ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଜଣେ ଘର ମାଲିକଙ୍କ କାରନାମାକୁ ନେଇ ଚର୍ଚ୍ଚା ଲାଗିରହିଛି । ଭଡ଼ାଟିଆ ଘର ଭଡ଼ା ନଦେବାରୁ ରାଗରେ ନିଜ ଘର ଜାଲିଦେଇଛନ୍ତି ଘର ମାଲିକ । ୬ ଜଣ ଶିଶୁଙ୍କ ସମେତ ୮ ଜଣ ସଦସ୍ୟ ଥିବା ଏକ ପରିବାର ରଫିକୁଲ ଇସ୍ଲାମଙ୍କ ଘରେ ଭଡ଼ାରେ ରହୁଥିଲା । ରଫିକୁଲଙ୍କ ବିଲ୍ଡିଂର ଦ୍ବିତୀୟ ମହଲାରେ ଏହି ପରିବାର ରହୁଥିଲା । ହେଲେ କିଛି ମାସ ଏହି ପରିବାର ଭଡ଼ା ଦେବାକୁ ଅସମର୍ଥ ହୋଇଥିଲା । ଘରମାଲିକ ସେମାନଙ୍କୁ ଘର ଛାଡ଼ିବାକୁ କହିଥିଲେ । କିନ୍ତୁ ସେମାନେ ଘର ଛାଡ଼ିନଥିଲେ ଏବଂ ଜବରଦସ୍ତି ସେଠାରେ ରହିବାକୁ ଲାଗିଲେ ।
ଏହା ପରେ ରଫିକୁଲ ନିଜ ବିଲ୍ଡିଂରେ ନିଜେ ନିଆଁ ଲଗାଇ ଦେଇଥିଲେ । ଗତ ସେପ୍ଟେମ୍ବର ମାସରେ ଏହି ଘଟଣା ଘଟିଥିବା ବେଳେ ଅକ୍ଟୋବର ୨୫ରେ ରଫିକୁଲ ଇସ୍ଲାମଙ୍କୁ ପୋଲିସ ଗିରଫ କରିଥିଲା । ଆଉ ଏବେ ତଦନ୍ତ ପରେ ଜଣାପଡ଼ିଛି ଯେ, ରଫିକୁଲ ହିଁ ନିଜ ଘରେ ନିଆଁ ଲଗାଇଥିଲେ । ବ୍ରୁକଲିନ୍ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିଛି । ନ୍ୟୁୟର୍କ ସହରର ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରୁ ଜଣାପଡ଼ିଛି ଯେ, ପ୍ରଥମେ ରଫିକୁଲ ସମ୍ପୃକ୍ତ ଭଡ଼ାଟିଆ ପରିବାରକୁ ଗ୍ୟାସ ଏବଂ ବିଦ୍ୟୁତ ସଂଯୋଗ କାଟିଦେବାକୁ ଧମକ ଦେଇଥିଲେ । ଏପରିକି ଘରେ ନିଆଁ ଲଗାଇଦେବେ ବୋଲି ମଧ୍ୟ ରଫିକୁଲ କହିଥିଲେ।
FDNY Fire Marshals arrested a landlord for arson. Investigators say Rafiqul Islam was angry his 2nd floor tenants stopped paying rent, refused to move out, so he set fire to an interior staircase at 212 Forbell Street in Bkn. 2 adults, 6 kids home at the time escaped the fire. pic.twitter.com/3ST0oZBV5d
— FDNY (@FDNY) November 3, 2023
୪ ସପ୍ତାହର ତଦନ୍ତ ପରେ ଜଣାପଡ଼ିଛି ଯେ, ରଫିକୁଲ ପୋଷାକ ବଦଳାଇବା ସହ ମୁହଁରେ ମାସ୍କ ପିନ୍ଧି ଘରେ ନିଆଁ ଲଗାଇଥିଲେ । ଏହା ପୂର୍ବରୁ ସେ ୯୧୧ ନମ୍ବରରେ ପୋଲିସକୁ କଲ କରିଥିଲେ । ତେବେ ରଫିକୁଲଙ୍କ ଏହି ଚାଲାକି ସିସିଟିଭି ଫୁଟେଜ୍ରୁ ଧରାପଡ଼ିଛି । ଏହି ମାମଲାରେ ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଯେ, ସେହି ଘରେ ରହୁଥିବା ପରିବାରର ଅଭିଭାବକ ଘରେ ନିଆଁ ଲାଗିବା ପୂର୍ବରୁ ନିଜ ପିଲାଙ୍କୁ ବାହାରକୁ ଫିଙ୍ଗି ଦେଇଥିଲେ । ପିଲାମାନଙ୍କୁ ବଞ୍ଚାଇବା ପାଇଁ ସେମାନେ ଏଭଳି କରିଥିଲେ ।
ବିଲ୍ଡିଂରେ ନିଆଁ ଲଗାଇବା ପରଦିନ ରଫିକୁଲ ଦ୍ବିତୀୟ ମହଲାରେ ରହୁଥିବା ପରିବାର ବିରୁଦ୍ଧରେ ଏତଲା ଦେଇଥିଲେ। ଏହାର ମାସେ ପରେ ସମ୍ପୃକ୍ତ ପରିବାର ପକ୍ଷରୁ ରଫିକୁଲଙ୍କ ବିରୁଦ୍ଧରେ ଥାନରେ ଅଭିଯୋଗ ହୋଇଥିଲା । ସେମାନଙ୍କୁ ନିଆଁ ଲଗାଇ ମାରିବାକୁ ଉଦ୍ୟମ ହୋଇଥିବା ନେଇ ଭଡ଼ାଟିଆ ପରିବାର ଅଭିଯୋଗ କରିଥିଲା। ଆଉ ଏବେ ପ୍ରକୃତ ଅଭିଯୁକ୍ତର କଳା କାରାନାମା ସଂପର୍କରେ ଜାଣିପାରିଛି ପୋଲିସ ।
‘ଯେକୌଣସି ଉପାୟରେ ନଡ଼ା ପୋଡ଼ି ବନ୍ଦ କର’; ପଞ୍ଜାବ ସମେତ ଅନ୍ୟ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