ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖସୁଛି ଭାରତର ପ୍ରଜନନ ହାର, ୧୯୫୦ରେ ଥିଲା ୨.୬ ପ୍ରତିଶତ

ଭୁବନେଶ୍ଵର, ୨୨/୦୩ : ଭାରତର ପ୍ରଜନନ ହାର ହ୍ରାସ ପାଉଛି । ୧୯୫୦ ମସିହାରୁ ୨୦୨୧ ମସିହା ମଧ୍ୟରେ ଦେଶର ପ୍ରଜନନ ହାର ୬.୨ରୁ ୨ ପ୍ରତିଶତକୁ ଖସିଛି । ୨୦୫୦ ମସିହା ବେଳକୁ ଏହି ହାର ୧.୨୯ ଏବଂ ୨୧୦୦ ମସିହା ବେଳକୁ ୧.୦୪କୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଲାନ୍‌ସେଟ ପତ୍ରିକାରେ ପ୍ରକାଶିତ ସଦ୍ୟତମ ବିଶ୍ୱସ୍ତରୀୟ ଅନୁସନ୍ଧାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ସଂଖ୍ୟା ବିଶ୍ୱସ୍ତରୀୟ ପ୍ରଜନନ ପ୍ୟାଟର୍ନ ସହ ତାଳ ଦେଇ ହ୍ରାସ ପାଉଛି । ୧୯୫୦ ମସିହାରେ ବିଶ୍ୱର ମୋଟ୍‌ ପ୍ରଜନନ ହାର ପ୍ରତି ମହିଳା ପିଛା ପିଲାଙ୍କ ସଂଖ୍ୟା ୪.୮ ପ୍ରତିଶତକୁ ଅଧିକ ଥିଲା । ୨୦୨୧ ମସିହାରେ ଏହା ହ୍ରାସ ପାଇ ପ୍ରତି ମହିଳାଙ୍କ ପିଛା ପିଲାଙ୍କ ସଂଖ୍ୟା ୨.୨ ହେଲା । ଏହି ସଂଖ୍ୟା ୨୦୫୦ ଓ ୨୧୦୦ ମସିହା ବେଳକୁ ଯଥାକ୍ରମେ ୧.୮ ଓ ୧.୬ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି । 

ଅଧ୍ୟୟନରୁ ଜଣାପଡ଼ିଲା, ୨୦୨୧ ମସିହାରେ ବିଶ୍ୱରେ ୧୨.୯ କୋଟି ଶିଶୁ ଜନ୍ମ ହୋଇଥିଲେ । ୧୯୫୦ ମସିହାଠାରୁ ଏହି ସଂଖ୍ୟାରେ ପ୍ରାୟ ୯.୩ କୋଟି ବୃଦ୍ଧି ହୋଇଥିବାବେଳେ ୨୦୧୬ ମସିହାରେ ୧୪.୨ କୋଟି ଶିଖରକୁ ପହଞ୍ଚିବା ପରେ ପତନ ହୋଇଛି । ଭାରତରେ ୧୯୫୦ ମସିହାରେ ୧.୬ କୋଟିରୁ ଅଧିକ ଶିଶୁ ଏବଂ ୨୦୨୧ ମସିହାରେ ୨.୨ କୋଟିରୁ ଅଧିକ ଶିଶୁ ଜନ୍ମ ହୋଇଥିଲେ । ୨୦୫୦ ମସିହାରେ ଏହି ସଂଖ୍ୟା ୧.୩ କୋଟିକୁ ହ୍ରାସ ପାଇବ ବୋଲି ଅଧ୍ୟୟନ ଅନୁମାନ କରିଛି । ପୃଥିବୀର ଅଧିକାଂଶ ଦେଶ କମ୍‌ ପ୍ରଜନନ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ଅନେକ କମ୍‌ ଆୟଯୁକ୍ତ ଦେଶ ଏକବିଂଶ ଶତାବ୍ଦୀରେ ଉଚ୍ଚ ପ୍ରଜନନ ସମସ୍ୟାର ସମ୍ମୁଖୀନ ହେବେ । ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ (ଜିବିଡି) ୨୦୨୧ ଫର୍ଟିଲିଟି ଆଣ୍ଡ ଫୋର୍‌କାଷ୍ଟିଂ କୋଲାବରେଟର୍ସର ଅନୁସନ୍ଧାନକାରୀମାନେ ଏହା କହିଛନ୍ତି । ଅନୁସନ୍ଧାନକାରୀ ଅନୁମାନ କରିଛନ୍ତି, ଖାସ୍‌କରି ପାଶ୍ଚାତ୍ୟ ଓ ପୂର୍ବ ଉପ- ସାହାରା ଆଫ୍ରିକାର ନିମ୍ନ-ଆୟଯୁକ୍ତ କ୍ଷେତ୍ରରେ ଉଚ୍ଚ ପ୍ରଜନନ ଯୋଗୁ ବିଶ୍ୱ ଜନସଂଖ୍ୟା ମାମଲାରେ ବିଭାଜିତ ହେବ । ନିମ୍ନ-ଆୟଯୁକ୍ତ ଦେଶ ସମେତ ବିଶ୍ୱର ସବୁଠୁ ଗରିବ ଦେଶମାନଙ୍କରେ ଅଧିକାଂଶ ଶିଶୁ ଜନ୍ମ ନେବେ । ଏହା ଫଳରେ ବିଶ୍ୱର ଶିଶୁ ଜନ୍ମହାର ୨୦୨୧ ମସିହାରୁ ୨୧୦୦ ମସିହା ମଧ୍ୟରେ ୧୮ ପ୍ରତିଶତରୁ ୩୫ ପ୍ରତିଶତ ଆପାତତଃ ଦୁଇଗୁଣ ହେବ । 

