ବେଙ୍ଗାଲୁରୁ, ୧୦।୫: ନିର୍ବନ୍ଧ ପରେ ହୋଇଥାନ୍ତା ବିବାହ । ହେଲେ କୌଣସି କାରଣରୁ ନିର୍ବନ୍ଧ ଭାଙ୍ଗିଗଲା । ଆଉ ଏହାକୁ ସହ୍ୟ କରିପାରିଲାନି ଯୁବକ । ରାଗ ଜର୍ଜରିତ ହୋଇ ଏକ ନିଛାଟିଆ ସ୍ଥାନକୁ ନେଇ ନାବାଳିକାର ମୁଣ୍ଡ କାଟିଦେଲା ଯୁବକ । କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସୋମୱାରପେଟର ସୁରଲାବି ଗ୍ରାମରୁ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ମୃତ ନାବାଳିକା ଜଣକଙ୍କ ନାଁ ମୀନା ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ହତ୍ୟା କରିଥିବା ଅଭିଯୁକ୍ତ ସହିତ ନାବାଳିକାର ନିର୍ବନ୍ଧ ହେବାର ଥିଲା । କିନ୍ତୁ, ନିର୍ବନ୍ଧ ଭାଙ୍ଗିଯିବା କାରଣରୁ ଯୁବକ ଜଣକ ରାଗିଯାଇ ଶୁକ୍ରବାର ସନ୍ଧ୍ୟାରେ ନାବାଳିକାକୁ ଘରୁ ଉଠାଇ ନେଇଥିଲା । ପରେ ଏକ ନିଛାଟିଆ ସ୍ଥାନରେ ନାବାଳିକାର ମୁଣ୍ଡ କାଟି ହତ୍ୟା କରିଥିଲା । ଅଭିଯୁକ୍ତ ଯୁବକର ନାଁ ଓନକାରପ୍ପା ବୋଲି ସୂଚନା ।
ତେବେ ମୃତ ନାବାଳିକା ଜଣକ ଏସଏସଏଲସି ଛାତ୍ରୀ ଥିଲେ । ସେ ଗତକାଲି ୫୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ଜୀବନରେ ଆଗକୁ ବଢ଼ିବା ଆଗରୁ ଚାଲିଗଲା ପ୍ରାଣ । ତେବେ ଏନେଇ ଥାନାରେ ମାମଲା ପଞ୍ଜିକୃତ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।