ସିମୁଳିଆ,୧୨/୦୮: ହାଇଦ୍ରାବାଦରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଘଟଣା ପ୍ରଘଟ ଭୟରେ ଦୁଷ୍କର୍ମୀମାନେ ମୃତଦେହକୁ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରିଛନ୍ତି । ଘଟଣାକୁ ୪ଦିନ ବିତିଯାଇଥିବାବେଳେ ପୀଡ଼ିତାଙ୍କ ମୃତଦେହକୁ ପରିବାର ସଦସ୍ୟ ଦେଖିପାରି ନାହାନ୍ତି । କାରଣ ମୃତଦେହ କେଉଁଠି ଅଛି ତାହା ସ୍ପଷ୍ଟ କରୁନି ପୁଲିସ୍ । ତେଣୁ ମୃତଦେହକୁ ଗାଏବ କରି ଦିଆଯାଇଛି ନଚେତ୍ ପୋଡ଼ିଦିଆଯାଇଛି ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକେ । ଏଭଳି ସମ୍ବେଦନଶୀଳ ତଥା ସ୍ପର୍ଶକାତର ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ କରିବାକୁ ନିବେଦନ କରିଛି ପୀଡ଼ିତାଙ୍କ ପରିବାର ।
ମୃତ ଯୁବତୀ ଜଣକଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୨୨ ବର୍ଷୀୟ ଉକ୍ତ ଯୁବତୀ ଜଣଙ୍କ ରୋଜଗାର ଆଶାରେ ୪ ବର୍ଷ ତଳେ ହାଇଦ୍ରାବାଦ ଯାଇଥିଲେ । ପ୍ରଥମେ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରୁ ଚାକିରି ଛାଡ଼ିବା ପରେ କୁରୁକୁଣ୍ଡା ବିଦ୍ୟା ନିକେତନ ନାମକ ଘରୋଇ ଶିକ୍ଷାନୁଷ୍ଠାନରେ ୨ ବର୍ଷ ହେଲା ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଗତ ୬ ତାରିଖ ରାତିରେ ବିଦ୍ୟାଳୟ ବନ୍ଦ ଥିଲା । କର୍ମଚାରୀମାନେ ଆସି ନ ଥିଲେ । ପଦସ୍ଥ ଅଧିକାରୀ ମଧ୍ୟ ଅନୁପସ୍ଥିତ ଥିଲେ । ରାତିରେ ଉକ୍ତ ସ୍କୁଲରେ କାର୍ଯ୍ୟରତ ୪ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଶୋଇବା ଘର ଫ୍ୟାନ୍ରେ ଟାଙ୍ଗି ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ ପୁଲିସ୍ ତଦନ୍ତ କରିବା ସହ ଯୁବତୀଙ୍କ ପରିବାରକୁ ଖବର ଦେଇଥିଲା । ସୂଚନା ପାଇ ୪ ଦିନ ହେଲା ମା’ ଏବଂ ସମ୍ପର୍କୀୟ ହାଇଦ୍ରାବାଦକୁ ଯାଇଛନ୍ତି । ହେଲେ ଅଦ୍ୟାବଧି ଝିଅର ମୃତଦେହ ଦେଖିପାରିନାହାନ୍ତି । ଫଳରେ ମରଶରୀର କେଉଁଠି ଅଛି ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ସେମାନେ । ଏ ନେଇ ଯୁବତୀଙ୍କ ମା’ ସେଠାକାର ଥାନାରେ ଅଭିଯୋଗ କରିଛନ୍ତି । ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି ।
ଯୁବତୀ ଜଣଙ୍କ ସ୍କୁଲର ପଦସ୍ଥ ଅଧିକାରୀ ଏବଂ ୪ଜଣ ଯୁବକଙ୍କୁ ୨ ବର୍ଷ ହେଲା ରୋଷେଇ କରି ଖାଇବାକୁ ଦେଉଥିଲେ । ସେ ନିଜେ ମଧ୍ୟ ସେମାନଙ୍କ ସହ ଖାଉଥିଲେ । ହେଲେ ୭ ତାରିଖରେ ପୁଲିସ୍ଠାରୁ ଝିଅର ମୃତ୍ୟୁ ଖବର ମିଳିଥିଲା । ଏହାକୁ ପରିବାର ଲୋକ ସହଜରେ ବିଶ୍ୱାସ କରିପାରି ନ ଥିଲେ । ହାଇଦ୍ରାବାଦ୍ ପୁଲିସ୍ ଅଭିଯୁକ୍ତ ଯୁବକଙ୍କୁ ଜେରା କରି କଠୋର ଦଣ୍ଡବିଧାନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।