ନବରଙ୍ଗପୁର/ଚନ୍ଦାହାଣ୍ଡି,୨୬/୦୫ ମଶାଣିରେ ପୁଅର କବରକୁ ଜଗିଛନ୍ତି ବାପା । ସପ୍ତାହେ ହେଲା ଦିନରାତି ସେଠାରେ ପହରା ଦେଉଛନ୍ତି । ତନ୍ତ୍ର ସାଧନା ପାଇଁ କାଳେ କିଏ କବର ଖୋଳି ୪ ବର୍ଷ ପୁଅର ହାଡ଼କଙ୍କାଳ ନେଇଯିବ, ସେହି ଭୟ ଘାରିଛି ତାଙ୍କୁ । ୨୧ ଦିନ ପର୍ଯ୍ୟନ୍ତ ପୁଅର କବରକୁ ଜଗିରହିବେ ବୋଲି କହିଛନ୍ତି ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ହଳଦୀ ଗାଁର ରାଜେଶ ନାଗ । ଏହି ଘଟଣା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ଶିଶୁପୁତ୍ର ଭୋଳାନାଥ ଗତ ୧୯ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ସଂଗେ ସଂଗେ ତାକୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ପୁଅର ଶବକୁ ପାଖ ମଶାଣିରେ କବର ଦେଇଥିଲେ ପରିବାର । ତାକୁ ଯେମିତି କେହି ଖୋଳିପାରିବେ ନାହିଁ, ସେଥିପାଇଁ ପୋତାଯାଇଥିବା ସ୍ଥାନକୁ ସିମେଣ୍ଟ କରାଯାଇଛି । ବିଜ୍ଞାନ ଯୁଗରେ ବି ଗାଁଗଣ୍ଡାର ଲୋକେ ତନ୍ତ୍ରସାଧନା ଏବଂ ଗୁଣିଗାରେଡ଼ି ଉପରେ ବିଶ୍ୱାସ ରଖିଛନ୍ତି । ଏହି ଘଟଣାକୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ ।
ମଶାଣିରେ ପୁଅର କବରକୁ ଜଗିଥିବା ବାପା ରାଜେଶ କହିଛନ୍ତି, ଅବିବାହିତ ଝିଅ ଏବଂ ପୁଅର ମୃତ୍ୟୁ ହେଲେ ସେମାନଙ୍କୁ କବର ଦିଆଯାଇଥାଏ । ଏହାକୁ ୨୧ ଦିନ ପର୍ଯ୍ୟନ୍ତ ଜଗିବାକୁ ପଡ଼ିଥାଏ । କେଉଁ ଆବହମାନ କାଳରୁ ଏହା ଚାଲିଆସୁଛି । ବିଶ୍ୱାସ ରହିଛି, କବର ଦିଆଯିବାର ୨୧ ଦିନ ଭିତରେ ତନ୍ତ୍ରସାଧନା ପାଇଁ କେହି ତାନ୍ତ୍ରିକ ଏହାକୁ ଖୋଳିପାରେ । ଶବକୁ ସାଧନା କାମରେ ଲଗାଇପାରେ । ଏହି କାରଣରୁ ସେ ପୁଅର କବରକୁ ୨୧ ଦିନ ପର୍ଯ୍ୟନ୍ତ ଜଗିବେ ବୋଲି ସ୍ଥିର କରିଛନ୍ତି । ଜଣେ ସଂପର୍କୀୟ ଭାଇ ସହିତ ଦିନରାତି ମଶାଣିରେ ବସି ରହୁଛନ୍ତି ରାଜେଶ ।