ଭୁବନେଶ୍ୱର, ୨୪।୮: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ଶନିବାର ବିଧାନସଭା ଦ୍ୱିତୀୟ ଅଧିବେଶନର ୫ମ ଦିନରେ ପୁଣି ଗୃହ ମୁଲତବୀ ଘୋଷଣା ହୋଇଛି । ଏସ୍ସି, ଏସ୍ଟି, ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ । ଗୃହ ମୁଲତବୀ ନେଇ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି ।
ଆଦିବାସୀଙ୍କୁ ଅବହେଳା ସଂରକ୍ଷଣ ଦାବିରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ଅନ୍ୟପଟେ ଏସ୍ସି, ଏସ୍ଟି, ଓବିସିଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସହ ଜାତି ଭିତ୍ତିକ ଜନଗଣନା ଦାବି କରି ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି । ଶାସକ-ବିରୋଧୀ ମୁହାଁମୁହିଁ ହେବା ସହ ବିଧାନସଭା ଅଧିବେଶନରେ ଶାସକ ଦଳ ଉପରକୁ କଂଗ୍ରେସ ସଦସ୍ୟ ଲିଫଲେଟ୍ ଫିଙ୍ଗିଥିଲେ ।
ସଂରକ୍ଷଣକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସାରା ଭାରତରେ ସଂରକ୍ଷଣକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ଓଡ଼ିଶାରେ ଏହି ସମସ୍ୟା ଉତ୍କଟ ସ୍ତରରେ ପହଞ୍ଚିଲାଣି । ଏସ୍ସି, ଏସ୍ଟି ୩୮.୭୫% ସଂରକ୍ଷଣ ରହିଛି । ହେଲେ ମେଡିକାଲ ଓ ଇଞ୍ଜିନିଅରିଙ୍ଗରେ ମାତ୍ର ୨୦% ରହିଥିବା ବେଳେ ଓବିସି ପାଇଁ ଶୂନ ପ୍ରତିଶତ ରହିଛି । ଏବେ ଉଚ୍ଚବର୍ଗର ପଛୁଆ ବର୍ଗଙ୍କୁ ୧୦% ଅର୍ଥାତ୍ ୨୧୦୦ରୁ ୧୬୮ ସିଟ୍ ମିଳୁଛି । ଦୁର୍ଭାଗ୍ୟର କଥା ହେଉଛି ପ୍ରତି ୧୦ ବର୍ଷରେ ଜନଗଣନା ହେବା କଥା । କିନ୍ତୁ, ୨୦୨୧ରେ ଜନଗଣନା ହୋଇନାହିଁ । ଜାତିଭିତ୍ତିକ ଜନଗଣନା କରାଯାଉ ବୋଲି ଦାବି କରିଛନ୍ତି । ୨୦୧୧ ଜନଗଣନା ଅନୁସାରେ, ୫୪% ହେଉଛନ୍ତି ଓବିସି । ତେଣୁ ୧୧.୨୫% ସଂରକ୍ଷଣ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରି ଓବିସି ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ମେଡିକାଲ କଲେଜରେ ନାମଲେଖା ଚାଲିଛି । ଏସ୍ଟି, ଏସ୍ଟିଙ୍କୁ ୩୮.୭୫% ଓ ଓବିସି ଛାତ୍ରଛାତ୍ରୀଙ୍କୁ ୧୧.୭୫% ମିଳୁ ବୋଲି ଦାବି କରିଛନ୍ତି । ଓବିସିକୁ ସଂରକ୍ଷଣ ନ ଦେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ଅରୁଣ ସାହୁ ।
ଅନ୍ୟପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଅନେକ ରାଜ୍ୟରେ ଓବିସି ସଂରକ୍ଷଣ ଅଛି । ଯିଏ ଦିନେ ଓବିସି ସଂରକ୍ଷଣ ପାଇଁ ଚିନ୍ତା କରିନଥିଲେ, ସେମାନେ ଆଜି ଠିଆ ହୋଇ ବିଧାନସଭାରେ ପ୍ରତିବାଦ କରୁଛନ୍ତି । କଳିଙ୍ଗନଗରରେ ଆଦିବାସୀ ହଡ଼ପ କରିବାକୁ ଚାହିଁଲେ, ଯାହାର ପ୍ରତିବାଦବିଜେପି କରିଥିଲା । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମ କରି ଆଦିବାସୀ ବିକାଶ ବିଭାଗ ଗଠନ କରି ଓଡ଼ିଆ ପୁଅ ଜୁଏଲ ଓରାମଙ୍କୁ ମନ୍ତ୍ରୀ କଲେ । ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଦେଶର ରାଷ୍ଟ୍ରପତି ପଦରେ ଅଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଦିବାସୀ ସମ୍ପ୍ରଦାୟର । ଆଦିବାସୀଙ୍କ ବିକାଶ ନରେନ୍ଦ୍ର ମୋଦି ଓ ବିଜେପି ଚିନ୍ତା କରେ । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହ ନ ଚଳାଇବାକୁ ବିରୋଧୀ ଚେଷ୍ଟା କରୁଥିବା କହିଛନ୍ତି ଟଙ୍କଧର ତ୍ରିପାଠୀ ।