ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ହସନ ମହମୁଦଙ୍କୁ ବିମାନବନ୍ଦରରୁ ଗିରଫ କରାଯାଇଛି । ହସନ ମହମୁଦ ଶେଖ ହସିନାଙ୍କ ସରକାରରେ ମନ୍ତ୍ରୀ ଥିଲେ । ଏହା ପୂର୍ବରୁ ଆୱାମୀ ଲିଗର ପୂର୍ବତନ ମନ୍ତ୍ରୀ ଜୁନୈଦ ଅହମ୍ମଦ ପଲକଙ୍କୁ ଢାକା ସ୍ଥିତ ଶାହଜଲାଲ ବିମାନ ବନ୍ଦରରେ ଅଟକ ରଖାଯାଇଛି । ସୂଚନାନୁସାରେ, ଜୁନୈଦ ବାଂଲାଦେଶରୁ ଭାରତ ଆସିବାକୁ ଯୋଜନା କରିଥିଲେ । ଜୁନୈଦ ଭାରତ ଆସିବାକୁ ବିମାନ ଧରିବାକୁ ଯାଉଥିବା ସମୟରେ ତାଙ୍କୁ ଅଟକ ରଖାଯାଇଛି ।
ସୂଚନାଥାଉକି,ଯେ ବାଂଲାଦେଶରେ ହିଂସା ମଧ୍ୟରେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ସଂସଦ ଭଙ୍ଗ କରିଛନ୍ତି। ଏହା ସହିତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ମଧ୍ୟ ମୁକ୍ତ କରାଯାଇଛି । ଏହା ବ୍ୟତୀତ ଜୁଲାଇ ୧ ରୁ ଅଗଷ୍ଟ ମଧ୍ୟରେ ଗିରଫ ହୋଇଥିବା ଲୋକଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଅନେକ ଲୋକ ମୁକ୍ତ ହୋଇସାରିଛନ୍ତି । ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କ ପଦକ୍ଷେପ ଦେଶରେ ନୂତନ ନିର୍ବାଚନ ପାଇଁ ପଥ ପରିଷ୍କାର କରିଛି।
ମଙ୍ଗଳବାର ଦିନ ବାଂଲାଦେଶରେ ସରକାର ବିରୋଧୀ ପ୍ରତିବାଦରେ ମୃତ୍ୟୁ ସଂଖ୍ୟା ୪୪୦ କୁ ବୃଦ୍ଧି ପାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶେଖ ହସିନା ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ଘଟିଥିବା ହିଂସା ଘଟଣାରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।