ନୂଆଦିଲ୍ଲୀ: ବେଆଇନ୍ ବିଦେଶୀ ଦେଣନେଣ ବା ଫେମା ଆଇନ୍ ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିଏମକେ ସାଂସଦ ଏସ ଜଗତରକ୍ଷକନ୍ ଏବଂ ତାଙ୍କ ପରିବାର ଉପରେ ୯୦୮ କୋଟି ଟଙ୍କା ଜରିମାନା ଲଗାଇଛି ଇଡି । ସାଂସଦଙ୍କ ପାଖରୁ ୮୯ କୋଟି ଟଙ୍କାର ସଂପତ୍ତି ମଧ୍ୟ ଜବତ ହୋଇଛି ।
ତାମିଲନାଡୁର ଡିଏମକେ ସାଂସଦ ଏବଂ ବ୍ୟବସାୟୀ ଜଗତରକ୍ଷକନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଫେମା ଆଇନ୍ ଲଲ୍ଲଂଘନ ମାମଲାର ତଦନ୍ତ କରୁଛି ଇଡି । ଇଡି ପକ୍ଷରୁ ଏକ୍ସ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ, ଫେମା ଧାରା ୩୭ ଏ ଆଧାରରେ ୮୯.୧୯ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି । ଏହା ସହ ସାଂସଦ ଏବଂ ତାଙ୍କ ପରିବାର ଉପରେ ୯୦୮ କୋଟି ଟଙ୍କା ଜରିମାନା ଲାଗିଛି । ଗତବର୍ଷ ଟ୍ୟାକ୍ସ ଚୋରି ମାମଲାରେ ଆୟକର ବିଭାଗ ସାଂସଦଙ୍କ ୪୦ଟି ଠିକଣା ଉପରେ ଚଢ଼ାଉ କରିଥିଲା ।
ଇଡି ପକ୍ଷରୁ ମିଳିଥିବା ସୂଚନା ଅନୂସାରେ, ଡିଏମକେ ସାଂସଦ ଜଗତରକ୍ଷକନ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ୧ ଡିସେମ୍ବର ୨୦୨୧ରେ ମାମଲା ରୁଜୁ କରିଥିଲା । ୨୦୧୭ରେ ସିଙ୍ଗପୁରର ଏକ କମ୍ପାନିରେ ୪୨ କୋଟି ଟଙ୍କାର ନିବେଶ, ପରିବାର ସଦସ୍ୟଙ୍କ ମଧ୍ୟରେ ଶେୟାର ବଣ୍ଟନ ଏବଂ ଶ୍ରୀଲଙ୍କା କମ୍ପାନିରେ ୯ କୋଟି ଟଙ୍କା ନିବେଶ ସଂପର୍କିତ ଅଭିଯୋଗ ପରେ ଇଡି ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା ।