ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

କଟକରେ ଜନ୍ମ, ପୁରୀରେ ରଚିଲେ ଇତିହାସ

ପୁରୀ/ଗୋପ/ନିମାପଡ଼ା, ୧୨।୬: ମଙ୍ଗଳବାର ବିଜେପି ସରକାର ଗଠନ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି । ଦୁଇ ଉପମୁଖ୍ୟମନ୍ତ୍ରୀ ନାମରେ ମୋହର ବାଜିଥିବା ବେଳେ ଏଥିରେ ଅଛନ୍ତି ନିମାପଡ଼ାରୁ ନବ ନିର୍ବାଚିତ ବିଧାୟିକ ପ୍ରଭାତୀ ପରିଡ଼ା । ନିମାପଡ଼ାରୁ କେହି ବିଧାନସଭା ସଦସ୍ୟ ଉପମୁଖ୍ୟମନ୍ତ୍ରୀ ହେବା ପ୍ରଥମ ଘଟଣା । ଏଥିସହ ଜଣେ ମହିଳା ଏଠାରୁ ଉପମୁଖ୍ୟମନ୍ତ୍ରୀ ହେବା ମଧ୍ୟ ଆଉ ଏକ ରେକର୍ଡ । ଏହାକୁ ନେଇ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଖୁସିର ମାହୋଲ ଖେଳିଯାଇଛି । 

ବାଲ୍ୟ ଜୀବନ

୧୯୬୭ରେ ପ୍ରଭାତୀ କଟକ ଜିଲ୍ଲା ନିଆଳି ବ୍ଲକ୍‌ ନିଭରଣ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ ଶିବନ୍ତ ପରିଡ଼ା । ନିଆଳିରେ ପିଲାବେଳ କଟିଥିଲା । ସେଠାରେ ତାଙ୍କ ପ୍ରାଥମିକ ଶିକ୍ଷା ମଧ୍ୟ ଆରମ୍ଭ ହୋଇଥିଲା । ସେ ନିଭରଣ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିଲେ । ପରେ ନୂଆହାଟ ହାଇସ୍କୁଲରୁ ଦଶମ ପାସ୍‌ କରିଥିଲେ । ନିମାପଡ଼ା କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ଶେଷ କରିଥିଲେ । ୧୯୯୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ଲାଭ କରିଥିଲେ । ପରେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ନିମାପଡ଼ା ବ୍ଲକ୍‌ ତେରୁଣ୍ଡିଆ ପଞ୍ଚାୟତର ଶ୍ୟାମ ସୁନ୍ଦର ନାୟକଙ୍କୁ ବିବାହ କରି ନିଜର ସଂସାର ଆରମ୍ଭ କରିଥିଲେ ।

ରାଜନୀତି କ୍ୟାରିଅର 

ସେ ନିଆଳି ବ୍ଲକ୍‌ରୁ ୨୦୦୨ରେ ରାଜନୀତି ଆରମ୍ଭ କରିଥିଲେ । ଏହି ସମୟରେ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ମାତ୍ର ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା । ଏହାପରେ ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ୨୦୦୯ରେ ନିମାପଡ଼ାରୁ ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ଶଙ୍କର ପରିଡ଼ା ପ୍ରାର୍ଥୀ ହୋଇଥିଲେ । ତେଣୁ ଦଳୀୟ ଟିକଟ ପାଇବାରୁ ନିରାଶ ହୋଇ ୨୦୦୯ରେ ନିମାପଡ଼ାରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମାତ୍ର ପରାଜିତ ହୋଇଥିଲେ । ପରେ ସେ ପୁଣି ଘର ବାହୁଡ଼ା କରି ବିଜେପିର କାର୍ଯ୍ୟଧାରାରେ ସାମିଲ ହୋଇଥିଲେ । ୨୦୧୪ ଓ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଏହି ଦୁଇ ନିର୍ବାଚନରେ ତାଙ୍କୁ ପରାଜୟବରଣ କରିବାକୁ ପଡ଼ିଥିଲା । ମାତ୍ର ବିଧାନସଭାରେ ପ୍ରତିନିଧିତ୍ୱ କରିବା ଜିଦ୍‌ରେ ସେ ଅଟଳ ଥିଲେ । ତେଣୁ ୨୦୨୪ ନିର୍ବାଚନରେ ସେ ବିଜେପିରୁ ଟିକଟ ପାଇ ଲଢ଼ିବା ସହ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ସେ ପ୍ରାୟ ସାଢ଼େ ୪ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ ।

ସ୍ୱାମୀ ଶ୍ୟାମସୁନ୍ଦର କୁହନ୍ତି

ଏହା ନିମାପଡ଼ା ଓ ଗୋପବାସୀଙ୍କ ଆଶୀର୍ବାଦର ଫଳ । ବିଜେପି ନେତୃତ୍ୱ ନିମାପଡ଼ାବାସୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଏକ ଉପହାର ଦେଇଛନ୍ତି । ପ୍ରଭାତୀ ଉପମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହ କାମ କରିବେ ଏବଂ ନିମାପଡ଼ା, ଗୋପ ଉପରେ ସ୍ୱତନ୍ତ୍ର ନଜର ଦେବେ । ତାଙ୍କ ରାଜନୈତିକ ରାସ୍ତା ଖୁବ୍‌ କଠିନ ଥିଲା । ଆମ ପାରିବାରିକ ଜୀବନରେ ରାଜନୀତିର ପ୍ରଭାବ ବହୁ ଅଧିକ । ପତ୍ନୀଙ୍କ ଭଳି ଶ୍ୟାମସୁନ୍ଦର ମଧ୍ୟ ବିଜେପିର ପ୍ରାଥମିକ ସଦସ୍ୟ । ଶ୍ୟାମସୁନ୍ଦର ବର୍ଷକ ତଳେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପଦରୁ ଅବସର ନେଇଛନ୍ତି । ଦୁଇ ଝିଅ ବିଦେଶରେ ରୁହନ୍ତି । ମାତ୍ର ପାରିବାରିକ ଦାୟିତ୍ୱ ତୁଲାଇବା ବେଳେ ରାଜନୀତିରେ ସକ୍ରିୟ ରହିବା କେବେ ବି ଅନ୍ତରାୟ ସୃଷ୍ଟି କରିନି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.