ନୂଆଦିଲ୍ଲୀ: ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ସୂଚନା ଅନୁଯାୟୀ, ମନୀଷ ସିସୋଡିଆଙ୍କୁ ଶନିବାର ଦିନ ସକାଳ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କୁ ଭେଟିବାକୁ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ ମନୀଷ ସିସୋଦିଆ ଗଣମାଧ୍ୟମ ସହ କଥାବାର୍ତ୍ତା କରିପାରିବେ ନାହିଁ । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ନକରିବା ଏବଂ କୌଣସି ରାଜନୈତିକ ଅଂଶଗ୍ରହଣ ନକରିବା ସର୍ତ୍ତରେ ରାଉଜ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି।
ସୂଚନାଥାଉକି, ଯେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଅଛନ୍ତି । ନିକଟରେ ଦିଲ୍ଲୀ ଅବକାରୀ ସ୍କାମ ସହ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ ।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଲୋକୁର ମନୀଷ ସିସୋଦିଆଙ୍କୁ ଜାମିନ ନଦେବା ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ନାମଞ୍ଜୁର ହେବାରୁ ଜଷ୍ଟିସ ଲୋକୁର ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏମିତି ଲାଗୁଛି କି, କୋର୍ଟ ଜାମିନ ପ୍ରଦାନ କିମ୍ବା ମନା କରିବାର ମୌଳିକ ନୀତିକୁ ଭୁଲି ଯାଇଛନ୍ତି ।
ସୂଚନାଥାଉକି, ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି । ଏହା ପରେ ମାର୍ଚ୍ଚ ୯ ରେ ଇଡି ତାଙ୍କୁ ଗିରଫ କରିଥିଲା । ଏକ୍ସାଇଜ୍ ପଲିସି ସହ ଜଡିତ ଏକ ମାମଲାରେ ତାଙ୍କୁ ସିବିଆଇ ଏବଂ ଇଡି ଗିରଫ କରିଛି । ବର୍ତ୍ତମାନ ଉଭୟ ଏଜେନ୍ସି ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି । ତେବେ ମନୀଷ ସିସୋଦିଆ ୨୮ ଫେବୃଆରୀରେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି।