କଟକ, ୨୨/୦୯: ଦଶହରା ତ’ ୧୯୬୫ ମସିହାରୁ ଆରମ୍ଭ ହୋଇଆସୁଛି । କିନ୍ତୁ ୧୦/୧୫ ବର୍ଷ ତଳେ ସାହିର ଯୁବକ, ବୟସ୍କମାନେ ଦଶହରାକୁ କିଛି ଭିନ୍ନ ଢଙ୍ଗରେ ଆରମ୍ଭ କରିବା । ଏଥିପାଇଁ ପୁରୀ ମୁକ୍ତିମଣ୍ଡପ ଯାଇ ପରାମର୍ଶ ଲୋଡ଼ିବାକୁ ଯୋଜନା କରାଗଲା । ଯୋଜନା ଅନୁସାରେ ସାହିର ବୟସ୍କ, ଯୁବକମାନେ ଶ୍ରୀମନ୍ଦିର ଯାଇ ମୁକ୍ତିମଣ୍ଡପର ପରାମର୍ଶ ଲୋଡ଼ିଲେ । କ’ଣ ଏବଂ କିପରି ଦଶହରାକୁ କଲେ କେବଳ ସେମାନଙ୍କ ସାହିର ନୁହେଁ, କଟକ ସହରର ମଙ୍ଗଳ ହେବ । ମୁକ୍ତିମଣ୍ଡପର ଜଣେ ପଣ୍ଡିତ ତତ୍କ୍ଷଣାତ ପରାମର୍ଶ ଦେଲେ କି’ ନେମାଳ ପଦ୍ମବନସ୍ଥିତ ତ୍ରାହି ଅଚ୍ୟୁତଙ୍କ ମଠ ପାଖରେ ଥିବା ଗାଧୁଆ ତୁଠରୁ ମାଟି ଉଠାଇବ । ସେହି ମାଟିରେ ମା’ଙ୍କ ମୃର୍ତ୍ତିର ଅନୁକୂଳ ହେବ। ସେହିଦିନଠୁ ନେମାଳ ଯାଇ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନିକଟ ନଦୀପଠାରୁ ମାଟି ଉଠାଯାଇ ଆସୁଛି । ନେମାଳର ମାଟିରେ ମା’ ଦେବୀଙ୍କ ମୁଣ୍ମୟୀ ମୂର୍ତ୍ତି ଗଢ଼ାହେଉଛି । ମଧୁପାଟଣା ପୂଜା କମିଟି ପକ୍ଷରୁ ଏଭଳି ଏକ ଅନନ୍ୟ ପଦକ୍ଷେପ ନିଆଯାଇ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି ।
୧୯୬୨ ମସିହାରେ ପ୍ରଥମେ ମଧୁପାଟଣା ପୂଜା କମିଟି ପକ୍ଷରୁ ଶିବ-ପାର୍ବତୀଙ୍କ ମୂର୍ତ୍ତିକୁ ନେଇ ପୂଜା ଆରମ୍ଭ ହୋଇଥିଲା । ୧୯୬୫ ମସିହାରେ ପ୍ରଥମ ଥର କଟକ ମହାନଗର ପୂଜା କମିଟିରେ ସଦସ୍ୟ ହେବା ସହ ଦେବୀଗଡ଼ାରେ ଯାଇ ବିସର୍ଜନରେ ସାମିଲ୍ ହୋଇଥିଲେ । କିନ୍ତୁ ୨୦୦୪ରୁ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ାଗଲା । ଏକ ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ହୋଇ ଆସୁଥିଲାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ବର୍ଷ ତଳେ ପୂଜା ମଣ୍ଡପକୁ ଭାଙ୍ଗି ଦିଆଯାଇଥିଲା । ସେତେବେଳେ ମଣ୍ଡପ ଭାଙ୍ଗିବା ବାବଦରେ କ୍ଷତିପୂରଣ ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଟଙ୍କାଟିଏ ବି’ କ୍ଷତିପୂରଣ ମିଳିପାରି ନାହିଁ । ସେବେଠୁ ରେଲୱେ ବ୍ରିଜ୍ ତଳେ ମା’ଙ୍କର ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ହୋଇ ଆସୁଛି । କେବଳ ଦୁର୍ଗା ନୁହଁନ୍ତି, ଲକ୍ଷ୍ମୀ ପୂଜା ବେଳେ ମା’ ଲକ୍ଷ୍ମୀ ଏବଂ ଦୀପାବଳି ବେଳେ ମା’କାଳୀଙ୍କର ଏହି ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । କେନାଲ କୂଳରେ କାର୍ତ୍ତିକେଶ୍ୱରଙ୍କ ପୂଜାର୍ଚ୍ଚନା ହୋଇଥାଏ । ୬/୭ଟି ସାହିକୁ ନେଇ ଆଲୋକରେ ସର୍ଜ୍ଜିତ କରାଯାଇଥାଏ ।