ଜଳବାୟୁ ପରିବର୍ତ୍ତନ ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ଉଚ୍ଚ ପ୍ରଜନନ ହାରଯୁକ୍ତ ନିମ୍ନ-ଆୟବର୍ଗ ଅନେକ ଦେଶ ବାରମ୍ବାର ବନ୍ୟା, ମରୁଡ଼ି ଓ ଚରମ ଉତ୍ତାପର ସମ୍ମୁଖୀନ ହେବେ । ଏ ସମସ୍ତ ଦେଶ ଉତ୍କଟ ଖାଦ୍ୟ, ଜଳ ଓ ଅନ୍ୟ ଉତ୍ସଗୁଡ଼ିର ସଙ୍କଟ ସାମ୍ନା କରିବେ । ସେତିକି ନୁହେଁ, ଉତ୍ତାପ ସମ୍ପର୍କିତ ଅସୁସ୍ଥତା ଓ ମୃତ୍ୟୁ ଆଶଙ୍କା ମଧ୍ୟ ନାଟକୀୟ ରୂପେ ବୃଦ୍ଧି ପାଇବ । ବିଶ୍ୱ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଜନନ ହାର ଅର୍ଥନୀତି, ରାଜନୀତି, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଗମ୍ଭୀର ପ୍ରବାଭ ପକାଇବ ବୋଲି ଅଧ୍ୟୟନରେ ଗବେଷକମାନେ ଚେତାଇ ଦେଇଛନ୍ତି । ମଧ୍ୟରୁ ନିମ୍ନ-ଆୟଯୁକ୍ତ ବନାମ ନିମ୍ନ-ଆୟଯୁକ୍ତ କ୍ଷେତ୍ର ଦ୍ୱାରା ଅନୁଭବ କରାଯାଇଥିବା ପ୍ରଭାବ ମଧ୍ୟରେ ସ୍ପଷ୍ଟ ଜନସାଂଖ୍ୟିକ ବିଭାଜନ ମାଧ୍ୟମରେ ସେମାନେ ଏହି ଚିତ୍ର ଦର୍ଶାଇଛନ୍ତି । ବୟସ୍କ ଜନସଂଖ୍ୟା ବୃଦ୍ଧି ଆହ୍ୱାନର ମୁକାବିଲା ନିମନ୍ତେ ସରକାର ଯେପର୍ଯ୍ୟନ୍ତ ଅଭିନବ ଉପାୟ ଆପଣେଇ ନାହାନ୍ତି, ଏହି ଜନସାଂଖ୍ୟିକ ବିଭାଜନ ଜାତୀୟ ସ୍ୱାସ୍ଥ୍ୟ ବୀମା, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଅଧିକ ଚାପ ପକାଇବ । ଉଚ୍ଚ ପ୍ରଜନନ ହାରଯୁକ୍ତ ନିମ୍ନ-ଆୟବର୍ଗ କ୍ଷେତ୍ରରେ ଜନ୍ମହାରକୁ ସୀମିତ କରିବା ପାଇଁ ଅନୁସନ୍ଧାନକାରୀମାନେ ନାରୀ ଶିକ୍ଷା ଓ ଜନ୍ମ ନିୟନ୍ତ୍ରଣ ପଦ୍ଧତିଗୁଡ଼ିକ ବିଷୟରେ ସଚେତନତା ଉପରେ ଜୋର ଦେଇଛନ୍ତି । ସେମାନଙ୍କ ଅନୁସାରେ, ଏହି ଦୁଇଟି ପ୍ରଜନନର ମୁଖ୍ୟ କାରକ । ବିଶ୍ୱସ୍ତରରେ ପ୍ରଜନନ ହାର ହ୍ରାସ ପାଉଥିବାବେଳେ ଆଗାମି ଅଦେଶ ଦଶନ୍ଧିରେ ପ୍ରଜନନ ହାର ଦ୍ରୁତ ହ୍ରାସ ପାଇବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.