ନୂଆଦିଲ୍ଲୀ ୨୪/୦୯: ପାକିସ୍ତାନୀ ଗାୟିକା ଓ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ରାବେକା ଖାନ୍ ଅଭିନବ ଉପାୟରେ ନିଜର ୨୦ତମ ଜନ୍ମଦିନ ପାଳନ କରିଛନ୍ତି । ଏଥିଲାଗି ସେ କ୍ରେନ୍ରୁ ଝୁଲି ମଝି ଆକାଶରେ ଫଟୋସୁଟ୍ କରାଇଥିଲେ । ଏହି ସମୟରେ ରେବେକା ଏକ ସୁନ୍ଦର ନାରଙ୍ଗୀ ରଙ୍ଗର ଡ୍ରେସ୍ ପିନ୍ଧିଥିବାବେଳେ ତାଙ୍କ ଚାରିପଟେ ମ୍ୟାଚିଂ ରଙ୍ଗର ବେଲୁନ୍ ସଜାଯାଇଥିବା ଦେଖିବାକୁ ମିଳିଥିଲା । ପୋଷ୍ଟ୍ ହେବାର କିଛି ସମୟ ମଧ୍ୟରେ ତାଙ୍କର ପରୀ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କର ୮ ନିୟୁତ ଇନ୍ଷ୍ଟାଗ୍ରାମ ଫଲୋଅର ପ୍ରାଥମିକ ଭାବେ ଏହା ଫଟୋ ଏଡିଟିଂ ମାଧ୍ୟମରେ ହୋଇଥିବା ଭାବିଥିଲେ ।
କାରଣ ସେ ଅତି ସାବଲୀଳ ଭାବେ ବେଲୁନ୍କୁ ଧରି ପୋଜ୍ ଦେଇଥିବା ଦେଖିବାକୁ ମିଳିଥିଲା । ପରେ ଖାନ୍ ନିଜେ ଏକ ଭିଡିଓ ପୋଷ୍ଟ କରି ପ୍ରକୃତ ସତ ପ୍ରକାଶ କରିଥିଲେ । ସେହି ଭିଡିଓରେ ସେ କ୍ୟାମେରାକୁ ପୋଜ୍ ଦେଉଥିବାବେଳେ ଏକ କ୍ରେନ୍ ସହାୟତାରେ ଧୀରେ ଧୀରେ ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋସୁଟ୍ ଖୁବ୍ ଚାଲେଞ୍ଜିଂ ଥିବାବେଳେ ଜନ୍ମଦିନକୁ ନିଆରା ଭାବେ ପାଳନ କରିବା ଉଦ୍ଦେଶ୍ୟରେ ସେ ଏପରି ନିଷ୍ପତ୍ତି ନେଇଥିବା କହିଥିଲେ । ତେବେ ତାଙ୍କର ଏପରି ବିପଜ୍ଜନକ ଷ୍ଟଣ୍ଟକୁ ସୋସିଆଲ୍ ମିଡିଆରେ ଅନେକ ୟୁଜର ସମାଲୋଚନା କରିଛନ୍ତି ।