ସମ୍ବଲପୁର,୧୮/୦୯: ଆଉ ମାତ୍ର ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ହେଲେ ବର୍ତ୍ତମାନ ସୁଦ୍ଧା ନୂଆଁଖାଇ ଦିନ କିମ୍ବା ଏହାର ବାସି ଛୁଟି ଘୋଷଣା ହୋଇନାହିଁ । ଏଭଳି ସ୍ଥିତିରେ ନୂଆଁଖାଇ ପୂର୍ବରୁ ଆଜି ହିଁ ଏକମାତ୍ର କାର୍ଯ୍ୟଦିବସ ରହିଛି । ଫଳରେ ଆସନ୍ତାକାଲି ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଛୁଟି ଏବଂ ବାସି ଛୁଟି ଘୋଷଣା ନ ହେଲେ ସାରା ପଶ୍ଚିମ ଓଡିଶାରେ ଏହା ଅସନ୍ତୋଷର କାରଣ ହେବା ଏକପ୍ରକାର ଥୟ ବୋଲି ଜଣାପଡିଲାଣି । କିନ୍ତୁ, ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଗତବର୍ଷ ଯେଭଳି ଛୁଟି ପାଇଁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଯାଏ କଥା ଯାଇଥିଲା ଏବର୍ଷ ସେଭଳି ସ୍ଥିତି ଦେଖିବାକୁ ମିଳିନାହିଁ । କେବଳ କାଁ ଭାଁ ଦାବିପତ୍ରରେ ସୀମିତ ରହିଯାଇଛି । ସେପଟେ, ଛୁଟି ଘୋଷଣା ହୋଇନଥିବାରୁ ଉଭୟ ସରକାର ଏବଂ ବେସରକାରୀ କର୍ମଚାରୀ ମହଲରେ ଭାଲେଣି ପଡିଗଲାଣି ।
ଗତବର୍ଷ ସାରା ପଶ୍ଚିମ ଓଡିଶାରେ ନୂଆଁଖାଇ ଛୁଟିକୁ ନେଇ ଏକପ୍ରକାର ଆନ୍ଦୋଳନ ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବରଗଡ ଭଳି କିଛି ଜିଲ୍ଲାରେ କୋଶଲ ସେନା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିବା ବେଳେ ସବୁଠି ପ୍ରତିବାଦର ସ୍ୱର ଦେଖିବାକୁ ମିଳୁଥିଲା । ବିଶେଷ କରି ସାରା ପଶ୍ଚିମ ଓଡିଶାର ଏହା ଗଣପର୍ବ ହୋଇଥିବା ସତ୍ତେ୍ୱ ଏହାକୁ ଛୁଟି ଘୋଷଣାରେ କରାଯାଉଥିବା ଅବହେଳା ହିଁ ଅସନ୍ତୋଷର କାରଣ ହୋଇଆସିଛି । ଏପରିକି ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏହା ସରକାରୀ ଛୁଟି ଘୋଷଣା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଛୁଟି ବନ୍ଦ ହୋଇଗଲା । ଏଭଳି ସ୍ଥିତିରେ ଗତବର୍ଷ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପଶ୍ଚିମ ଓଡିଶାର ଅନେକ ବିଧାୟକ, ସାଂସଦଙ୍କ ସମେତ ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଥିଲେ ।
ଏହାପରେ ରାଜ୍ୟ ସରକାର ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ନେଗୋସିଏବୁଲ୍ ଇନଷ୍ଟ୍ରୁମେଣ୍ଟ ଧାରାରେ ନୂଆଁଖାଇ ପାଇଁ ଗତବର୍ଷ ସେପଟେମ୍ବର ୧ ତାରିଖକୁ ଛୁଟି ଘୋଷଣା କରିଥିଲେ । ହେଲେ ଏବର୍ଷ ନୂଆଁଖାଇକୁ ଆଉ ମାତ୍ର ୨ ଦିନ ବାକି ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ନାଁ ରାଜ୍ୟ ସରକାର କିମ୍ବା ଆର୍ଡିସିସ୍ତରୀୟ ଛୁଟି ଘୋଷଣା ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ସୋମବାର ଗୋଟିଏ ଦିନ ହିଁ ସରକାରୀ କାର୍ଯ୍ୟଦିବସ ଥିବା ବେଳେ ମଙ୍ଗଳବାରରେ ଗଣେଷ ପୂଜା ପାଇଁ ଛୁଟି ରହିବ । ଆଉ ବୁଧବାର ନୂଆଁଖାଇ । ତେଣୁ, ଆସନ୍ତାକାଲି ହିଁ ଉଭୟ ରାଜ୍ୟ ସରକାରଙ୍କ ଏନ୍ଆଇ ଆକ୍ଟରେ ନୂଆଁଖାଇ ଦିନ ପାଇଁ ଛୁଟି ଘୋଷଣା ସହିତ ଆର୍ଡିସିଙ୍କ ଜିଲ୍ଲାସ୍ତରୀୟ ଛୁଟି ଘୋଷଣା କରିବାକୁ ପଡିବ । ଆଉ ଯଦି ଏଥିରେ ଅବହେଳା ହୁଏ, ତାହେଲେ ସରକାରୀ ଏବଂ ବେସରକାରୀ କର୍ମଚାରୀ କେମିତି ଆସି ପରିବାର ସହିତ ନୂଆଁଖାଇରେ ସାମିଲ ହେବେ ତାହା ଏବେ ଚିନ୍ତାର ବିଷୟ ହୋଇଛି ।