ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆମ ଟିକଟ କଟିଯିବ କି ? ୭୫ ବିଧାନସଭା ଟିକଟ ଟେନ୍‌ସନ,ଏକାଧିକ ଆଶାୟୀ, ବିଦ୍ରୋହ ପାଇଁ ଘନଘନ ତର୍ଜମା

ଭୁବନେଶ୍ୱର,୨୯/୦୩: ସେମାନଙ୍କର ତ ଘୋଷଣା କରିଦେଲେ, ଆମର ରଖିଲେ କାହିଁକି ? କେବେ ଘୋଷଣା ହେବ ?  ଏମିତି ପ୍ରଶ୍ନ ଜାଲରେ ଛନ୍ଦି ହୋଇ ନିଦ ଉଡ଼ିଗଲାଣି ୬୨ ବିଜେଡି ବିଧାୟକଙ୍କର । ଡର ମାଡ଼ି ବସିଲାଣି, କାଟିଦେବେ କି ଟିକଟ ? ଡର ବଢ଼ାଉଛି ଟିକଟ ଚର୍ଚ୍ଚା । ଆଲୋଚନା ହେଉଛି ପାଖାପାଖି ୩୫ ଜଣଙ୍କ ଟିକଟ ଏଥର କଟିବ । ନୂଆ ମୁହଁଙ୍କୁ ମିଳିବ, ଲୋକପ୍ରିୟତା ହରାଇଥିବା ଅପାରଗ ପୁରୁଣା ଚେହେରାଙ୍କୁ ହଟାଯିବ ।

ଟିକଟ ଜ୍ୱରରେ ଥରୁଥିବା ଏହି ନେତାମାନେ ଉତ୍ତର ଖୋଜୁଛନ୍ତି, ଦଳୀୟ ବଡ଼ପଣ୍ଡା, ସଂଗଠକ, ହାଇକମାଣ୍ଡଙ୍କ ପାଖଲୋକ, ସାମ୍ବାଦିକ, ଗୁଇନ୍ଦା ପୁଲିସ ସମସ୍ତଙ୍କୁ ପଚାରି ବୁଲୁଛନ୍ତି, ଭାଇ ଆମ ଟିକଟ କଟିଯିବ କି? ନିର୍ଦ୍ଦିଷ୍ଟ ଉତ୍ତର କିନ୍ତୁ ମିଳୁ ନାହିଁ । ହୋଲି ସରିବା ମାତ୍ରେ ବିଜେଡି ପ୍ରଥମ ଦଫାରେ ୭୨ ବିଧାନସଭା ଓ ୧୫ ଲୋକସଭା ପାଇଁ ଯୋଦ୍ଧାଙ୍କ ନାମ ଘୋଷଣା କରି ଦେଇଛି । ବାକି ରହିଲା ୬ ଲୋକସଭା ଓ ୭୫ ବିଧାନସଭା ।

ବାକି ରହିଥିବା ଆସନରେ ଅନେକ ଅଡ଼ୁଆ ରହିଛି । କେଉଁଠି ଏକାଧିକ ଆଶାୟୀ, ଆଉ କେଉଁଠି ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଅସନ୍ତୋଷ । ତା’ ସାଙ୍ଗକୁ ବିଦ୍ରୋହର ଡର । ଏଭଳି ବିଭିନ୍ନ କାରଣରୁ ଏସବୁ ଆସନରେ ବିଜେଡିର ଟିକଟ ଅଙ୍କ ଛିଣ୍ଡିପାରିନି । ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଆଶାୟୀଙ୍କ ଭାଗ୍ୟ ଝୁଲୁଛି ନବୀନଙ୍କ ନିଷ୍ପତ୍ତି ଅପେକ୍ଷାରେ ।

ଯେଉଁ ୭୨ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି, ସେଥିରୁ ୬୨ଟି ଆସନରେ ବିଜେଡି ବିଜୟୀ ହୋଇଥିଲା । ଏଥିରୁ ୫୫ ବିଧାୟକଙ୍କୁ ପୁଣି ଥରେ ଦଳୀୟ ପ୍ରାର୍ଥୀ କରାଯାଇଛି । ଆଉ ୫ ଜଣ ବିଧାୟକ ବଦଳରେ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକଟ ଦିଆଯାଇଛି । 

ବାକି ୭୫ଟି ବିଧାନସଭା ଆସନରୁ ଗତ ନିର୍ବାଚନରେ ୬୨ଟିକୁ ଦଖଲ କରିଥିଲା ବିଜେଡି । ଏତିକି ବିଧାୟକଙ୍କ ଭାଗ୍ୟ ଝୁଲିଛି । କୁହାଯାଉଛି, ଯେଉଁମାନଙ୍କର ଟିକଟ ନିଶ୍ଚିତ ଥିଲା, ସେମାନଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଗଲା । 

