ଦାରିଙ୍ଗବାଡି,୫/୫ : ଅନ୍ଧାରରେ ବିତୁଛି ଜୀବନ । ଡିବିରି ଆଲୁଅ ଏକ ମାତ୍ର ସାହା ଭରସା । ସ୍ବାଧୀନତାର ୭୭ବର୍ଷ ହୋଇଥିଲେ ସୁଦ୍ଧା ଲୋକେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଏଭଳି ଏକ ଉପାନ୍ତ ଗାଁ ହଉଚି କଟଡିମାହା । ଉକ୍ତ ଗାଁଟି ଦାରିଙ୍ଗବାଡ଼ି ବ୍ଲକର ସିର୍କାବର୍ଗ ପଞ୍ଚାୟତରେ ଅବସ୍ଥିତ । ଉକ୍ତ ଗାଁରେ ୯୩ ପରିବାର ବସବାସ କରୁଥିବା ବେଳେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି ସମସ୍ତ ପରିବାର । ଗାଁ ଲୋକେ ବିଦ୍ୟୁତ୍ ସେବା ପାଇବା ପାଇଁ ଅନେଇ ବସିଛନ୍ତି । ଉକ୍ତ ଗାଁଟି ୭୦ବର୍ଷରୁ ଊର୍ଦ୍ଧ୍ବ ବର୍ଷ ହେବ ରହିଥିଲେ ସୁଦ୍ଧା ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ପାହାଡ଼ ଜଙ୍ଗଲ ମଧ୍ୟରେ ଉକ୍ତ ଗାଁ ରହିଥିବାବେଳେ ରାତି ହୋଇଗଲେ ଗାଁକୁ ଜୀବଜନ୍ତୁ ଭୟ ରହୁଛି । ଛାତ୍ରଛାତ୍ରୀମାନେ ଡିବିରୀ ଆଲୁଅରେ ପାଠ ପଢୁଛନ୍ତି । ଫଳରେ ଅଧିକ ସମୟ ପାଠ ପଢି ପାରୁନାହାନ୍ତି । ଏଭଳି କି ବିଦ୍ୟୁତ୍ ନ ଥିବା ଫଳରେ ଚାଷ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇପାରୁନାହିଁ । ବିଦ୍ୟୁତ୍ ଯୋଗାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ସୁଦ୍ଧା କଟଡିମାହା ଗ୍ରାମ ଏଥିରୁ ବାଦ ପଡ଼ିଛି । ଲୋକେ ଏ ନେଇ ବିଭିନ୍ନ ସମୟରେ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ପହଞ୍ଚି ପାରିନାହିଁ ଉକ୍ତ ଗ୍ରାମକୁ ।
ଏଣୁ ଗାଁକୁ ବିଦ୍ୟୁତ୍ ସଂଯୋଗ ନ ହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଗ୍ରାମର ୱାର୍ଡ ମେମ୍ବର ପ୍ରତିମା ପ୍ରଧାନ, ମଶା ପ୍ରଧାନଙ୍କ ସମେତ ବନବାସ ପ୍ରଧାନ, ସୁଶାନ୍ତ ପ୍ରଧାନ, ଜିଶାୟ ପ୍ରଧାନ, ମର୍ଶା ପ୍ରଧାନ, ସୁନିଲ ପ୍ରଧାନ, ଶ୍ୟାମ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।