ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଡାଟିଆରେ ଛେଳି ଚରାଇବାକୁ କେନ୍ଦ୍ରକରି ଆରମ୍ଭ ହୋଇଥିବା ବିବାଦ ଏବେ ସମଗ୍ର ଗାଁ ପାଇଁ ଶୋକରେ ପରିଣତ ହୋଇଛି । ଦୁଇ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୁଳି ବିନିମୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ତିନି ଦିନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା, ଯାହା ପରେ ମଙ୍ଗଳବାର ଦିନ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏହି ରକ୍ତାକ୍ତ ସଂଘର୍ଷରେ ପ୍ରାୟ ୬ରୁ ୭ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚାଷ ଜମି ଉପରେ ଛେଳି ଚରାଇବା ନେଇ ଦୁଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପୂର୍ବରୁ ଦୁଇ ଦଳ ମଧ୍ୟରେ ତିନିଥର ବିବାଦ ଲାଗି ରହିଥିଲା, ଏହା ପରେ ଉଭୟ ପକ୍ଷ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।
ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ପ୍ରାୟ ୬ ରୁ ୭ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରିଛି। ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଗୁଳି ବିନିମୟ ପରେ ରାସ୍ତାର ଅନେକ ସ୍ଥାନରେ ରକ୍ତ ଦାଗ ସ୍ପଷ୍ଟ ଦେଖାଯାଉଛି। ବର୍ତ୍ତମାନ ଘଟଣା ସ୍ଥଳ ଯାଞ୍ଚ ପାଇଁ ଏଫଏସଏଲ (FSL) ଦଳ ପଠାଯାଇଛି ।
ଯେଉଁମାନଙ୍କୁ ଗୁଳି ବାଜିଛି ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୫ ଜଣଙ୍କ ମୃତ୍ୟୁକୁ ଡାକ୍ତର ନିଶ୍ଚିତ କରିଛନ୍ତି, ଏହା ପରେ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବର୍ତ୍ତମାନ ଯେଉଁ ବନ୍ଧୁକରୁ ଗୁଳି ଚାଳନା କରାଯାଇଥିଲା ତାହା ଲାଇସେନ୍ସପ୍ରାପ୍ତ କି ନୁହେଁ ତାହା ଜଣା ପଡିନାହିଁ । ପୋଲିସ ଘଟଣାସ୍ଥଳରୁ ଅନ୍ୟ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ।