ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଙ୍ଗଳବାର୨୦୨୪ ମହାଲଢ଼େଇ ଫୈସଲା: ୧୬୮ କେନ୍ଦ୍ରରେ ହେବ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ନେତାଙ୍କ ଭାଗ୍ୟ

ଭୁବନେଶ୍ୱର,୦୩/୦୬: ରାଜ୍ୟର ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ଗଚ୍ଛିତ ଇଭିଏମ୍‌ରେ ନେତାଙ୍କ ଭାଗ୍ୟ ତାଲା ପଡିଛି । ଦିନକ ପରେ ଭୋଟ ଗଣତି । ୪ ତାରିଖରେ ନେତାମାନଙ୍କ ଫଳାଫଳ ଜଣାପଡ଼ିବ । ମୋଟ ୧୬୮ ଗଣତି କେନ୍ଦ୍ରରେ ଭୋଟ ଗଣତି କରାଯିବ । ୧୪୭ ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ର ପାଇଁ ପୃଥକ୍‌ ଭାବେ ଭୋଟ ଗଣନା କରାଯିବ । 

ପୁଲିସ ମୁଖ୍ୟାଳୟରୁ ପ୍ରାପ୍ତ ସୂଚନା ମୁତାବକ, ପ୍ରତି ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟ ଗଣତି କେନ୍ଦ୍ର ଭିତରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ତଥା ଅର୍ଦ୍ଧ ସାମରିକ ବାହିନୀ (ସିଏପିଏଫ୍‌) ଯବାନ ଜଗିବେ । ତା’ ପରବର୍ତ୍ତୀ ସ୍ତରର ସୁରକ୍ଷା ଦାୟିତ୍ୱ ରାଜ୍ୟ ସଶସ୍ତ୍ର ପୁଲିସ (ଏସ୍‌ଏପି) ଯବାନଙ୍କର । ବ୍ୟାରିକେଡ୍‌ ବାହାରେ ରାଜ୍ୟ ପୁଲିସର ବାହିନୀ ମୁତୟନ ହେବେ । 

 ଭୋଟ ଗଣତି ବେଳେ ଷ୍ଟ୍ରଙ୍ଗରୁମ୍‌ରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ । ଶ୍ରୀ ଧଳ କହିଛନ୍ତି, ଚଳିତ ସାଧାରଣ ନିର୍ବାଚନରେ ରେକର୍ଡ ସଂଖ୍ୟକ ୧୮୫ କମ୍ପାନୀ ସିଏପିଏଫ୍‌ ମୁତୟନ ହୋଇଥିଲେ । ରାଜ୍ୟରେ ଚାରି ପର୍ଯ୍ୟାୟ ମତଦାନ ସରିଛି । ବର୍ତ୍ତମାନ କେବଳ ୨୫ କମ୍ପାନୀ ସିଏପିଏଫ୍‌ ଯବାନମାନେ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌କୁ ଜଗିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସା ଓ ଗଣତି କେନ୍ଦ୍ରର ସୁରକ୍ଷାକୁ ଅତିରିକ୍ତ ୭୦ କମ୍ପାନୀ ସିଏପିଏଫ୍‌ ଫୋର୍ସ ଜଗିବେ । ଏହି ଫୋର୍ସ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ଶ୍ରୀ ଧଳ ସୂଚାଇଛନ୍ତି । 

