ବାଙ୍ଗିରିପୋଷି, ୦୯/୦୯ : ଗଣେଶ ପୂଜା ଭୋଗ ଖାଇ ୨୦୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୁଆସୁଣୀ ପଞ୍ଚାୟତ ରାୟାଁ ଗାଁରେ ଏଭଳି ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି।
ସୂଚନାନୁଯାୟୀ, ଶନିବାର ଦିନ ଗଣେଶ ପୂଜା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୁଡ଼ା ଭୋଗ ବ୍ୟବସ୍ଥା ହୋଇଥିଲା। ସେହି ଭୋଗ ଖାଇ ରବିବାର ଦିନ ପ୍ରଥମେ ୫୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଝାଡ଼ାବାନ୍ତିରେ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଆମ୍ଵୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ରବିବାର ରାତି ଓ ସୋମବାର ସକାଳୁ ପୁଣି ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ରାୟାଁ ନିକଟସ୍ଥ ପୁରୁଣାପାଣି, କ୍ରିପାଦୁମା ପ୍ରମୁଖ ତିନୋଟି ଗ୍ରାମର ୨୦୦ରୁ ଉର୍ଦ୍ଧ୍ଵ ଲୋକ ଏବେ ବାଙ୍ଗିରିପୋଷି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୧୮ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି। ବାଙ୍ଗିରିପୋଷି ହସ୍ପିଟାଲ୍ ପରିସରରେ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟ, ଏଡିଏମଓ ଡ଼ା ବିଜୟ କୁମାର ଦାଶ, ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ରାୟାଁ ଗ୍ରାମକୁ ଡାକ୍ତରୀ ତଦନ୍ତ ଦଳ ପହଞ୍ଚି ଭୋଗର ନମୁନା ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି।