କୋକସରା/ଜୟପାଟଣା ୧/୯- ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣରୁ କଳାହାଣ୍ଡି ଜିଲ୍ଲାର ଅନେକ ବ୍ଲକରେ ନିଆଣ୍ଟିଆ ବର୍ଷା ଯୋଗୁଁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ଚଳିତ ବର୍ଷ ସର୍ବନିମ୍ନ ସ୍ତରକୁ ପହଞ୍ଚିଥିବା ସୂଚନା ମିଳିଛି। ଚଳିତ ବର୍ଷ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲ୍ଲାର ୪୮୦ ଗୋଟି ଗାଁର ୧,୧୭,୦୯୬ ହେକ୍ଟର ଚାଷଜମିକୁ ଜଳସେଚନ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବାବେଳେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଦ୍ୟାବଧି ୩୦ ପ୍ରତିଶତ ଜଳ ଅର୍ଥାତ ୬୩୧.୪୯ ମି. ରେ ରହି ସର୍ବକାଳୀନ ସର୍ବନିମ୍ନ ଜଳସ୍ତର ପହଞ୍ଚିଥିବା ସୂଚନା ମିଳିଛି। ଆଗାମୀ ଦିନରେ ଭଲ ବର୍ଷା ନହେଲେ ଅଣ ଜଳସେଚିତ ଅଞ୍ଚଳ ସହ ଜଳସେଚିତ ଅଞ୍ଚଳରେ ମରୁଡି ସ୍ଥିତି ଦେଖା ଦେବା ନେଇ ଆଶଙ୍କା ଦେଖାଦେଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୬୪୨ ମି ଅର୍ଥାତ ୧,୧୮,୫୫୦ ହେକ୍ଟର ମିଟର ରହିଛି। ଜଳଭଣ୍ଡାର ବିଗତ ୨୦ ବର୍ଷ ମଧ୍ୟରେ ୧୧ ଥର ସର୍ବୋଚ୍ଚ ସୀମାକୁ ଅତିକ୍ରମ କରିଥିବାବେଳେ ଅନ୍ୟାନ୍ୟ ବର୍ଷ ମାନଙ୍କରେ କମ ବର୍ଷା ଯୋଗୁଁଜଳ ପତ୍ତନ ସର୍ବୋଚ୍ଚ ସୀମାରୁ କମ ରହିଥିଲା। ଚଳିତ ବର୍ଷ ସର୍ଵ କାଳୀନ ରେକର୍ଡ ଭାଙ୍ଗି ଅଗଷ୍ଟ ୩୧ ତାରିଖ ସୁଦ୍ଧା ୬୩୧.୪୯ମି ଅର୍ଥାତ ୩୦.୨୩ ପ୍ରତିଶତ ରେ ରହିଥିବାରୁ ଆଗାମୀ ବର୍ଷା ଓ ଜଳ ସଂରକ୍ଷଣକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ନିଆଣ୍ଟିଆ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଠାରୁ ପର୍ଯ୍ୟାୟ କ୍ରମେ ଇନ୍ଦ୍ରାବତୀ ବାମ, ଦକ୍ଷିଣ କେନାଲରେ ଜଳସେଚନ କରାଯିବା ନେଇ ସୂଚନା ଜାରି ହୋଇଛି ଓ ଏଥିପାଇଁ ଚାଷୀମାନଙ୍କୁ ଜଳ ପରିଚଳନାରେ ସହଯୋଗ କରିବାକୁ ନିବେଦନ କରାଯାଇଛି।