ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ସମାରୋହ, ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ଦାବି କଲେ ମୋଦି

ନୂଆଦିଲ୍ଲୀ, ୦୮/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟଥର ପାଇଁ ଏନ୍‌ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଛନ୍ତି । ପୁରୁଣା ସଂସଦ ଭବନ (ସମ୍ବିଧାନ ଭବନ)ର ସେଣ୍ଟ୍ରାଲ ହଲ୍‌ରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ସମସ୍ତ ୧୩ ଦଳର ନେତା ସାମିଲ ହୋଇଥିଲେ । ବୈଠକରେ ଏନ୍‌ଡିଏର ସମସ୍ତ ୨୯୩ ଜଣ ସାଂସଦ, ରାଜ୍ୟସଭା ସଦସ୍ୟ, ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ବୈଠକରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ସ୍ୱାଗତ ଭାଷଣ ଦେବା ପରେ ଦଳର ବରିଷ୍ଠ ନେତା ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ପଦ ଲାଗି ମୋଦିଙ୍କ ନାମ ପ୍ରସ୍ତାବ କରିଥିଲେ । ଦଳର ବରିଷ୍ଠ ନେତା ଅମିତ ଶାହ ପ୍ରସ୍ତାବକୁ ସମର୍ଥନ କରିଥିଲା ବେଳେ ନୀତୀନ ଗଡକରୀ ଅନୁମୋଦନ କରିଥିଲେ । ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ, ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇଥିଲେ । 

ବୈଠକକୁ ସମ୍ବୋଧନ କରି ମୋଦି ତାଙ୍କୁ ନେତା ବାଛିଥିବାରୁ ଏନ୍‌ଡିଏର ସବୁ ସାଂସଦଙ୍କୁ ଧନ୍ୟବାଦ ଜଣାଇଥିଲେ । କହିଥିଲେ ଭାରତୀୟ ରାଜନୀତିର ମେଣ୍ଟ ଇତିହାସରେ ଏନ୍‌ଡିଏ ଯେତେ ସଫଳ ହୋଇଛି ଅନ୍ୟ କୌଣସି ମେଣ୍ଟ ସଫଳ ହୋଇନାହିଁ । ଆମକୁ ବହୁମତ ମିଳିଛି । ଏହା ମେଣ୍ଟର ବିଜୟ । ସରକାର ଚଳାଇବା ଲାଗି ବହୁମତର ଆବଶ୍ୟକତା ଅଛି । କିନ୍ତୁ ଦେଶ ଚଳାଇବା ଲାଗି ସର୍ବମତ ଜରୁରି । କ୍ଷମତା ହାସଲ କରିବା ଓ ସରକାର ଚଳାଇବା ଲାଗି ଏନ୍‌ଡିଏ କିଛି ଦଳର ମେଣ୍ଟ ନୁହେଁ । ଏହା ରାଷ୍ଟ୍ର ପ୍ରଥମ ଭାବନା ସହ ଜଡ଼ିତ ସମୂହ । ଭାରତର ରାଜନୀତି ବ୍ୟବସ୍ଥାରେ ଏହା ଏକ ଅର୍ଗାନିକ ଆଲାଏନ୍ସ (ସଙ୍ଗଠିତ ମେଣ୍ଟ) । ଏହି ସମୟ ଦ୍ରୁତ ବିକାଶର ସମୟ । ବର୍ତ୍ତମାନ ଆମକୁ ସମୟ ନଷ୍ଟ ନକରି ୫ ନମ୍ବରରୁ ୩ ନମ୍ବର ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ପଡ଼ିବ ବୋଲି ମୋଦି କହିଥିଲେ । ମୋଦି ଆହୁରି ମଧ୍ୟ କହିଥିଲେ କି ଆମେ ପ୍ରତିଶ୍ରୁତିର ସହ କାମ କରୁଛୁ । ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକ୍ତ ହେଇଛନ୍ତି । ୩ କୋଟି ଲୋକଙ୍କୁ ଘର ଦେବାର ସଙ୍କଳ୍ପ ଥିଲା । କିନ୍ତୁ ଆମେ ୪ କୋଟି ଦେଇସାରିଛୁ । ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା, ମୁଦ୍ରା ଯୋଜନା ଅଧୀନରେ ଯୁବକଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ହେଉଛି ଆମର ତୃତୀୟ କାର୍ଯ୍ୟକାଳର ଗ୍ୟାରେଣ୍ଟି । ଏହାକୁ ଆମେ ପୂରଣ କରିବୁ । 

