ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶେଷ ପର୍ଯ୍ୟାୟରେ ରୋଚକ ଲଢ଼େଇ: ୩୪ ବିଧାନସଭାରେ ବିଜେଡି- ବିଜେପି ସିଧା ଟକ୍କର, ୮ଟିରେ କଂଗ୍ରେସ ସହ ବିଜେଡିର ମୁକାବିଲା

ଭୁବନେଶ୍ୱର,୩୦/୦୫: ଶେଷ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ଆକ୍ରମଣ ମୁଦ୍ରାରେ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ରାଜ୍ୟ ବିଜେପି ନେତୃତ୍ୱଙ୍କ ନିଶାନାରେ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ଘନ ଘନ ଆକ୍ରମଣ । ପ୍ରଥମ ୩ଟି ପର୍ଯ୍ୟାୟ ପ୍ରଚାରରେ ଏଭଳି ତାତି ଦେଖାଯାଇ ନ ଥିଲା । 

ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଭୋଟ୍‌ ହେବାକୁ ଥିବା ଲୋକସଭା ଓ ବିଧାନସଭା ସିଟ୍‌ରେ ପ୍ରଚାର ଜୋରଦାର କରିଛନ୍ତି । ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ତୋଫାନୀ ଗସ୍ତ କରି ବିଜେଡି କର୍ମୀଙ୍କ ମନୋବଳ ବଢ଼ାଉଛନ୍ତି । ବିଜେପି ନେତାଙ୍କ ଆକ୍ରମଣର ଜବାବ ଦେଉଛନ୍ତି । ବଡ଼ ରୋଚକ ମୋଡରେ ପହଞ୍ଚିଛି ରାଜ୍ୟରେ ଏହି ମହାଲଢ଼େଇ ।

ରାଜ୍ୟରେ ୩ଟି ପର୍ଯ୍ୟାୟରେ ୧୫ ଲୋକସଭା ଓ ୧୦୫ ବିଧାନସଭା ଆସନ ପାଇଁ  ଭୋଟ୍‌ ସରିଛି । ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭାରେ ଜୁନ୍‌ ୧ରେ ଭୋଟ୍‌ ହେବ । ୨୦୧୯ରେ ୩୩ଟି ବିଧାନସଭା ବିଜେଡି ଜିତିଥିବା ବେଳେ ବିଜେପି ୯ଟିରେ ଜିତିଥିଲା । କଂଗ୍ରେସ କୌଣସି ଆସନରେ ଖାତା ଖୋଲିପାରିନଥିଲା । 

ମୟୂରଭଞ୍ଜ ଲୋକସଭାରେ ୭ ବିଧାନସଭା ଆସନରୁ ୫ ଆସନରେ ଜିତିଥିଲା ବିଜେପି । ବାଲେଶ୍ୱର ଲୋକସଭା କ୍ଷେତ୍ରରେ ୩ଟି ଏବଂ ଭଦ୍ରକ୍‌ ଲୋକସଭା କ୍ଷେତ୍ରରେ ଗୋଟିଏ ଆସନ ହାତେଇଥିଲା । ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ୨୧ ଆସନ ମଧ୍ୟରୁ ଗୋଟିଏ ବି ଜିତି ନଥିଲା ବିଜେପି ।

ଏଥର ବିଜେଡି ତାର ଉପକୂଳ ଗଡ଼ (ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଓ ଭଦ୍ରକ) ସୁରକ୍ଷିତ ରଖିବ ନା ଧସେଇ ପସିବ ବିଜେପି? ମୟୂରଭଞ୍ଜ ଓ ବାଲେଶ୍ୱରରେ ପଲଟିବ କି ଚିତ୍ର? ବିଜେଡି ଓ ବିଜେପି ଉଭୟ ଦଳ ଶେଷ ବଳ ଖଟାଇ ଦେଇଛନ୍ତି ପରସ୍ପରଠୁ ଆସନ ଛଡ଼ାଇ ଆଣିବାକୁ । କଂଗ୍ରେସ ବି ବଲେଶ୍ୱରରେ କିଛି ଆସନରେ ମାଂସପେଷି ଆଣ୍ଟ କରୁଛି । ଜୁନ୍‌ ୧ରେ କାହାକୁ ବାଛିବେ ଭୋଟର? ଏଥର ୩୪ଟି ବିଧାନସଭାରେ ବିଜେଡି-ବିଜେପି ଟକ୍କର ହେଉଛି । ବାକି ୮ଟିରେ କଂଗ୍ରେସ ସହ ବିଜେଡିର ଲଢ଼େଇ ହେଉଛି ।

୨୦୧୯ରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବିଜୟ ବାନା ଉଡାଇ ପଦ୍ମ ଶିବିର ଉତ୍ସାହିତ ହୋଇଥିଲା । ୭ରୁ ୫ ବିଧାନସଭା ହାତେଇଥିଲା । ହେଲେ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ଶଙ୍ଖ ଶିବିରକୁ ବଳ ଯୋଗାଇ ଦେଇଛି । ଅଧିକାଂଶ ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା ।  ମୟୂରଭଂଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ କରଞ୍ଜିଆ କେନ୍ଦୁଝର ଲୋକସଭା ଓ ବଡସାହି ବାଲେଶ୍ୱର ଲୋକସଭା କ୍ଷେତ୍ର ଅଧୀନରେ ରହିଛି । 

୨୦୧୯ରେ ବିଜେଡି ମୋରଡା ଓ ବାଙ୍ଗିରିପୋଷିରେ ବିଜୟୀ ହୋଇଥିଲା । ଯଶୀପୁର, ରାଇରଙ୍ଗପୁର, ସାରସକଣା, ବାରିପଦା ଓ ଉଦଳା ସିଟ୍‌ କବ୍‌ଜା କରିଥିଲା ବିଜେପି । ଉଭୟ ବିଜେଡି ଓ ବିଜେପି ଏଥର ଅନେକ ସିଟ୍‌ରେ ପ୍ରାର୍ଥୀ ବଦଳାଇଛନ୍ତି । ବାଙ୍ଗିରିପୋଷି ବିଜେଡି ବିଧାୟକ ସୁଦାମ ମାରାଣ୍ଡି ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପତ୍ନୀ ଏବେ ବିଧାୟକ ପ୍ରାର୍ଥୀ । ସେହିପରି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ବିଜେପି ସାଂସଦ ପ୍ରାର୍ଥୀ କରି ସେଠାରେ ନୂଆ ମୁହଁ ଦେଇଛି । ମୋରଡା ବିଜେଡି ବିଧାୟକଙ୍କ ବଦଳରେ ତାଙ୍କ ପତ୍ନୀ ପ୍ରାର୍ଥୀ ହୋଇଛନ୍ତି । ବିଜେପି ସାରସକଣା ବିଧାୟକଙ୍କ ଟିକଟ କାଟି ନୂଆ ପ୍ରାର୍ଥୀ ଦେଇଛି । ଏଠାରେ କଂଗ୍ରେସ ସଂଗଠନ ଦୁର୍ବଳ ଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କିଛି ଅଞ୍ଚଳରେ ଭୋଟ୍‌ ରହିଛି । 

ମୋଟାମୋଟି କହିବାକୁ ଗଲେ ଏହି ୭ଟି ଆସନରେ ବିଜେଡି-ବିଜେପି ସିଧା ଟକ୍କର ହେଉଛି । ଅଳ୍ପ ଭୋଟରେ ନିର୍ଦ୍ଧାରଣ ହେବ ହାରଜିତ୍‌ ବୋଲି କୁହାଯାଉଛି । 

ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାଲେଶ୍ୱର ସଦର, ନୀଳଗିରି ଓ ବଡସାହିରେ ପଦ୍ମ ଫୁଟିଥିଲା । ଜଳେଶ୍ୱର, ଭୋଗରାଇ, ବସ୍ତା ଓ ରେମୁଣାରେ ବିଜେଡି ବିଜୟୀ ହୋଇଥିଲା । ଭୋଗରାଇ, ବସ୍ତାରେ କଂଗ୍ରେସ ପ୍ରଦର୍ଶନ ଭଲ ଥିଲା । ଏଥର ମଧ୍ୟ ୫ଟି ସିଟ୍‌ରେ ବିଜେଡି-ବିଜେପି ଓ ୨ଟିରେ କଂଗ୍ରେସ ସହ ବିଜେଡିର ମୁକାବିଲା ହେଉଛି । ଗତଥର ଜିତିଥିବା ବାଲେଶ୍ୱର, ନୀଳଗିରି, ବଡସାହି ସମତେ ରେମୁଣା ଆସନକୁ ଛଡ଼ାଇ ନେବାକୁ ବିଜେପି ଆଶାବାଦୀ । ଭୋଗରାଇ ଓ ବସ୍ତାରେ ଗତ ଥରର ପ୍ରାର୍ଥୀ ରିପିଟ୍‌ କରି ବିଜୟ ସ୍ୱାଦ ଚାଖିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି । ଭଦ୍ରକ ଲୋକସଭା ଅଧୀନରେ ୭ଟି ବିଧାନସଭାରୁ କେବଳ ଧାମନଗରରେ ବିଜେପି ବିଧାୟକ ଅଛନ୍ତି । ଅନ୍ୟ ୬ଟି ବିଜେଡି ଦଖଲରେ । ଭଣ୍ଡାରିପୋଖରୀ ଓ ବାସୁଦେବପୁରରେ କଂଗ୍ରେସ ଗତ ଥର ଭଲ ପ୍ରଦର୍ଶନ କରିଥିଲା । ଅନ୍ୟ ସବୁଠି ବିଜେଡି-ବିଜେପି ମୁକାବିଲା ହୋଇଥିଲା । 

 ଭଣ୍ଡାରିପୋଖରୀରେ ଏଥର ପୁଣି ଲଢୁଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ମଇଦାନକୁ ଛାଡିଛି ବିଜେଡି । ବାସୁଦେବପୁରରେ ୨୦୧୯ରେ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ଟକ୍କର ଦେଇଥିଲେ କଂଗ୍ରେସର ଅଶୋକ କୁମାର ଦାସ । ଏଥର ମଧ୍ୟ ଏହି ଦୁଇ ଜଣ ମୁହାଁମୁହିଁ ହୋଇଛନ୍ତି ।   ସୋରରେ ଏଥର ବିଜେଡି ଓ ବିଜେପି ପ୍ରାର୍ଥୀ ଅଦଳବଦଳ କରିଛନ୍ତି । ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଲଢ଼େଇ ହେଉଛି ବିଜେଡିର ବ୍ୟୋମକେଶ ରାୟଙ୍କ ସହିତ ।  ଭଦ୍ରକ ସିଟ୍‌ରେ ମଧ୍ୟ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ)ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏଠାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବିଜେଡି ପ୍ରାର୍ଥୀ । ଧାମନଗରରେ ବିଜେପିର ସୂରଜ ସୂର୍ଯ୍ୟବଂଶୀଙ୍କୁ ହରାଇବାକୁ ବିଜେଡି ଡାକ୍ତର ସଂଜୟ ଦାସଙ୍କୁ ମଇଦାନକୁ ଛାଡିଛି । ସିମୁଳିଆରେ ବିଜେଡି ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ମହିଳା ପ୍ରାର୍ଥୀ ଦେଇଛି । ୫ଟି ଆସନରେ ବିଜେଡି-ବିଜେପି ଭିତରେ କାଣ୍ଟେ କି ଟକ୍କର ହେଉଛି । ଦୁଇଟିରେ କଂଗ୍ରେସ ଖାତା ଖୋଲିବାକୁ ଅଶାବାଦୀ ରହିଛି । 

କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭାରେ ଗତ ଥର ବିଜେଡି ଜିତିଥିଲା ।  ଏଥର ମଧ୍ୟ ସମାନ ଫଳ ଦୋହରାଇବା ଲକ୍ଷ୍ୟରେ ରହିଛି ବିଜେଡି । କେନ୍ଦ୍ରାପଡା ବିଧାନସଭାରେ ଗତଥର କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ଏଥର ବିଜେଡି ପ୍ରାର୍ଥୀ । ୨୦୦୯ରେ ଏଠାରେ ବିଜେଡିରୁ ଜିତିଥିବା ସିପ୍ରା ମଲ୍ଲିକ ଏଥର କଂଗ୍ରେସ ପ୍ରାର୍ଥୀ । 