ଗଞ୍ଜାମ ଜିଲ୍ଲାରେ ଏକ ପୋଷ୍ଟାଲ ବାଲାଟ ଗଣତି କେନ୍ଦ୍ର କରାଯାଇଛି । ସେଠାରେ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ ଭଳି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗୋଟିଏ କମ୍ପାନୀ ସିଏପିଏଫ୍‌ ଓ ୩ ପ୍ଲାଟୁନ୍‌ ରାଜ୍ୟ ସଶସ୍ତ୍ର ପୁଲିସ (ଏସ୍‌ଏପି) ନିୟୋଜିତ ହୋଇଛନ୍ତି । ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ନିର୍ବାଚନ ଜିତିବା ପରେ ପ୍ରାର୍ଥୀମାନଙ୍କ ସେଲିବ୍ରେସନ ଚାଲିବ । ରାଜଧାନୀ ସମେତ କିଛି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀକୁ ଚିହ୍ନଟ କରାଯାଇଛି । ସେସବୁ ସ୍ଥାନରେ କୌଣସି ହିଂସା ଘଟିଲେ, ୧୭ କମ୍ପାନୀ ସିଏପିଏଫ୍‌ ଯବାନ ଆଇନ୍‌ଶୃଙ୍ଖଳା ସ୍ଥିତି ସମ୍ଭାଳିବେ । ସେହିପରି ୯ କମ୍ପାନୀ ରାଜ୍ୟ ସଶସ୍ତ୍ର ପୁଲିସ (ଏସ୍‌ଏପି) ଯବାନ ରାଜ୍ୟ ବାହାରକୁ ନିର୍ବାଚନ ସୁରକ୍ଷା ଡ୍ୟୁଟିରେ ଯାଇଛନ୍ତି । ସେମାନେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟକୁ ଫେରିବେ । ବିଭିନ୍ନ ସମ୍ବେଦନଶୀଳ ଜାଗାରେ ଏମାନଙ୍କୁ ମୁତୟନ କରାଯିବ । 

ରାଜ୍ୟରେ ଚଳିତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବୁଥ୍‌ ଭିତରେ ଓ ବାହାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଣି ଭୋଟ୍‌ ଗଣତି ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ଓ ହିଂସାକାଣ୍ଡ ଘଟିବାର ସମ୍ଭାବନା ରହିଛି । ଯାହାକୁ ଆଖି ଆଗରେ ରଖି ସିଇଓ ବ୍ୟାପକ ବ୍ୟବସ୍ଥା କରିବା ସହିତ ରାଜ୍ୟ ପୁଲିସକୁ ମଧ୍ୟ ପ୍ରସ୍ତୁତ ରହିବାକୁ କହିଛନ୍ତି । ଗତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ସାଲେପୁର ମାଳଶାସନରେ ବୁଥ୍‌ ଭିତରେ ପନିକିରେ ଆକ୍ରମଣ ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟ ଗୁରୁତର ଆହତ ହୋଇଥିଲେ । ନିଆଳି ଜଲାରପୁରରେ ହାତାହାତି ଯୋଗୁଁ ଜଣେ ବିଜେଡି କର୍ମୀ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ । ମାହାଙ୍ଗା ପଣସପୁର, କୁଣ୍ଡି ଓ ହଳଦିଆଠାରେ ମତଦାନ ସମୟରେ ମାର୍‌ପିଟ୍‌ ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ନୀଳକଣ୍ଠପୁର ପଞ୍ଚାୟତର ୩୫ ନମ୍ୱର ବୁଥ୍‌ରେ ବିଜେପି ଜୋନ୍‌ ସଭାପତିଙ୍କୁ ଛୁରାମାଡ଼ ହେବା ସହ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା । 

ଏଭଳି ବିଭିନ୍ନ ସ୍ଥାନରେ ଘଟିଥିବା ବହୁ ରାଜନୈତିକ ହିଂସାକାଣ୍ଡ ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ତାଳପଦା, ବାମନବିନ୍ଧା ଓ ଦୋବଲ ପଞ୍ଚାୟତରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଳପଦାରେ ଚେୟାର୍‌ ଫିଙ୍ଗାଫିଙ୍ଗି ଓ ହାତାହାତି ହୋଇଥିବା ବେଳେ ଚାନ୍ଦବାଲି ଓ ଭଣ୍ଡାରପୋଖରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସବୁ ପରିସ୍ଥିତିକୁ ଦେଖି ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାକୁ ସିଇଓ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.