ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ୱିନ୍‌ ସିଟିରେ କାଳବୈଶାଖୀ ତାଣ୍ଡବ: ବାଦଲ ଫଟା ବର୍ଷାରେ ସହର ଉବୁଟୁବୁ, ଘରେ ପଶିଲା ପାଣି, ଲୋକେ ନୟାନ୍ତ

ଭୁବନେଶ୍ୱର,୧୨/୦୫: କୁଆଡ଼େ କିଛି ନଥିଲା । ହାଲୁକା ପବନ ଦେଉଥିଲା । କିଛି ସମୟ ଭିତରେ ମେଘ ଖଣ୍ଡ ଏକାଠି ହେଲେ । ହଠାତ୍‌ ଆକାଶରୁ ଦୁଲ୍‌ଦୁଲ୍‌ ହୋଇ କାଚିଲା ବର୍ଷା । କରେଣ୍ଟ ଉଭାନ୍‌ ହୋଇଗଲା । ବାଣ ଫୁଟିଲା ଭଳି ବଜ୍ରପାତ କାନ ତାବ୍‌ଦା କରି ଦେଲା । ସିରିଜ୍‌ ବଜ୍ରପାତରେ ସହର ପଡ଼ିଲା ଆଉ ଉଠିଲା ।

ମଝି ରାତିରେ କଟକ ଓ ଭୁବନେଶ୍ୱରରେ ବର୍ଷା ବିତ୍ପାତ ନାକେଦମ୍‌ କରିଥିଲା । କାଳବୈଶାଖୀ ପ୍ରଭାବରେ ମୂଷଳଧାରାରେ ବର୍ଷିଲା । ଘଣ୍ଟାଏ ଯାଏ ନନଷ୍ଟପ୍‌ ବର୍ଷିଥିଲା । କିଛି ସମୟ ଭିତରେ ରାଜଧାନୀର ତାପମାତ୍ରା ୮.୩ ଡିଗ୍ରୀ ଖସି ଯାଇଥିଲା । ୧୧ଟା ୫୬ ମିନିଟ୍‌ରେ ଭୁବନେଶ୍ୱରରେ ୩୦ କିଲୋ ଆମ୍ପସ୍‌ (କେଏ) କ୍ଷମତା ବିଶିଷ୍ଟ ପ୍ରଚଣ୍ଡ  ଓ ଭୟଙ୍କର ବଜ୍ରପାତ ପଡ଼ିଥିଲା ।

ଖାଲି ତଳିଆ ଅଞ୍ଚଳ ନୁହେଁ ରାଜଧାନୀର ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି  ଚାଲିଲା । ନୂଆପଲ୍ଲୀ ଅଞ୍ଚଳ ପାଣିରେ ଉବୁଟୁବୁ ହେଲା । ଜିଜିପି କଲୋନୀରେ ରାସ୍ତା ଭାସି ଘରେ ଯାଇ ପାଣି ପଶିଲା । ରାଜୀବ ନଗରରେ ରାସ୍ତା ଉପରେ ପାଣିର ସୁଅ ଚାଲିଥିଲା । ବିଧାନସଭା ଆଗରେ ଲହଡ଼ି ଖୋଳୁଥିଲା ପାଣିର ସୁଅ । 

ଆଚାର୍ଯ୍ୟବିହାର, ଜୟଦେବ ବିହାର, ରସୁଲଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, କଟକ ରୋଡ୍‌, ଜାଗମରା, ଶିରିପୁର ଜାଗମରା ରୋଡ୍‌ରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲିଥିଲା । ଲକ୍ଷ୍ମୀସାଗର ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଅନେକ କାର ଭିତରେ ପାଣି ପଶିଯାଇଛି । ଝାରପଡ଼ା ଜେଲ୍‌ ରୋଡ୍‌ରେ ପାଣିର ସୁଅ ଏଭଳି ଚାଲିଥିଲା ଏହାକୁ କାଟି ଗାଡ଼ି ଚାଲିବା ସମ୍ଭବ ହୋଇନଥିଲା । ସିଟି ୱିମେନ୍ସ କଲେଜ ଛକରେ ପାଣିର ପ୍ରଚଣ୍ଡ ସୁଅରେ ଜଣେ ପାଣି ଆରୋହୀ ଖସି ପଡ଼ି ଆହତ ହୋଇଛନ୍ତି ।

ସବୁଠୁ ବଳିଯାଇଥିଲା ଇସ୍କନ୍‌ ମନ୍ଦିର ଆଗର ସ୍ଥିତି । ରାତି ଯୋଗୁ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ କମ୍‌ ଥିଲା ତଥାପି ଅନେକ ରାତି କୋଚ୍‌ ବସ୍‌ ଓ କାର୍‌ ପାଣି ଭିତରେ ଫସି ରହିଥିଲେ ।

ରାତି ଅଧିଆ ଏହି ବର୍ଷାରେ ସବୁଠୁ ବେଶି କଲବଲ୍‌ ହୋଇଛନ୍ତି ବସ୍ତି ବାସିନ୍ଦା । କାହା ଘର କାନ୍ଥ ଶୋଇପଡ଼ିଛି ତ ଆଉ କାହା ଆଜବେଷ୍ଟସ୍‌ ଉପରେ ଗଛ ଡାଳ ଆସି ପଡ଼ିଥିଲା । ଅନେକ ବସ୍ତିରେ ଘର ଭିତରେ ପାଣି ପଶି ଯାଇଥିଲା । ୟୁନିଟ୍‌ ଅଞ୍ଚଳରେ ଚାମ୍ବରରୁ ପାଣି ଉଛୁଳି ଲୋକଙ୍କ ଘରେ ପଶିଥିଲା । ଛୋଟରୁ ବଡ଼ ସମସ୍ତେ ଜଳ ଯନ୍ତ୍ରଣାରେ ନାକେଦମ୍‌ ହୋଇଥିଲେ । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦ ଛାତି ଥରାଇ ଦେଉଥିଲା । ଘଣ୍ଟାକୁ ପ୍ରାୟ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହୁଥିଲା । ବର୍ଷା ପାଇଁ ଲାଇନ୍‌ କଟିଲା ଯେ, ବର୍ଷା ଛାଡ଼ିବା ପରେ ବି ଦେଖା ମିଳିଲାନି । ପୁର ଅନ୍ଧାରରେ ରାତି ପାହିଯାଇଥିଲା ।

ରାଜଧାନୀରେ ଶନିବାର ମାତ୍ର ଘଣ୍ଟାଏ ଯାଏ ହୋଇଥିବା ଏ ବର୍ଷାରେ ସହରର ବିପର୍ଯ୍ୟୟ ଡ୍ରେନେଜ୍‌ ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଚାଲି ଆସିଥିଲା । ନିର୍ବାଚନ ପାଇଁ ନେତା ପ୍ରତିଶ୍ରୁତି ବର୍ଷା କରୁଥିବା ବେଳେ ଅସଲ ବର୍ଷାର ଦୁର୍ଦ୍ଦଶା ଭୋଗିଛନ୍ତି ରାଜଧାନୀବାସୀ ।

ଆସନ୍ତା ୧୫ ତାରିଖ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

କଟକର କେଶରପୁର, ଓଡ଼ିଆ ବଜାର, ପଟାପୋଲ, ଗହ୍ମାଡ଼ିଆ, ସାଆନ୍ତସାହି, ସେମିନାରୀ ଛକ, ପିଠାପୁରର କିଛି ଅଂଶ, ମାନସିଂହପାଟଣା, ତୁଳସୀପୁର ୱେୟାରଲେସ୍‌ ଅଫିସ ପାଖ ଓ କେବିକେ ରୋଡ୍‌ ଭଳି ଅଞ୍ଚଳରେ ପାଣି ଜମି ଯାଇଥିଲା । ଅରୁଣୋଦୟ ନଗରଠୁ ବାଦାମବାଡ଼ି ଅଞ୍ଚଳ ପାଣିରେ ଉବୁଟୁବୁ ହୋଇଥିଲା । ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ର ଅନେକ ବିଭାଗରେ ପାଣି ଲହଡ଼ି ଭାଙ୍ଗୁଥିଲା । ଆଚାର୍ଯ୍ୟ ହରିହର କକର୍ଟ କେନ୍ଦ୍ର ପରିସରରେ ବି ପାଣି ପଶିଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.