ବାଗ୍ଦାଦ,୨୯/୦୪: ଇରାକରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣ କରିବା ଲାଗି ଆଗତ ବିଲ୍ ସଂସଦରେ ପାରିତ ହୋଇଛି । ସମଲିଙ୍ଗୀ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ବୋଲି ଏଥିରେ ପ୍ରାବଧାନ ରହିଛି । ଏହି ଆଇନକୁ ସମର୍ଥନ କରୁଥିବା ଇରାକ ବାସିନ୍ଦାଙ୍କ ଅନୁସାରେ, ନୂଆ କାନୁନ ଦ୍ୱାରା ଦେଶର ଧାର୍ମିକ ଭାବନା ସୁରକ୍ଷିତ ରହିପାରିବ ।
ଆଇନରେ ଆହୁରି ରହିଛି ଯେ, ଇରାକରେ ସମଲୈଙ୍ଗିକତା କିମ୍ବା ଗଣିକାବୃତ୍ତିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଏବଂ ଲିଙ୍ଗ ପରିବର୍ତ୍ତନ କରୁଥିବା ଡାକ୍ତରଙ୍କୁ ମଧ୍ୟ ଜେଲରେ ଭର୍ତ୍ତି କରାଯିବ । ଜାଣିଶୁଣି ମହିଳାଙ୍କ ପରି ବ୍ୟବହାର କରୁଥିବା ପୁରୁଷ, ୱାଇଫ୍ ସ୍ୱାଇପ୍ ବା ସ୍ତ୍ରୀଙ୍କୁ ଅଦଳବଦଳ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନୂଆ ଆଇନ ବଳରେ ଦଣ୍ଡିତ କରାଯିବ । ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି । ଇରାକରେ ୧୯୮୦ ମସିହାର ପ୍ରଷ୍ଟିଚ୍ୟୁସନ ବା ଗଣିକା ବୃତ୍ତି ସମ୍ବନ୍ଧୀୟ ଆଇନରେ ପରିବର୍ତ୍ତନ କରାଯାଇ ସେଥିରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଯୋଡ଼ା ଯାଇଥିଲା । ଏହାକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ବିରୋଧରେ କରିବା ପରେ ଏଥିରେ ପୁଣି ସଂଶୋଧନ କରାଯାଇଛି ।
ଇରାକ ସାଂସଦ ଆମିର-ଅଲ୍-ମାମୁରି କହିଛନ୍ତି, ଇସ୍ଲାମ ଏବଂ ସାମାଜିକ ମୂଲ୍ୟବୋଧ ବିରୋଧରେ ଯାଉଥିବା ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବା ଲାଗି ଏହି ଆଇନ ଜରୁରି ଥିଲା । ତେବେ ଇରାକର ଏହି ଆଇନକୁ ଆମେରିକା ଏବଂ ୟୁରୋପୀୟ ସଂଘ ବିରୋଧ କରିଛି । ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏପରି ଆଇନ ମାନବାଧିକାରର ଉଲ୍ଲଂଘନ । ଏହାର ପ୍ରଭାବ ଇରାକର ଅର୍ଥନୀତି ଏବଂ ବିଦେଶୀ ନିବେଶ ଉପରେ ପଡ଼ିବ । ବ୍ରିଟେନ ବିଦେଶ ମନ୍ତ୍ରୀ ଡେଭିଡ୍ କ୍ୟାମରୁନ କହିଛନ୍ତି, ଏହି ଆଇନ ବିପଜ୍ଜନକ ଏବଂ ଚିନ୍ତାଜନକ ମଧ୍ୟ ।
କୌଣସି ବ୍ୟକ୍ତିଙ୍କୁ ତାଙ୍କ ଲିଙ୍ଗଗତ ପରିଚୟ ଆଧରରେ ଟାର୍ଗେଟ କରାଯାଇପାରିବ ନାହିଁ । ଇରାକ ସରକାର ଦେଶର ସବୁ ନାଗରିକଙ୍କ ମାନବାଧିକାର ଏବଂ ସ୍ୱାଧୀନତାକୁ ବଜାୟ ରଖିବାକୁ ସେ ଅପିଲ କରିଛନ୍ତି । ଭାରତ ସମେତ ଅନେକ ଦେଶରେ ଏଲ୍ଜିବିଟିକ୍ୟୁ ସମୁଦାୟ ବିବାହ ଅଧିକାର ପାଇଁ ଲଢ଼େଇ କରୁଛନ୍ତି । ଦୀର୍ଘ ଦିନର ସଂଘର୍ଷ ପରେ ଫ୍ରାନ୍ସ,ଜର୍ମାନୀ, ବେଲ୍ଜିୟମ, ଆମେରିକା ସମେତ ଦୁନିଆର ୩୧ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଛି । ଭାରତରେ ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରିଥିଲେ ହେଁ ଏ ଯାଏ ବିବାହ ପାଇଁ ଅନୁମତି ମିଳିନି ।