କଟକ,୧୭/୦୯: କଟକର ବାୟୁମଣ୍ଡଳ ରାଜଧାନୀ ଭୁବନେଶ୍ୱର ତୁଳନାରେ ସ୍ୱଚ୍ଛ ଓ ନିର୍ମଳ । ସାରା ଭାରତରେ ଥିବା ୩ ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ସ୍ୱଚ୍ଛ ବାୟୁମଣ୍ଡଳ ବିଶିଷ୍ଟ ସହର ତାଲିକାରେ କଟକ ସହର ନବମ ସ୍ଥାନରେ ରହିଛି । ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ତରଫରୁ ପ୍ରକାଶିତ ତାଲିକାରେ କଟକ ସହରର ବାୟୁମଣ୍ଡଳକୁ ସୁସ୍ଥ ପରିବେଶ ବୋଲି କୁହାଯାଇଛି । ବୋର୍ଡ ତରଫରୁ କଟକ ସହରକୁ ମୋଟ୍ ୨୦୦ରୁ ୧୭୦.୭ ନମ୍ବର ଦିଆଯାଇଛି । ଏହି ତାଲିକାରେ ରାଉରକେଲା ୧୦ ନମ୍ବର ଓ ଭୁବନେଶ୍ୱର ୧୨ ନମ୍ବର ସ୍ଥାନରେ ରହିଛି ।
ଆଜିର ଦିନରେ କଟକ ସହରର ଏକ୍ୟୁଆଇ(ଏୟାର୍ କ୍ୱାଲିଟି ଇନ୍ଡେକ୍ସ) ରହିଛି ୬୫ । ଅର୍ଥାତ୍ ଏହା ସମ୍ବେଦନଶୀଳ ବାୟୁମଣ୍ଡଳରୁ ଯଥେଷ୍ଟ ତଳେ ରହିଛି । କଟକ ସହରରେ ସାଧାରଣତଃ ଏକ୍ୟୁଆଇ ବଢି ୧୧୦ ପର୍ଯ୍ୟନ୍ତ ସ୍ପର୍ଶ କରିଥାଏ । ପୂଜାପାର୍ବଣ ଅର୍ଥାତ୍ ଦଶହରା, ଦୀପାବଳି ଓ ବାଲିଯାତ୍ରାରେ ଏହା ବୃଦ୍ଧି ପାଇ ପ୍ରାୟ ୧୫୦ ଉପରକୁ ଚାଲିଯାଇଥାଏ । ଯାହା ଅତି ସମ୍ବେଦନଶୀଳ ପରିବେଶ ଭାବେ ପରିଗଣିତ ହୋଇଥାଏ । କିନ୍ତୁ ପରେ ଧିରେ ଧିରେ ଏକ୍ୱୁ୍ୟଆଇ ଖସିବା ସହିତ ବର୍ଷର ଅନ୍ୟ ସମୟରେ ସହରର ଏକ୍ୟୁଆଇ ଶହେ ତୁଳକୁ ରହିଥାଏ । ନିକଟରେ କଟକ ସମେତ ଭାରତର ୧୩୧ ସହରକୁ ତାଲିକାଭୁକ୍ତ କରାଯାଇ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ(ସିପିସିବି) ତରଫରୁ ସ୍ୱଚ୍ଛ ବାୟୁ ସର୍ଭେକ୍ଷଣ କରାଯାଇଥିଲା । ଏହାକୁ ୩ ଭାଗରେ ବିଭକ୍ତ କରାଯାଇଥିଲା । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ୪୭ଟି, ୩ ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ୪୪ଟି ଏବଂ ୩ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରରେ ୪୦ଟି ସହର ଅନ୍ତର୍ଭୁକ୍ତ ହୋଇଥିଲା । ଜନସଂଖ୍ୟା ଦୃଷ୍ଟିରୁ କଟକ ସହର ଦ୍ୱିତୀୟ ଗ୍ରୁପ୍ ଅର୍ଥାତ୍ ୩ ରୁ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ସାମିଲ୍ ହୋଇଥିଲା । ସର୍ଭେକ୍ଷଣ କରିବାକୁ ଯାଇ ସହରର ପ୍ରମୁଖ କିଛି ଅଞ୍ଚଳର ବାୟୁମଣ୍ଡଳ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।
ସେଥିରେ ବାଦାମବାଡ଼ି ଠାରୁ ଆରମ୍ଭ କରି ଓଏମ୍ପି ପର୍ଯ୍ୟନ୍ତ ଅଞ୍ଚଳରେ ବାୟୁମଣ୍ଡଳ ଅସ୍ୱାସ୍ଥ୍ୟକର ପରିଲକ୍ଷିତ ହୋଇଥିଲା । ଏସବୁ ଅଞ୍ଚଳ ‘ଅନ୍ହେଲ୍ଦି ଫର୍ ସେନ୍ସିଟିଭ୍ ଗ୍ରୁପ୍’ ଭାବେ ରହିଛି । ସମ୍ବେଦନଶୀଳ ବ୍ୟକ୍ତି ଅର୍ଥାତ୍ ଶ୍ୱାସ ଏବଂ ବାୟୁ ସଂକ୍ରମଣରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଅନୁପଯୁକ୍ତ । ଏହି ବର୍ଗର ଲୋକେ ବର୍ଷ ତମାମ୍ ଘରୁ ବାହାରିବା ମାତ୍ରେ ମାସ୍କ୍ ପିନ୍ଧିବାକୁ ସତର୍କ ସୂଚନା ଜାରି କରାଯାଇଛି । ଏମିତିକି ବାୟୁ ସଂକ୍ରମଣରୁ ପ୍ରଭାବିତ ହେଉଥିବା ବର୍ଗ ବାହାରେ ବ୍ୟାୟାମ କରିବାକୁ ମଧ୍ୟ କଟକଣା ରହିଛି । ସହରର ଜନବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ଏତେ ସହଜ ନୁହେଁ । ତେଣୁ ଏ ସବୁ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଯୋଜନା ପ୍ରଶାସନ ହାତକୁ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ସହରର ଅନ୍ୟ ଭାଗ ଯେମିତି ସିଡିଏ, ବୟାଳିଶମୌଜା, ଯୋବ୍ରା ଆଦି ଅଞ୍ଚଳରେ ବାୟୁମଣ୍ଡଳର ସ୍ୱଚ୍ଛତା ରହିଥିବା ସିପିସିବି ସର୍ଭେରେ ଜଣାପଡିଛି । ତେଣୁ ଏହାର ଆଧାରରେ ସିପିସିବି ତରଫରୁ ରିପୋର୍ଟ ପ୍ରକାଶ କରାଯାଇ କଟକ ସହରକୁ ନବମ ସ୍ଥାନରେ ରଖାଯାଇଛି । ଅମରାବତୀ ର୍ୟାଙ୍କ୍-୧ରେ ରହିଥିବା ବେଳେ ମୋରଦାବାଦ୍ ଦ୍ୱିତୀୟ ଓ ଗୁଣ୍ଟୁର୍ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି ।