋନା ପୂର୍ବର ପରିସଂଖ୍ୟାନ । କରୋନାଜନିତ ବିଷମତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଏକ ସଶକ୍ତ ‘ମନିଟରିଂ ସେଲ’ ଗଠନ କରିବା ଆବଶ୍ୟକ । ଅର୍ଥନୈତିକ ବିକାଶର କଥାକୁ ଗୁରୁତ୍ୱର ସହିତ ବିଚାର କଲାବେଳେ ଆମମାନଙ୍କୁ ମନେ ରଖିବାକୁ ପଡ଼ିବ ଯେ ବିକାଶ ଏବଂ ଯୁବଗୋଷ୍ଠୀ ମଧ୍ୟରେ ସମ୍ପର୍କ ନିବିଡ଼ ତଥା ଧନାତ୍ମକ, ଅର୍ଥାତ ଯୁଗଗୋଷ୍ଠୀ ପାଇଁ କର୍ମନିଯୁକ୍ତି ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଓଡ଼ିଶାର ଜନସଂଖ୍ୟାର କେବଳ ୫୦% ଲୋକ କାର୍ଯ୍ୟରେ ନିୟୋଜିତ ଏବଂ ପାଖାପାଖି ସେତିକି ପ୍ରତିଶତ ଲୋକ କାର୍ଯ୍ୟରେ ନିୟୋଜିତ ନୁହଁନ୍ତି । ତେଣୁ ସେମାନଙ୍କୁ କିପରି କାର୍ଯ୍ୟକ୍ଷମ କରାଯାଇ ପାରିବ, କର୍ମସଂସ୍ଥାନ ଏବଂ ସୁଯୋଗ ସୃଷ୍ଟି କରିବାକୁ ହେବ । ଆଜିର ଯୁଗର ଅଟୋମେସନ ଏବଂ ଡିଜିଟାଲ ଜ୍ଞାନ, ରୋଜଗାରର ଏକ ବିଶେଷ ଆବଶ୍ୟକତା । ଶିଳ୍ପ ସଂସ୍ଥାଠାରୁ ଆରମ୍ଭ କରି ସେବା କ୍ଷେତ୍ର ତଥା କୃଷିକ୍ଷେତ୍ର ଏପରିକି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହାର ଆବଶ୍ୟକତା ରହିଛି । ଏହି ଜ୍ଞାନ ଓ କୌଶଳ ଥିଲେ ବେକାରୀ ସମସ୍ୟାର ପ୍ରାୟ ୮୦% ସମାଧାନ ହୋଇପାରିବ । ରାଜ୍ୟରେ ଏହି ଦୁଇଟି ଜ୍ଞାନର ପ୍ରଶିକ୍ଷଣ ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଆବଶ୍ୟକ, ବିଶେଷ ଭାବରେ ଗ୍ରାମାଞ୍ଚଳରେ । କେବଳ ସ୍ଥାୟୀ ନିଯୁକ୍ତି ନୁହେଁ, ଅସ୍ତାୟୀ ନିଯୁକ୍ତି ପାଇଁ ମଧ୍ୟ ଏହା ଆବଶ୍ୟକ ।

