ଆଠଗଡ଼, ୧୯/୦୮: ଶ୍ରାବଣ ମାସର ପଞ୍ଚମ ତଥା ଶେଷ ସୋମବାର । ଶିବ ନାମରେ କମ୍ପୁଛି ଶୈବପୀଠ । ସାରା ରାତି ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ରାତ୍ର ୨ଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଛି । ଏହା ପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆ ମାନେ ଜଳଲାଗି କରି ବାବାଙ୍କ ଦର୍ଶନ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିଶ ଫୋର୍ସ ମୃତୟନ ।
ସୂଚନା ଅନୁଯାୟୀ, ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ଭକ୍ତଙ୍କ ସମାଗମ । ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ରୀତିନୀତି ସମାପନ ପରେ ପୀଠରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ଶେଷ ସୋମବାରରେ ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ୱର । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ରଖି କେବଳ ଜଳକଳଷ ଧରି ପୀଠ ଭିତରକୁ ପ୍ରବେଶ କରି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ଚଳିତ ବର୍ଷ ପୂଜକ ସମିତି ଏବଂ ପ୍ରଶାସନ ପକ୍ଷରୁ କାଉଡ଼ିଆ ଆଣୁଥିବା ପ୍ଲାଷ୍ଟିକ କଳସିକୁ ପୀଠ ମଧ୍ୟକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କେବଳ ମାଟି କିମ୍ବା ପିତଳ କିମ୍ବା ତମ୍ବା କଳସରେ ଜଳ ଆଣିବା ପାଇଁ ଆବେଦନ କରାଯାଇଛି । ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିଶ ଫୋର୍ସ ମୃତୟନ କରାଯାଇଛି ।