ଯୋଧପୁର,୨୬/୦୯: ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ସଦର୍ଣ୍ଣ ସୁପରଷ୍ଟାର୍ସ ୱିକେଟ୍ରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାଜିତ କରି ଲିଜେଣ୍ଡସ ଲିଗ୍ କ୍ରିକେଟରେ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ହାସଲ କରିଛି । ବେନ ଡଙ୍କ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ସଦର୍ଣ୍ଣ ସୁପରଷ୍ଟାର୍ସ ୧୯.୧ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ୨୧ ବଲରୁ ଅପରାଜିତ ୩୮ ରନ୍ କରିଥିବା ଚିରାଗ ଗାନ୍ଧୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସର୍ବାଧିକ ୪ ପଏଣ୍ଟ ସହ ସୁପରଷ୍ଟାର୍ସ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ।
ବେନଙ୍କ ଅର୍ଦ୍ଧଶତକ ବୃଥା
କ୍ୟାପିଟାଲ୍ସ ଅଧିନାୟକ ଇଆନ ବେଲ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଡ୍ୱେନ ସ୍ମିଥ୍ ଏବଂ ଫଇଜ ଫଜଲ ଇନିଂସ ଓପନ କରିଥିଲେ । ଫଜଲ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ସ୍ମିଥ୍ କିଛି ସମୟ ତିଷ୍ଠି ରହିଥିଲେ । ସେ ୩୩ ବଲରୁ ୩୭ ରନ୍ କରିଥିଲେ।
ୱିକେଟ୍ କିପର ନମନ ଓଝା (୧୬) ସେମିତି ବଡ଼ ଇନିଂସ ଖେଳି ପାରିନଥିଲେ । କିନ୍ତୁ ମଧ୍ୟଭାଗରେ ବେନ ଡଙ୍କ୍ ଖେଳିଥିଲେ ଦ୍ରୁତ ଇନିଂସ। ୨୯ ବଲରୁ ସେ ୬୧ ରନ୍ କରିଥିଲେ । ଯେଉଁଥିରେ ୪ ଚୌକା ଓ ୫ଟି ଛକା ମାସିଲ ରହିଥିଲା । ତାଙ୍କୁ ସହାୟତା କରିଥିଲେ ଆଶଲେ ନର୍ସ । ସେ ୨୪ ବଲ ଖେଳି ଅପରାଜିତ ୪୦ ରନ୍ କରିଥିଲେ । ଫଳରେ ଦଳୀୟ ସ୍କୋର ୧୭୧ ରନ୍ରେ ପହଞ୍ଚିଥିଲା । ସୁପରଷ୍ଟାରସ ଦଳର ଜେସଲ କାରିଆ ୨ଟି ୱିକେଟ୍ ନେଇଥିଲେ ।
ଜିତାଇଲେ ଚିରାଗ-କାରିଆ
ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ସଦର୍ଣ୍ଣ ସୁପରଷ୍ଟାରସ ଭଲ ଆରମ୍ଭ କରିଥିଲା । ଓପନର ମାର୍ଟିନ ଗୁପ୍ତିଲ ଓ ଶ୍ରୀବତ୍ସ ଗୋସ୍ୱାମୀ ପ୍ରଥମ ୱିକେଟ୍ ୪୧ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ପରେ ଗୋସ୍ୱାମୀ ୧୭ ରନ୍ କରି ଫେରିଥିଲେ । ପାର୍ଥିବ ପଟେଲ (୦) ଏବଂ ଅଧିନାୟକ ଦିନେଶ କାର୍ତ୍ତିକ (୫) ଦଳକୁ ନିରାଶ କରିଥିଲେ । କିନ୍ତୁ ପୱନ ନେଗି (୩୮) ମଧ୍ୟଭାଗରେ ଦାୟିତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ୬ ୱିକେଟ୍ ହରାଇ ଦଳ ଏକ ପ୍ରକାର ସଙ୍କଟରେ ରହିଥିଲା । କିନ୍ତୁ ଚିରାଗ ଏବଂ ଜେସାଲ କାରିଆ ଯୋଡ଼ି ଅତି ଚମତ୍କାର ପ୍ରଦର୍ଶନ କରି ୫ ବଲ୍ ବାକି ଥାଇ ଦଳକୁ ଜିତାଇଥିଲେ । ଚିରାଗ ୩୮ରନ୍ କରିଥିଲେ, ଯେଉଁଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ ରହିଥିଲା । ସେମିତି କାରିଆ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୨୩ ରନ୍ କରିଥିଲେ । ରାହୁଲ ଶର୍ମା ୩ଟି ୱିକେଟ୍ ନେଇଥିଲେ ।