ନିମ୍ନରେ ୧୫ଟି ପ୍ରସଙ୍ଗ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବ୍ୟାଖ୍ୟା କରାଯାଇଛି । ୧) କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ତଥା ଜଳସେଚନକୁ ପ୍ରାଧାନ୍ୟ ଦେବା । ଏହାକୁ ମିଶନ ଜୀବିକା ଭାବରେ ଗ୍ରହଣ କରିବା । ୨) ଗ୍ରାମୀଣ ସମସ୍ୟର ଦୂରୀକରଣ- ପାନୀୟଜଳ, ଗମନାଗମନ, ବିଦ୍ୟୁତ ଯୋଗାଣ, ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ଓ ଗ୍ରାମ୍ୟ ଶିଳ୍ପାୟନକୁ ପ୍ରୋତ୍ସାହନ, ସମବାୟ କ୍ଷେତ୍ର ପ୍ରସ୍ତୁତ, ଭିତ୍ତିଭୂମି ସ୍ଥାପନ, ପଞ୍ଚାୟତ ଶାସନକୁ ମଜଭୁତ କରିବା- ଗ୍ରାମ୍ୟ ଜୀବନର ମାନ ବଢ଼ାଇବା । ୩) ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବା, ସାମାଜିକ ସୁରକ୍ଷା ପ୍ରତି ସଚେତନ ରହିବା, ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ର ସୁଦୃଢ଼ କରିବା, ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ସହ ଆୟୁଷ୍ମାନ ଯୋଜନା ଉପଲବ୍ଧ କରାଇବା । ୪) ମହିଳା ଓ ଶିଶୁଙ୍କ ପ୍ରତି ଦୃଷ୍ଟି ଦେବା- କୋମଳମତି ଶିଶୁମାନଙ୍କ ଶିକ୍ଷା ନିମିତ୍ତ ପୁଞ୍ଜି ନିବେଶ, ସେମାନଙ୍କର ପୋଷଣ, ନାରୀମାନଙ୍କୁ କର୍ମନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ସେମାନଙ୍କର କ୍ଷମତା ବିକାଶ ଘଟାଇବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବଜାର ସୃଷ୍ଟି କରିବା । ୫) ଶିକ୍ଷାକୁ ଉପଯୁକ୍ତ ସ୍ଥାନ ଦେବା- କର୍ମକୁଶଳତା ତଥା ଉଦ୍ୟୋଗୀକରଣ, ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ, ବିଦ୍ୟାଳୟର ଶିକ୍ଷାରେ ସୁଧାର, ଜ୍ଞାନ ପାର୍କ ନିର୍ମାଣ । ୬) ଉଭୟ ବସ୍ତୁତ୍ୱ ଓ ଡିଜିଟାଲ ଭତ୍ତିଭୂମି ସ୍ଥାପନ- ଗ୍ରାମୀଣ ଓ ସହରୀ ଡିଜିଟାଇଜେସନ ମଧ୍ୟରେ ବ୍ୟବଧାନ କମାଇବା ପାଇଁ ପୁଞ୍ଜି ନିବେଶ କରିବା । ୭) ସବୁଜ ଓ ନବୀକରଣଯୁକ୍ତ ଶକ୍ତିର ଉତ୍ସ ସୃଷ୍ଟି କରିବା । ୮) ଶିଳ୍ପ ଏବଂ ଅର୍ଥନୈତିକ କରିଡର ସ୍ଥାପନା । ୯) ଲଜିଷ୍ଟିକ ପାର୍କ ଏବଂ ସ୍ପେଶାଲ ଇକୋନୋମିକ ଜୋନ୍‌ ସୃଷ୍ଟି । ୧୦) ବନ୍ଦର ବିସ୍ତାରୀକରଣ ଓ ବିକାଶ । ୧୧) ଯୋଗାଣ ଶୃଙ୍ଖଳକୁ ଶକ୍ତିଶାଳୀ କରିବା । ୧୨) ଶିଳ୍ପ ଏବଂ ବ୍ୟବସାୟ ଉପରେ ଗୁରୁତ୍ୱ, ଇଲେକଟ୍ରୋନିକ୍‌ସ ଉତ୍ପାଦନ ବୃଦ୍ଧି, ଫାର୍ମା ଶିଳ୍ପକୁ ପ୍ରୋତ୍ସାହନ, ବୟନ ଶିଳ୍ପର ବିକାଶ, ଖାଦ୍ୟ ପ୍ରକ୍ରିୟାକରଣ, ସେମିକଣ୍ଡକ୍ଟର ପ୍ରସ୍ତୁତି, ପ୍ରତିରକ୍ଷା ଉପକରଣ ଉତ୍ପାଦ ଶିଳ୍ପ ବୃଦ୍ଧି । ୧୩) ନିୟମ କାନୁନ ବ୍ୟବସ୍ଥାରେ ସୁଧାର, ସୁରକ୍ଷା କଡ଼ାକଡ଼ି କରିବା, ସୀମା ସୁରକ୍ଷା ମଜଭୁତ କରିବା । ଉଦାହରଣ ସ୍ୱରୂପ କୋଟିଆକୁ ଓଡ଼ିଶାର ଅଭିନ୍ନ ଅଙ୍ଗ ହିସାବରେ ଗଣନା କରିବା । ୧୪) ଆଞ୍ଚଳିକ ବୈଷମ୍ୟ ଦୂର କରିବା । ୧୫) ଉତ୍ତମ ପ୍ରାଶାସନିକ ବ୍ୟବସ୍ଥା ଅବଲମ୍ବନ କରିବା, ଆଞ୍ଚଳିକ ପ୍ରଶାସନକୁ ଗୁରୁତ୍ୱ ତଥା ମଜଭୁତ କରିବା, ମିଳିତ ଦୂରଦୃଷ୍ଟିରେ ବିଶ୍ୱାସ ରଖିବା, ନିୟମ କଡ଼ାକଡ଼ି ଭାବରେ ପାଳନ କରିବା ।

କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦେବାର ସମୟ ଉପନୀତ । ଏହାର ଶତକଡ଼ା ୭୦ ଭାଗରୁ ଊଦ୍ଧ୍ୱର୍ ଲୋକ କୃଷି ଓ ଆନୁଷଙ୍ଗିକ ବ୍ୟବସାୟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କୃଷି ଓଡ଼ିଶାର ମୋଟ୍‌ ରାଜ୍ୟ ଘରୋଇ ଉତ୍ପାଦନକୁ ମାତ୍ର ୨୦% ଅବଦାନ ରହିଛି । ଏହାର ଫଳସ୍ୱରୂପ ଓଡ଼ିଶାର ମୁଣ୍ଡପିଛା ଆୟ ଆଶାତୀତ ଭାବରେ କମ୍‌ ରହୁଛି । ଜଳସେଚନ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ଓଡ଼ିଶାର ମାତ୍ର ୨୨% ଜମି ଜଳସେଚିତ । ଓଡ଼ିଶାର ମୋଟ୍‌ ରାଜ୍ୟ ଘରୋଇ ଉତ୍ପାଦ, ଦେଶ ତୁଳନାରେ ୧୭% ପଛରେ । ଏହି ସଂଖ୍ୟାଗୁଡ଼ିକୁ ଅନୁଧ୍ୟାନ କଲେ ଆମମାନଙ୍କୁ ଏକ ରୋଡମ୍ୟାପ ପ୍ରସ୍ତୁତ କରି ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । କାଳକ୍ଷେପଣ ନୀତିକୁ ପ୍ରଶ୍ରୟ ଦିଆଯାଇନପାରେ ।

କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ ଜନସଂଖ୍ୟାର ଅସ୍ଥିରତାକୁ ଦୃଷ୍ଟିରେ ରଖି ଧାନ ତଥା ଅନ୍ୟ ସ୍ୱଳ୍ପ ମୂଲ୍ୟର କୃଷିଜାତ ଉତ୍ପାଦନ ଠାରୁ ଆଗକୁ ଯାଇ ଚାହିଦାଭିତ୍ତିକ ଉଚ୍ଚ ମୂଲ୍ୟର କୃଷି ଉତ୍ପାଦନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଜାତୀୟ ଶିକ୍ଷାନୀତି ୨୦୨୦କୁ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ  ଯଥାଶୀଘ୍ର ପ୍ରଣୟନ କରିବା ଆବଶ୍ୟକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ନାମଲେଖାର ଅନୁପାତ (ଗ୍ରସ ଏନରୋଲମେଣ୍ଟ ରେସିଓ) ୨୮% ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୨୨% । ତାମିଲନାଡ଼ୁରେ ୪୭% ପିଲା ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇପାରୁଛନ୍ତି । ଶିକ୍ଷା ମାନବ ଜୀବନର ମାନଦଣ୍ଡ

ଏହା ସର୍ବଦା ମନେ ରଖିବା ଉଚିତ ।

ଏହା ବ୍ୟତୀତ ଆମ ନିକଟରେ ପାଖାପାଖି ୬୦୦ କିଲୋମିଟର ସମୁଦ୍ରତଟ ଭଳି ପ୍ରାକୃତିକ ସମ୍ପଦ ଥିବାବେଳେ ତାର ଆଶାନୁରୂପ ଫାଇଦା ଲାଭ କରିପାରିନାହୁଁ । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସ୍ପେଶାଲ ଇକୋନୋମିକ ଜୋନ୍‌ ଏବଂ ବନ୍ଦର ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ହେବା ଆବଶ୍ୟକ । ଓଡ଼ିଶାର ନୂତନ ଗଠିତ ସରକାର ଏ ସମସ୍ତ ଯୋଜନାକୁ ଏକ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରିବେ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.