ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୨ ବର୍ଷ ପରେ ଘରକୁ ଫେରିଲେ ଅପହୃତ ପୁଅ, ୭ ବର୍ଷ ବୟସରେ ହୋଇଯାଇଥିଲେ ନିଖୋଜ

ନୂଆଦିଲ୍ଲୀ ୦୩/୦୬: ଅନେକ ସମୟରେ ବଲିଉଡ୍‌ ଫିଲ୍ମରେ ଦୀର୍ଘବର୍ଷ ଧରି ନିଖୋଜ ଥିବା ବ୍ୟକ୍ତି ପୁଣି ଫେରିବାର ଦୃଶ୍ୟ ଦେଖାଯାଇଥାଏ । ଉତ୍ତରପ୍ରଦେଶ ସାହାରନ୍‌ପୁରରେ ଏବେ ସେହିଭଳି ଏକ ଘଟଣା ଘଟିଛି । ୭ ବର୍ଷ ବୟସରେ ଅପହୃତ ହୋଇଥିବା ଅମିତ ଦୀର୍ଘ ୨୨ ବର୍ଷ ପରେ ଆଜି ନିଜ ପରିବାରକୁ ଭେଟିଛନ୍ତି । ହରିଆଣା ପୁଲିସର ଜଣେ ଏଏସ୍‌ଆଇଙ୍କ ମାଧ୍ୟମରେ ପରିବାରକୁ ଭେଟିବା ଲାଗି ତାଙ୍କର ସ୍ୱପ୍ନ ପୂରଣ ହୋଇଛି ।

ଅମିତଙ୍କୁ ୨୦୦୨ ମସିହାରେ ମାତ୍ର ୭ ବର୍ଷ ବୟସରେ ଅପହରଣ କରି ନିଆଯାଇଥିଲା । ମା’ଙ୍କ କଥା ଅନୁସାରେ ସେ ଘର ନିକଟସ୍ଥ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ । କିନ୍ତୁ ରାସ୍ତାରେ ତାଙ୍କୁ କେହି ଅପହରଣ କରିନେଇଥିଲେ । ଆଖି ଖୋଲିବା ବେଳକୁ ସେ ମହାରାଷ୍ଟ୍ରର ମୁମ୍ବାଇରେ ଥିଲେ । ପରେ ଜୀବନ ବଞ୍ଚାଇବା ଲାଗି ଭିକ ମାଗିଥିଲେ । ଅନ୍ୟାନ୍ୟ ବହୁ ଛୋଟ ମୋଟ କାମ କରିଥିଲେ । ନିଜ ଘର, ପରିବାର ସଂପର୍କରେ ଠିକ୍‌ ଭାବେ କାହାରିକୁ କହି ନପାରିବା ଯୋଗୁ ତାଙ୍କୁ କେହି ସାହାଯ୍ୟ ବି କରିପାରିନଥିଲେ । ପରବର୍ତ୍ତୀ ସମୟରେ ଅମିତ ଦିଲ୍ଲୀ ପଳାଇ ଯାଇଥିଲେ । ଦିଲ୍ଲୀ ପୁଲିସ ତାଙ୍କୁ ଶିଶୁ ଗୃହରେ ଛାଡ଼ି ଦେଇଥିଲା । ସେଠାରେ ସେ ୫ ବର୍ଷ ରହିଥିଲେ । ଏହାପରେ ପାଠପଢ଼ା ଆରମ୍ଭ କରି ଦଶମ ଶିକ୍ଷା ଶେଷ କରିଥିଲେ । ପରେ ଏକ ଛୋଟ ଚାକିରି ପାଇଥିଲେ । ନିଜ ହାତକୁ କିଛି ଅର୍ଥ ଆସିଯିବା ପରେ ସେ ପୁଣି ପରିବାରକୁ ସନ୍ଧାନ ଆରମ୍ଭ କଲେ । 

ତାଙ୍କୁ କେବଳ ଘର ପାଖ ଛକର ନାମ ଜଣାଥିଲା । ଏପରିସ୍ଥଳେ ସେ ଘରର ସନ୍ଧାନ କରିପାରିଲେ ନାହିଁ । ପରେ ସେ ୟୁପିର ଗାଜିଆବାଦରୁ ଆସିଥିବା ହରିଆଣା ପୁଲିସର ଏଏସ୍‌ଆଇ ରାଜେଶ କୁମାରଙ୍କୁ ଭେଟିଥିଲେ । ରାଜେଶ ତାଙ୍କୁ ପରିବାରର ସନ୍ଧାନ ଲାଗି ସହାୟତାର ହାତ ବଢ଼ାଇଲେ । ସେ ହରିଆଣା ପୁଲିସର ମାନବଚାଲାଣ ର‌୍ୟାକେଟ୍‌ ନିରୋଧୀ ୟୁନିଟ୍‌ରେ ସେବା ଦେଉଥିବା ଯୋଗୁ ବହୁ ଲୋକ ତାଙ୍କ ସହିତ ଯୋଗାଯୋଗରେ ଥିଲେ । ରାଜେଶ ସେମାନଙ୍କ ସହିତ ସଂପର୍କ କରିବା ସହିତ ସୋସିଆଲ୍‌ ମିଡିଆର ସାହାଯ୍ୟ ନେଇ ଅମିତଙ୍କୁ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚାଇଲେ । ଆଜି ଅମିତ ପରିବାର ଲୋକଙ୍କୁ ଭେଟିବା ପରେ ସେଠାରେ ଏକ ଅତି ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ମିଳନ ସମୟରେ ଅମିତଙ୍କ ସହିତ ତାଙ୍କର ପରିବାର ଲୋକେ ମଧ୍ୟ ଖୁସିରେ କାନ୍ଦିଥିଲେ । ସେମାନେ ସମସ୍ତେ ଏଏସ୍‌ଆଇ ରାଜେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.