ଏମିତି ନୁହେଁ ଯେ ଏସବୁ ବିଧାନସଭା ଆସନରେ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ, ଯେଉଁଥିପାଇଁ ଏମାନଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଗଲା । ଚତୁର୍ଥ ପର୍ଯ୍ୟାୟ, ଅର୍ଥାତ୍‌ ଜୁନ୍‌ ୧ ତାରିଖରେ ହେବାକୁ ଥିବା ଯାଜପୁର, କେନ୍ଦ୍ରପଡ଼ା ଏବଂ ବାଲେଶ୍ୱର ଜିଲ୍ଲାର କେତେ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି । 

ହେଲେ ପ୍ରଥମ ପର୍ଯ୍ୟାୟ ମେ ୧୩ ତାରିଖରେ ହେବାକୁ ଥିବା ବ୍ରହ୍ମପୁର ଓ କେରାପୁଟ ଲୋକସଭା କ୍ଷେତ୍ରର ଅନେକ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ହୋଇ ନାହିଁ । 

ଜଗତସିଂହପୁର ଲୋକସଭା ଅନ୍ତର୍ଗତ କେବଳ ନିଆଳିରେ ବିଜେଡି ବିଧାନସଭା ଟିକଟ ଜାରି କରିଛି । ବାକି ୬ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରୁନି । ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅମରେନ୍ଦ୍ର ଦାସଙ୍କ ଟିକଟ ଦାବିଦାରୀ ଭିତରେ ଜଗତସିଂହପୁରରେ ବିଜେଡି ଅଙ୍କ ଛିଣ୍ଡୁନି । କଂଗ୍ରେସର ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିବା ନେଇ ବିଭିନ୍ନ ସମୟରେ ହେଉଥିବା ଚର୍ଚ୍ଚା ଏ ଗଣିତକୁ ଆହୁରି ଜଟିଳ କରୁଛି । ପାରାଦୀପ, ଏରସମା, ତିର୍ତ୍ତୋଲରେ ପ୍ରାର୍ଥୀ ବଦଳିବା ଚର୍ଚ୍ଚା ଥମୁନି । ନିମାପଡ଼ାରେ ସମୀର ଦାଶ ରିପିଟ ହେବେ କି ନୂଆମୁହଁ ଭାବେ ସୁବ୍ରତ ଛାଟୋଇଙ୍କ ପଲ୍ଲା ଭାରି ରହିବ, ବୁଝା ପଡ଼ୁନି । କାକଟପୁର ଅଙ୍କ ବି ଗୋଳମାଳିଆ ।

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପୁଣି ଥରେ ଶଶୀ ବେହେରା ରିପିଟ ହେବା ସମ୍ଭାବନା କମ୍‌ । କଂଗ୍ରେସ ଛାଡ଼ି ଗଣେଶ୍ୱର ବେହେରା ବିଜେଡିକୁ ଡେଇଁବା ଚର୍ଚ୍ଚା ଜୋର୍‌ ଧରିଛି । ତେଣୁ ଚିତ୍ର ଅସ୍ପଷ୍ଟ । ମାହାଙ୍ଗାରେ ପ୍ରତାପ ଜେନାଙ୍କ ପଲ୍ଲା ଭାରି ଥିଲେ ମଧ୍ୟ ଟିକଟ ପାଇଁ ନୂଆ ଆଶାୟୀ ମୁଣ୍ଡ ଟେକିଛନ୍ତି । ସାଲେପୁରରେ ପ୍ରାର୍ଥୀ ରିପିଟ ହେବା ସମ୍ଭାବନା ଅଧିକ । 

କଟକ ବାରବାଟୀ ଆସନରେ ବିଜେଡି କାହାକୁ  ପ୍ରାର୍ଥୀ କରିବ, ତାହା କୋଟିଏ ଟଙ୍କାର ପ୍ରଶ୍ନ । ରେସରେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରାଙ୍କ ନାଁ ଆଗରେ ଅଛି । ମାତ୍ର ଦଳ କୌଣସି ସରପ୍ରାଇଜ୍‌ କାର୍ଡ ଖେଳିପାରେ କଟକରେ । ଖଣ୍ଡପଡ଼ାରେ ଏକାଧିକ ଆଶାୟୀ ବିଜେଡିର ଚିନ୍ତା ବଢ଼ାଇଛି । 

ଭୁବନେଶ୍ୱର ଲୋକସଭାର ଏକମାତ୍ର ଜଟଣୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ବାକି ୬ ଆସନକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଭୁବନେଶ୍ୱର ସହରର ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ତୁଳନାରେ ମଧ୍ୟ ଭୁବନେଶ୍ୱର ଆସନରେ ଟିକଟ ଟଣାଓଟରା ଚିନ୍ତା ବଢ଼ାଇଛି । ଜୟଦେବକୁ ନେଇ ବି ଅଙ୍କ ଛିଣ୍ଡିପାରିନି । ସେହିପରି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ପାଇଁ ପ୍ରାର୍ଥୀ ଘୋଷଣା ହୋଇନି ।

ବରଗଡ଼ ଲୋକସଭା ଅନ୍ତର୍ଗତ ପଦ୍ମପୁର ଓ ଝାରସୁଗୁଡ଼ାରେ ୨ ମହିଳା ବିଧାୟକ ପୁଣି ରିପିଟ ହେବା ସମ୍ଭାବନା ଅଧିକ । ବ୍ରଜରାଜନଗର ବିଧାୟିକାଙ୍କ ଟିକଟ କଟିପାରେ ବା ପରିବାରରୁ ଅନ୍ୟ କୌଣସି ସଦସ୍ୟଙ୍କୁ ଟିକଟ ମିଳିପାରେ । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ଖରିଆରରୁ କଂଗ୍ରେସ ଛାଡ଼ି ଆସିଥିବା ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ଟିକଟ ଦେବା ପକ୍କା । ହେଲେ ନର୍ଲାରୁ ଭୂପିନ୍ଦର ସିଂହଙ୍କୁ ନେଇ ଛକାପଞ୍ଝା ଲାଗି ରହିଛି । 

ଢେଙ୍କାନାଳର ହିନ୍ଦୋଳରୁ ସୀମାରାଣୀ ନାୟକଙ୍କ ବଦଳରେ ସାଂସଦ ମହେଶ ସାହୁ ପ୍ରାର୍ଥୀ ହୋଇପାରନ୍ତି । ନମିତା ନାୟକଙ୍କ ନାଁ ବି ଚର୍ଚ୍ଚାରେ ଅଛି । ଅନୁଗୁଳରୁ ରଜନୀକାନ୍ତ ସିଂହଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହ ଓ ତାଳଚେରରୁ ପୁଣି ବ୍ରଜ ପ୍ରଧାନ ଟିକଟ ପାଇବା ସମ୍ଭାବନା ଅଛି । 

ସମ୍ବଲପୁର ଲୋକସଭା କ୍ଷେତ୍ରର କେବଳ ଛେଣ୍ଡିପଦା ପାଇଁ ବିଜେଡି ଟିକେଟ ଦେଇଛି । ବାକି ୬ ଆସନକୁ ନେଇ ପ୍ରବଳ ଅଙ୍କ କଷା ଚାଲିଛି । ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଆଗରେ ଅଛି । ସେହିପରି ଆଠମଲ୍ଲିକରେ ନଳିନୀକାନ୍ତ ପ୍ରଧାନଙ୍କୁ ଟିକଟ ମିଳିଲେ ବିଧାୟକ ରମେଶ ସାଏଙ୍କ ପତ୍ତା କଟିପାରେ । 

ଭଦ୍ରକ ଲୋକସଭାର ସୋର ଓ ସିମୁଳିଆ, କନ୍ଧମାଳର ଫୁଲବାଣୀ, ବାଲିଗୁଡ଼ା, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ସଦର, ନୀଳଗିରି, ରେମୁଣା, ଭୋଗରାଇ, ବଡ଼ସାହିରେ ଆଶାୟୀଙ୍କ ରକ୍ତଚାପ ବଢ଼ିଲାଣି ଟିକଟ ଅପେକ୍ଷାରେ । ସୁନ୍ଦରଗଡ଼ ଲୋକସଭାର ସମସ୍ତ ୭ ଆସନରେ ପ୍ରାର୍ଥୀ ଅନେଇ ରହିଛନ୍ତି ନବୀନ ନିବାସ ଘୋଷଣାକୁ । କେନ୍ଦୁଝର ସଦର, ଆନନ୍ଦପୁର, ତେଲକୋଇ ଓ ଚମ୍ପୁଆରେ ଏକାଧିକ ଆଶାୟୀ ଓ ନୂଆ ହିସାବ ନିକାସ ପାଇଁ ବିଜେଡି ଅଙ୍କ ଛିଣ୍ଡିପାରୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.