ଭଞ୍ଜନଗର ୧୩/୯- ଅଜା ଘର ବାରିପଟ କେନାଲରେ ବୁଡି ଦେଢ଼ ବର୍ଷର ନାତୁଣୀର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପଞ୍ଚାୟତର ରମ୍ଭାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ସୋରଡା ଥାନା ଅନ୍ତର୍ଗତ ଗୋଛା ପଞ୍ଚାୟତର ଗିଡାବାଡି ଗ୍ରାମର ବିଷ୍ଣୁ ନାୟକଙ୍କ ପତ୍ନୀ ସୁଦଷ୍ଣା ନାୟକ ନିଜ ବାପଘର ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପଞ୍ଚାୟତର ରମ୍ଭାପଲ୍ଲୀ ଗ୍ରାମର ରାଜେନ୍ଦ୍ର ନାୟକଙ୍କ ଘରକୁ ବୁଲି ଆସିଥିଲେ। ସାଥୀରେ ତାଙ୍କର ଦେଢ ବର୍ଷର ଝିଅ ଟିକି ମାମା ନାୟକ ଅଜା ଘରକୁ ଆସିଥିଲା। ବୁଧବାର ଅପରାହ୍ନ ୩ ଟା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା। ଆଉ ଘର ବାହାରେ ଶୁଖୁଥୁବା ଲୁଗାପଟା ବାହାର କରିବାକୁ ସୁଦେଷ୍ଣା ନିଜ ଦେଢ ବର୍ଷ ର ଝିଅ କୁ ଛାଡି ଯାଇଥିବା ବେଳେ ଶିଶୁ କନ୍ୟା ଟିକି ମାମା ବାରି ପଟକୁ ଯାଇ ବାରିପଟେ ବହି ଯାଇଥିବା କେନାଲରେ ବୁଡି ଯାଇଥିଲା।
ଆଉ ଲୁଗା ପଟା ଆଣି ଛୁଆକୁ ନପାଇ ବାରିପଟକୁ ଦୌଡ଼ି ଗଲାବେଳେ ଟିକି ମାମା କେନାଲରେ ଖସି ପଡି ଥିବା ଦେଖି ତାକୁ ତୁରନ୍ତ ପାଣି ଭିତରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତର ଏଠାରେ ଟିକି ମାମା ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଏସଂପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଗୃହ ରେ ରଖିଥିବା ଜଣାପଡିଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।