ମଧ୍ୟମ ବର୍ଗର ଲୋକଙ୍କୁ ସୁବିଧା ପ୍ରଦାନ ପାଇଁ ଆମେ ପ୍ରତିବଦ୍ଧ । ଆଗାମୀ ୧୦ ବର୍ଷରେ ବିକାଶ ଓ ଜୀବନ ଧାରଣରେ ଗୁଣବତ୍ତା ଆଣିବୁ । ବିଶେଷକରି ମଧ୍ୟମ ବର୍ଗ ଓ ଉଚ୍ଚ ମଧ୍ୟମ ବର୍ଗଙ୍କ ଜୀବନରେ ସରକାରଙ୍କ ଦଖଲ ଯେତେ କମ୍‌ ହେବ ଗଣତନ୍ତ୍ର ସେତେ ମଜଭୁତ ହୋଇପାରିବ । ଆମେ ବିକାଶ ଓ ଉତ୍ତମ ଶାସନର ନୂଆ ଅଧ୍ୟାୟ ଲେଖିବୁ । ସମସ୍ତେ ମିଳିମିଶି ବିକଶିତ ଭାରତ ସ୍ୱପ୍ନକୁ ସକାର କରିବା ବୋଲି ମୋଦି କହିଥିଲେ । କଂଗ୍ରେସ ଓ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଏହି ଲୋକ ଖୋଦ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ ଅପାମନ କରିବାକୁ ପଛାଇ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଚିରି ଫିଙ୍ଗି ଦେଇଛନ୍ତି । ୧୦ ବର୍ଷ ପରେ ମଧ୍ୟ କଂଗ୍ରେସ ସଂଖ୍ୟା ୧୦୦ ଟପିଲା ନାହିଁ । ୨୦୧୪, ୨୦୧୯ ଓ ୨୦୨୪ରେ ଏହି ଦଳକୁ ଯେତିକି ଆସନ ମିଳିଛି ତାକୁ ଯଦି ସବୁ ମିଶାଇ ଦିଆଯିବ ତେବେ ଆମର ଗୋଟିଏ ଥର ଆସନ ତାଠାରୁ ଅଧିକ ହେବ । ଦକ୍ଷିଣ ଭାରତରେ ଏନ୍‌ଡିଏ ନୂଆ ରାଜନୀତି ଆରମ୍ଭ କରିଛି । କର୍ଣ୍ଣାଟକ ଓ ତେଲଙ୍ଗାନାରେ ଏବେ ନୂଆ ସରକାର ଗଠନ ହୋଇଛି । କିନ୍ତୁ ସେଠାରେ ଲୋକଙ୍କ ବିଶ୍ୱାସ ଭଙ୍ଗ ହୋଇଛି ଏବଂ ଲୋକମାନେ ଏନ୍‌ଡିଏକୁ ବାଛିଛନ୍ତି । ତାମିଲନାଡୁରେ ଆମେ ଆସନ ଜିତି ନଥିଲେ ମଧ୍ୟ ଭୋଟ ପ୍ରତିଶତ ବଢ଼ିଛି । ସେଥିରୁ ସ୍ପଷ୍ଟ ଭାବେ ଦେଖାଯାଉଛି କି ଆଗାମୀ ଦିନରେ ସେଠାରେ କ’ଣ ଲେଖାଯିବ । 

କେରଳରେ ଜମ୍ମୁ-କାଶ୍ମୀର ଅପେକ୍ଷା ଅଧିକ କର୍ମୀ ବଳିଦାନ ଦେଇଛନ୍ତି । ଅରୁଣାଚଳରେ ଆମ ସରକାର ହୋଇଛି । ସିକ୍କିମରେ କ୍ଲିନ ସୁଇପ୍‌ କରିଛୁ । ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ଇତିହାସ ରଚିଛନ୍ତି । ଯାହା ଦେଖାଯାଉଛି ଏ ପବନ (ପବନ କଲ୍ୟାଣ) ପବନ ନୁହେଁ, ବରଂ ଝଡ଼ ବୋଲି ମୋଦି କହିଥିଲେ । ବୈଠକ ପରେ ମୋଦି ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ସେମାନଙ୍କ ଘରେ ଭେଟି ଆଶୀର୍ବାଦ ନେଇଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଅପରାହ୍ନ ୬ଟାରେ ମୋଦି ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ସରକାର ଗଠନ ଲାଗି ଦାବି ଜଣାଇଥିଲେ । ନଡ୍ଡା ଓ ଶାହଙ୍କ ନେତୃତ୍ୱରେ ଏନ୍‌ଡିଏର ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ମୋଦିଙ୍କୁ ଏନ୍‌ଡିଏ ନେତାଙ୍କ ସମର୍ଥନ ପତ୍ର ପ୍ରଦାନ କରିଥିଲେ । ଏଥିସହ ଏନଡିଏ ସାଂସଦଙ୍କ ତାଲିକା ମଧ୍ୟ ଦେଇଥିଲେ । ରାଷ୍ଟ୍ରପତି ମୋଦିଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ । ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ । ତେବେ କେତେଜଣ ମନ୍ତ୍ରୀ ଶପଥ ନେବେ ତାହା ସ୍ପଷ୍ଟ ହୋଇନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.