ନୂଆଦିଲ୍ଲୀ, ୧୪/୦୯: ଚୀନର ହୁଲୁନବୁଇରରେ ଚାଲିଥିବା ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଶନିବାର ଏକ ବଡ଼ ମୁକାବିଲା ଦେଖିବାକୁ ମିଳିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଶନିବାର ଶେଷ ରାଉଣ୍ଡ ମ୍ୟାଚ୍ ପରେ ସେମି ଫାଇନାଲ ରାଉଣ୍ଡ ଚୂଡ଼ାନ୍ତ ହୋଇଯିବ। ଭାରତ ପୂର୍ବରୁ ସମସ୍ତ ୪ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ସର୍ବାଧିକ ୧୨ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନ ସହ ସେମି ଫାଇନାଲକୁ ଉନ୍ନୀତ ହୋଇ ସାରିଛି । ପାକିସ୍ତାନ ୨ଟି ମ୍ୟାଚ୍ ଜିତିଥିବାବେଳେ ୨ଟି ଡ୍ର’ ରଖି ମୋଟ୍ ୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଭାରତ ଅପରାଜେୟ ସହ ଗ୍ରୁପ୍ ପର୍ଯ୍ୟାୟ ଶେଷ କରିବା ନେଇ ଲକ୍ଷ୍ୟ ରଖିଛି । ତେଣୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେବା ନେଇ ପ୍ରସ୍ତୁତ ରହିଛି । ପୂର୍ବରୁ କୋରିଆ, ମାଲେସିଆ, ଜାପାନ ଏବଂ ଚୀନକୁ ପରାଜିତ କରିଛି । ଏହି ୪ଟି ମ୍ୟାଚ୍ରେ ଦଳ ମୋଟ୍ ୧୯ଟି ଗୋଲ୍ ଦେଇଛି । ମାଲେସିଆ ବିପକ୍ଷରେ ସର୍ବାଧିକ ୮ଟି ଗୋଲ୍ ଦେଇଥିଲା । ପାକିସ୍ତାନ ୨-୧ରେ ଜାପାନକୁ ଏବଂ ୫-୧ରେ ଚୀନକୁ ହରାଇଥିଲା । ଅନ୍ୟ ୨ଟି ମ୍ୟାଚ୍ ମାଲେସିଆ ଓ କୋରିଆ ସହ ଅମୀମାଂସିତ ରଖିଥିଲା ।
ଯାହାବି ହେଉ, ଦୁଇ ଦଳ ମଧ୍ୟରେ ଶନିବାର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ଭାରତ କିନ୍ତୁ ପୂର୍ବ ପ୍ରଦର୍ଶନ ଅନୁସାରେ ଏହି ମ୍ୟାଚ୍ ଜିତିବା ନେଇ ଦାବିଦାର ରହିଛନ୍ତି । ସେହିପରି ଶନିବାର ମାଲେସିଆକୁ ଦକ୍ଷିଣ କୋରିଆ ଏବଂ ଚୀନକୁ ଜାପାନ ଭେଟିବାର କାର୍ଯ୍ୟକ୍ରମ ରହିଛି।