ମାଲକାନଗିରି, ୨୨।୮: ଏକ ଫାଇନାସ କମ୍ପାନୀର କର୍ମଚାରୀଙ୍କୁ ରାସ୍ତାରେ ଅଟକାଇଲେ । ଆଉ ଲୁଟିନେଲେ ୪ଲକ୍ଷ ୨୭ହଜାର ୪୨୪ ଟଙ୍କା, ଟାବେଲେଟ୍, ବାୟୋମେଟ୍ରିକ ମେସିନ ସହ ମୋବାଇଲ ଫୋନ୍ । ଲୁଟ୍ ଅଭିଯୋଗରେ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୁଲିସ । ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ସଚୀନ ପଟେଲ ।
ପୋଲିସର ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ପଡ଼ିଆ ଥାନାରେ ଗତ ୨୦ ତାରିଖରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ଲୋନ୍ ଟଙ୍କା ଲୁଟ୍ ହୋଇଥିବା ଏକ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ମାଲକାନଗିରି ଏସପି ନୀତେଶ ୱାଧାନୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଚିନ ପଟେଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପଡ଼ିଆ ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।
ଗୁରୁବାର ୨ ଜଣ ଲୁଟେରା ଯୁବକଙ୍କୁ ଗିରଫ କରିଛି ପଡ଼ିଆ ପୁଲିସ । ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଛତିଶଗଡ଼ ଓ ପଡ଼ିଆ ଅଞ୍ଚଳରେ ଦେଇଥିବା ଲୋନ୍ ଟଙ୍କା କଲେକ୍ସନ କରି କମ୍ପାନୀର ଦୁଇ ଜଣ ଏଜେଣ୍ଟ ସୂରଜ ସରକାର ଓ ଚୟନ ମଣ୍ଡଳ କାଲିମେଳା ଶାଖା କାର୍ଯ୍ୟଳୟକୁ ଗତ ୧୬ତାରିଖ ରାତିରେ ଫେରୁଥିଲେ । ଫେରିବା ବେଳେ ଏମପିଭି ୬୬ ଗ୍ରାମ୍ ନିକଟ ଉଣ୍ଢ୍ରୁକୋଣ୍ଡା ପୋଲ ନିକଟରେ ପୂର୍ବରୁ ଜଗିଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ୪ ଲକ୍ଷ ୨୭ ହଜାର ୪୨୪ ଟଙ୍କା ସହ ଏକ ଟାବଲେଟ, ବାୟୋମେଟ୍ରିକ ମେସିନ ଓ ମୋବାଇଲ ଫୋନ ଲୁଟି ନେଇଥିଲେ । ପୁଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଯାହାକୁ ଦେଖି ପୋଲିସ ତାଜୁବ ହୋଇଥିଲା । କମ୍ପାନୀରେ କାମ କରୁଥିବା ଏଜେଣ୍ଟ ସୂରଜ ସରକାର ଥିଲା ଲୁଟ୍ର ମାଷ୍ଟର ମାଇଣ୍ଡ ଏବଂ ତାଙ୍କର ସହକର୍ମୀ ଥିଲେ ଆଉ ଜଣେ କର୍ମଚାରୀ ଆଶିଷ ମଣ୍ଡଳ ଯିଏ ୭ ଦିନ ପୂର୍ବରୁ କମ୍ପାନୀ ଛାଡ଼ିଥିଲେ । ଉଭୟ ମିଶି ଟଙ୍କା ଲୁଟ୍ କରିବାକୁ କରିଥିଲେ ପ୍ରି ପ୍ଲାନ୍ । ହେଲେ ସବୁ ଯୋଜନା ପଣ୍ଡ ହେଲା ।
ପଡ଼ିଆ ପୁଲିସ ଲୁଟ୍ରେ ସାମିଲ ଥିବା ୨ ଯୁବକ ସୂରଜ ସରକାର ଏବଂ ଆଶିଷ ମଣ୍ଡଳକୁ ଗିରଫ କରିଛି । ଆଶିଷ ମଣ୍ଡଳକୁ ସୂରଜ ସରକାର ଲୁଟ୍ ଟଙ୍କାରୁ କିଛି ଟଙ୍କା ରଖିବା ପାଇଁ ଦେଇଥିଲା । ସେମାନଙ୍କଠାରୁ ଲୁଟ୍ ହୋଇଥିବା ୪ ଲକ୍ଷ୧୭ ହଜାର ଟଙ୍କା ଓ ୩ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ଥାଇ ଫେରାର ହୋଇ ଯାଇଥିବା ଅନ୍ୟମାନଙ୍କୁ ପୁଲିସ ସନ୍ଧାନ ଚଲାଇଛି । ପୁଲିସ ଲୁଟ୍ ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଲୁଟେରା ସହଯୋଗୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।