୧୯୫୬ ମସିହାରୁ ନୂଆପଡ଼ା ପୂଜା କମିଟି ପକ୍ଷରୁ ଦଶହରା ପାଳିତ ହୋଇଆସୁଛି । ପ୍ରଥମେ ଏହି ପୂଜା ମଣ୍ଡପରେ ଶିବ- ପାର୍ବତୀଙ୍କ ମୂର୍ତ୍ତି ପୂଜା ପାଇଥିଲା । ଚଗଲା ନନାଙ୍କୁ ସ୍ୱପ୍ନାଦେଶ ହେବା ପରେ ୧୯୯୬ ମସିହାରେ ମଣ୍ଡପରେ ମା’ଙ୍କ ମୂର୍ତ୍ତି ପୂଜା ପାଇଲା । ଏହି ମଣ୍ଡପରେ କାଳୀ, ଲକ୍ଷ୍ମୀଙ୍କୁ ମଧ୍ୟ ଆରଧନା କରାଯାଇଥାଏ । ଅଷ୍ଟମୀରେ ଖିରି ଭୋଗ ଲାଗିହୁଏ । ଦଶମୀରେ ଦହିପଖାଳ କରାଯାଇଥାଏ । ମା’ଙ୍କୁ ରୁପାର ଅଳଙ୍କାରରେ ସଜ୍ଜିତ କରାଯାଇଥାଏ । ବିଭିନ୍ନ ପ୍ରକାର ଆଲୋକ ସଜ୍ଜାରେ ସ୍ଥାନୀୟ ଅଞ୍ଚଳ ଉଦ୍ଭାସିତ ହୋଇଥାଏ । ଚିତ୍ତାକର୍ଷକ ତୋରଣ ନିର୍ମାଣ କରାଯାଇଥାଏ । ୬/୭ ମାସ ତଳେ ପୀଠରେ ପୂଜା ପାଉଥିବା ମା’ଙ୍କର ଅଳଙ୍କାର ସବୁ ଚୋରି ହୋଇଗଲା । ସାହି ତଥା ପୂଜା କମିଟିର ସଦସ୍ୟ ନିରାଶ ହୋଇପଡ଼ିଲେ । କିନ୍ତୁ ହାର୍ ମାନି ନ ଥିଲେ । ପୁଣି ମା’ଙ୍କର କିଛି ଅଳଙ୍କାର ତିଆରି କରାଗଲା ।
ଏବେ ଦରଖାପାଟଣା ପୂଜା ମଣ୍ଡପରେ ମା’ଙ୍କର ଯଥାବିଧି ପୂଜା ଅର୍ଚ୍ଚନା କରାଯିବ । ଯଦିଓ ଏହି ପୂଜା କମିଟି ବହୁ ପୁରୁଣା ନୁହେଁ, କିନ୍ତୁ କଟକ ସହରର ଅନ୍ୟାନ୍ୟ ପୂଜା କମିଟି ସହ ନିଜକୁ ତାଳଦେଇ ଚାଲିବା ଆରମ୍ଭ କରିଛି । ଧୀରେ ଧୀରେ ପୂଜାର କଳେବର ବୃଦ୍ଧି ପାଇଁ ସଦସ୍ୟମାନଙ୍କ ପକ୍ଷରୁ ଜୋର୍ଦାର୍ ଉଦ୍ୟମ କରାଯାଉଛି । ୧୯୯୮ ମସିହାରେ ହର-ପାର୍ବତୀଙ୍କୁ ନେଇ କମିଟି ପକ୍ଷରୁ ପୂଜା ଆରମ୍ଭ ହୋଇଥିଲା । ୨୦୧୯ ମସିହାରେ ସ୍ଥାୟୀ ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହେଲା । ଦଶହରା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସପ୍ତମୀରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଉଥିଲାବେଳେ ଅଷ୍ଟମୀରେ ଇସ୍କନ ଖେଚୁଡ଼ି, ନବମୀରେ ଦହି ପଖାଳ ଏବଂ ଦଶମୀରେ ଖିରି ଭୋଗ ଲାଗି କରାଯାଏ ।
