ଆନନ୍ଦପୁର, ୦୪/୦୯ : ଅଙ୍ଗନବାଡି ସହାୟିକା ନିଯୁକ୍ତି ନେଇ ଅଙ୍ଗନବାଡି କର୍ମୀଙ୍କ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ତରିମୂଳ ପଞ୍ଚାୟତ ଖଳାଟିକର ସାହିରେ ଏଭଳି ଘଟଣା ଘଟିଛି। ଏହାକୁ କେନ୍ଦ୍ରକରି ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁଯାୟୀ, କିଛିଦିନ ତଳେ ଘସିପୁରା ଥାନା ତରିମୂଳ ପଞ୍ଚାୟତ ଖଳାଟିକର ଅଙ୍ଗନବାଡି କେନ୍ଦ୍ରରେ ସହାୟକ ନିଯୁକ୍ତି ହୋଇଥିଲା। ଏଥିରେ ଅଙ୍ଗନବାଡି କର୍ମୀ ପକ୍ଷପାତିତା କରିଥିବା ଅଭିଯୋଗ କରି ଗୋଟିଏ ଗୋଷ୍ଠି ତାଙ୍କୁ ଗାଳିଗୁଲଜ କରିଥିଲେ। ଅଙ୍ଗନବାଡି କର୍ମୀଙ୍କ ସ୍ଵାମୀ ଚନ୍ଦନ ଦେହୁରୀ ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ଆହତ ଚନ୍ଦନଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି।