ନୂଆଦିଲ୍ଲୀ,୧୮/୦୯: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ସରକାର ନିଜର ଆପତ୍ତି ଜାହିର କରିଛନ୍ତି। ଏଥିସହିତ କୁହାଯାଇଛି ଯେ, ଯେଉଁଭଳି ଭାବରେ ଏହାକୁ ବିଚାର କରାଯାଉଛି, ତାହା ଅତ୍ୟନ୍ତ ନୈରାଶ୍ୟଜନକ ଅଟେ। ତେବେ ଏହାର ସମୀକ୍ଷା ଏବଂ ସଂଶୋଧନ ସମ୍ବନ୍ଧରେ ୩୦ ଅଗଷ୍ଟ ୨୦୨୪ ରେ ଭାରତ ଦ୍ବାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯଦି ଆମେ ଏହାର ବ୍ୟବସ୍ଥାକୁ ମଧ୍ୟ ଦେଖିବା, ତେବେ ଆମେ ପାଇବା ଯେ, ଧାରା ୧୨ ର ତୃତୀୟ ଭାଗରେ ଏହା କୁହାଯାଇଛି ଯେ, ଅଭାବକୁ ଦୂର କରିବା ଏବଂ ଉଭୟ ଦେଶର ସାଧାରଣ ସହମତି ଅନୁଯାୟୀ ଏହାକୁ ସମୟ ସମୟରେ ସଂଶୋଧନ କରାଯିବା ଉଚିତ୍।
ସିନ୍ଧୁ ଜଳ ଚୁକ୍ତି, ୧୯୬୦ କୁ ନେଇ କୁହାଯାଇଛି ଯେ, ବର୍ତ୍ତମାନ ଏନେଇ ଏକ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏନେଇ ପାକିସ୍ତାନ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ସୂଚନାନୁସାରେ, ମୌଳିକ ତଥା ଅପ୍ରତ୍ୟାଶିତ ପରିବର୍ତ୍ତନ ବିଷୟରେ ଭାରତ ଉଲ୍ଲେଖ କରିଛି। ଏଥି ସହିତ ସରକାର ମଧ୍ୟ ଏହି ୩ଟି ଦାବିକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ ଏବଂ କହିଥିଲେ ଯେ ଏନେଇ ଅଧିକ ସମୟ ନେବା ଆବଶ୍ୟକ ନାହିଁ।
ପ୍ରଥମତଃ ଜନସଂଖ୍ୟା ବୃଦ୍ଧିର ଗ୍ରାଫ୍ ସହିତ କୃଷିର ଆବଶ୍ୟକତା ଏବଂ ଜଳ ଯୋଗାଣ ମଧ୍ୟ ସେହି ଅନୁଯାୟୀ କରିବାକୁ କୁହାଯାଇଛି। ଦ୍ୱିତୀୟରେ ଏହା ସ୍ପଷ୍ଟ କରାଯାଇଥିଲା ଯେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପ୍ରଗତିର ଆବଶ୍ୟକତା ଅନୁଯାୟୀ ଭାରତ ବିକାଶ କରିବାରେ ସକ୍ଷମ ନୁହେଁ, ଏହାର ସମାଧାନ ମଧ୍ୟ ଜଳ ମାଧ୍ୟମରେ ବାହାରିପାରିବ। ତୃତୀୟରେ ଜାମ୍ମୁ କାଶ୍ମୀରରେ କ୍ରମାଗତ ସୀମା ଆତଙ୍କବାଦର ପ୍ରଭାବକୁ ସୂଚାଇଛି ଯାହା ଚୁକ୍ତିନାମାର ସୁଗମ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଏବଂ ଭାରତର ଅଧିକାରର ସମ୍ପୂର୍ଣ୍ଣ ବ୍ୟବହାରକୁ କ୍ଷୁର୍ଣ୍ଣ କରୁଛି।
ଏହି ତମାମ ଘଟଣାକ୍ରମ ରତଲେ ଏବଂ କିଶନଭଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ପରେ ସାମ୍ନାକୁ ଆସିଛି। ଭାରତୀୟ ଅଧିକାରୀମାନେ କହିଛନ୍ତି ଯେ, ପାକିସ୍ତାନ ମୁଖ୍ୟତଃ ଭାରତୀୟ ପକ୍ଷରେ ଥିବା ସମସ୍ତ ପ୍ରକଳ୍ପରେ ବାଧା ସୃଷ୍ଟି କରୁଛି ଏବଂ ସିନ୍ଧୁ ଜଳ ଚୁକ୍ତ ଅଧୀନରେ ଭାରତର ଉଦାରତାର ଅଯଥା ଲାଭ ଉଠାଇଛି। ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି କାରଣ ବିଶ୍ବ ବ୍ୟାଙ୍କ ସମସ୍ତ ତର୍କକୁ ଖାରଜ କରି ଉଭୟ ନିରପେକ୍ଷ ବିଶେଷଜ୍ଞ ମେକାନିଜିମ୍ ଏବଂ କୋର୍ଟ ଅଫ୍ ଆର୍ବିଟ୍ରେସନ୍କୁ ସକ୍ରିୟ କରିଛନ୍ତି।ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଏହାର ଶେଷ ବୁଝାମଣାରେ ଭାରତ ସରକାର କହିଛନ୍ତି ଯେ ଚୁକ୍ତିନାମାର ବିବାଦର ସମାଧାନ ପାଇଁ ପୁନର୍ବିଚାରର ଆବଶ୍ୟକତା ରହିଛି।