ପୋପରଡ଼ା ଦୁର୍ଗାପୂଜା କମିଟି ମଝିସାହି ପକ୍ଷରୁ ୧୯୭୭ ମସିହାରୁ ଶିବ-ପାର୍ବତୀଙ୍କ ପୂଜା ଆରମ୍ଭ ହୋଇଥିଲା । ୨୦୧୪ରୁ ଏହି ମଣ୍ଡପରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ୨୦୦୫ ମସିହାରୁ ଦେବୀଗଡ଼ାକୁ ଯାଇ ବିସର୍ଜନ ହେଉଛି । ମା’ଙ୍କର ଆସନ୍ତା ବର୍ଷଠାରୁ ଅଳଙ୍କାର କରାଯିବ । ଦଶମୀ ଦିନ ମଣ୍ଡପ ନିକଟରେ ଥିବା ଗ୍ରାମ ଦେବତୀଙ୍କ ନିକଟରେ ଆମିଷ ଜନ୍ତାଳ କରାଯାଇଥାଏ । ଯଦିଓ ଆୟୋଜନ ବେଶୀ ବଡ଼ ଆକାରରେ କରାଯାଇ ନଥାଏ କିନ୍ତୁ ଧୀରେ ଧୀରେ ପୂଜାର ଆୟୋଜନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି ।
ପ୍ରଥମ ଥର ପାଇଁ ପୋପରଡ଼ାର ଉପର ସାହିରେ ସ୍ଥାୟୀ ମଣ୍ଡପରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଚଳିତବର୍ଷ ପୂଜା ପାଇବ । ଆଗରୁ ଅସ୍ଥାୟୀ ମଣ୍ଡପରେ ମା’ ପୂଜା ପାଇ ଆସୁଥିଲେ । ଚଳିତବର୍ଷ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଏହି ମଣ୍ଡପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା କରାଯିବ । ପୂଜା ବେଳେ ବୁନ୍ଦି ଭୋଗ, ଦହି ପଖାଳ ଦିଆଯାଇଥାଏ । ଲାଇଟ୍ର ସାଜସଜ୍ଜାରେ ଅଞ୍ଚଳ ଆଲୋକିତ ହେବ ।
୨୯ବର୍ଷ ହେଲାଣି ସାର୍ତ୍ତୋଳ ଦୁର୍ଗାପୂଜା କମିଟି ପକ୍ଷରୁ ଦଶହରା ପୂଜା ହୋଇ ଆସୁଛି । ପ୍ରଥମ ଥର ପାଇଁ ସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ଯଦିଓ ଆଗରୁ ଏହି ମଣ୍ଡପ ଥିଲା କିନ୍ତୁ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନ ଥିଲା । ପ୍ରଥମ ଥର ପାଇଁ ମଣ୍ଡପ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇଛି । ଏହି ମଣ୍ଡପରେ ପ୍ରଥମ ଥର ପାଇଁ ଶିବ- ପାର୍ବତୀଙ୍କ ପରିବର୍ତ୍ତେ ମା’ଙ୍କ ମୂର୍ତ୍ତି ପୂଜା ପାଇବ । ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ, ଭଜନ ସମାରୋହ ଆଦିରେ ଅଞ୍ଚଳ କମ୍ପିବ ।
୧୯୮୭ ମସିହାରୁ କାଜିଡ଼ିହ ପୂଜା କମିଟି ପକ୍ଷରୁ ଶିବ- ପାର୍ବତୀଙ୍କ ମୂର୍ତ୍ତି ପୂଜା ପାଇ ଆସୁଛି । ଏବେ ଜରିମେଢ଼ରେ ଶିବ-ପାର୍ବତୀ ଶୋଭା ପାଉଛନ୍ତି । ଆସନ୍ତା ବର୍ଷେ ଦୁଇବର୍ଷ ମଧ୍ୟରେ ଅଳଙ୍କାର କରାଯିବାକୁ ଯୋଜନା ରହିଛି । ଦୁଇ କୁଇଣ୍ଟାଲ୍ର ଲଡ଼ୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟାଯାଏ । ଲାଇଟ୍ ଗେଟ୍, ତୋରଣ ଆଦିରେ ମଧ୍ୟ ସ୍ଥାନୀୟ ଅଞ୍ଚଳକୁ ସଜ୍ଜିତ କରାଯାଇଥାଏ ।