ନୂଆଦିଲ୍ଲୀ,୯।୯:ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କୋର୍ଟ। ସୋମବାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ପୁଲିସକୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ଉପରେ ପ୍ରଶ୍ନ ପଚାରିଛନ୍ତି। ଏହା ସହ କହିଛନ୍ତି ଏଭଳି ଏକ ସଙ୍ଗୀନ ମାମଲା ନେଇ ଏଫ୍ଆଇଆର ଦେବାକୁ କାହିଁକି ୧୪ ଘଣ୍ଟା ଲାଗିଲା ? ସୋସିଆଲ ମିଡିଆରେ ପୀଡିତା ଡାକ୍ତରଙ୍କ ଫଟୋ ଭାଇରାଲ ହେଉଥିବା ନେଇ କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏହାସହ ନିର୍ଦେଶ ଦେଇଛନ୍ତି ତୁରନ୍ତ ପୀଡିତାଙ୍କ ଫଟୋକୁ ସୋସିଆଲ ମିଡିଆରୁ ହଟାଯାଉ।
ଉଲ୍ଲେଖନୀୟ ଯେ, ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ସହ ଜଷ୍ଟିସ୍ ଜେବି ପାଦରିଓ୍ବାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆଜି ମଧ୍ୟ ସିବିଆଇ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା। ବର୍ତ୍ତମାନ ସୁଦ୍ଧା ସିବିଆଇ କରିଥିବା ତଦନ୍ତ ରିପୋର୍ଟର ଯାଞ୍ଚ କରି ପରବର୍ତ୍ତୀ ଷ୍ଟାଟସ ରିପୋର୍ଟ ଆସନ୍ତା ସୋମବାର ସୁଦ୍ଧା ଦାଖଲ କରିବାକୁ ନିଦ୍ଦେଶ ଦେଇଛନ୍ତି।
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆଡଭୋକେଟ କପିଲ ସିବଲ ଖଣ୍ଡପୀଠଙ୍କୁ କହିଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ର ହତ୍ୟାର ପର ଦିନ ଅପରାହ୍ନ ୧ଟା ୪୭ ମିନିଟ୍ରେ ଦିଆଯାଇ ଥିବାବେଳେ ଅପରାହ୍ନ ୨ଟା ୫୫ ମିନିଟରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ସିବଲ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏକ ବନ୍ଦ ଲଫାପା ଦେଇଥିଲେ। ଏଥିରେ କଥିତ ଭାବରେ ବର୍ତ୍ତମାନର ସ୍ଥିତି ନେଇ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଏହି ରିପୋର୍ଟରେ କୁହାଯାଇଛି, ଘଟଣାକୁ ବିରୋଧ କରି ଡାକ୍ତରଙ୍କ ଧର୍ମଘଟ ବେଳେ ୨୩ ଜଣ ଲୋକଙ୍କ ଜୀବନ ଯାଇ ସାରିଛି।ଅଗଷ୍ଟ ୨୨ରେ ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିଯିବାକୁ ଆହ୍ୱାନ କରିଥିଲେ। ଆଇନ ତା ବାଟରେ କାର୍ଯ୍ୟ କରୁଛି। ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟକୁ ଫେରିଯିବା ଦରକାର ବୋଲି କହିଥିଲେ। ତଥାପି କିଛି ଡାକ୍ତର ଏବେ ବି ଆନ୍ଦୋଳନରେ ଅଛନ୍ତି।