ଆଳିରେ ୨୦୧୯ରେ ପ୍ରତାପ ଦେବ ଜିତିଥିଲେ ବି କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ପାଖାପାଖି ୪୪ ହଜାର ଭୋଟ ପାଇଥିଲେ । ଏଥର ତାଙ୍କ ଝିଅ ଦେବସ୍ମିତା ଶର୍ମା ପ୍ରାର୍ଥୀ ହେବା ସହିତ କଂଗ୍ରେସ ଜୋରଦାର ଲଢେଇ କରୁଛି । ରାଜନଗରରେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଥିବା ଅଂଶୁମାନ ମହାନ୍ତି ହାରିଥିଲେ ବି ୬୦ ହଜାରରୁ ଅଧିକ ଭୋଟ ପାଇଥିଲେ । ଅଂଶୁମାନ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ରାଜନଗରରୁ ନୂଆ ମୁହଁ ଅଶୋକ ପ୍ରତିହାରୀଙ୍କୁ ପ୍ରାର୍ଥୀ କରି ଟକ୍କର ଦେଉଛି ।

କେନ୍ଦ୍ରାପଡା, ଆଳି ଓ ରାଜନଗରରେ କଂଗ୍ରେସ ସହ ବିଜେଡିର ମୁକାବିଲା ହେଉଛି । ଅନ୍ୟ ୪ଟି ମାହାଙ୍ଗା, ସାଲେପୁର, ମହାକାଳପଡା ଓ ପାଟକୁରାରେ ବିଜେଡି ସହ ବିଜେପିର ଫାଇଟ୍‌ ହେଉଛି । ଗଣେଶ୍ୱର, ଅଂଶୁମାନ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଶଙ୍ଖ ଶିବିରର ବଳ ବଢ଼ିଛି । ସେହିପରି ପାଟକୁରାରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ପ୍ରାର୍ଥୀ । ଫଳରେ ମହାକାଳପଡା ଓ ପାଟକୁରାରେ ବିଜେପି ଭୋଟବ୍ୟାଙ୍କ ଦୋହଲି ଯାଇଛି ।

ଯାଜପୁର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଗତ ଥର ବିଜେଡି ଖାତାକୁ ଯାଇଥିଲା । ଏଥର କିନ୍ତୁ ସବୁଠି ବିଜେପି ସହ କଡା ମୁକାବିଲା । ବଡଚଣାରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ଟିକଟ କାଟି ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କୁ ଭରସା କରିଛି । ଏଠାରେ ଗତ ଥର ଅଳ୍ପ ଭୋଟରେ ହାରିଥିବା ବିଜେପିର ଅମର ନାୟକ ଏଥର ବିଜୟ ପାଇଁ ଜୀ ଜାନ୍‌ ଲଗାଇ ଦେଇଛନ୍ତି । 

ଧର୍ମଶାଳାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ସାହୁ କଡା ଟକ୍କର ଦେଉଛନ୍ତି । କୋରେଇରେ ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ମୁକାବିଲା କରୁଛନ୍ତି ବିଜେପିର ଆକାଶ ଦାସ ନାୟକ । ମୋଟାମୋଟି କହିବାକୁ ଗଲେ ଏହି ୭ଟି ସିଟରେ ବିଜେପି ବିଜେଡି ପ୍ରାର୍ଥୀଙ୍କୁ ସିଧା ଟକ୍କର ଦେଉଛନ୍ତି ଓ ଏଥର ଜିଲ୍ଲାରେ ଖାତା ଖୋଲିବାକୁ ପଦ୍ମ ଶିବିର ବେଶ ଆଶାବାଦୀ ।

ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ବିଜେଡି କବଜାରେ ରହିଛି । ଜଗତସିଂହପୁରରେ ବିଜେଡି ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସ ପଦ୍ମ ପୋଖରୀକୁ ଡେଇଁ ଏବେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ଟକ୍କର ଦେଉଛନ୍ତି । ନିମାପଡା ଆସନରେ ବିଜେଡି ବିଧାୟକ ସମୀର ଦାଶଙ୍କ ଟିକଟ୍‌ କଟିବା ପରେ ସେ ଏବେ ପଦ୍ମ ଶିବିରରେ । ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ଜିତାଇବାକୁ ସମୀର ପ୍ରଚାର କରୁଛନ୍ତି । ବାଲିକୁଦା- ଏରସମା, ପାରାଦୀପ, ନିଆଳି ଓ କାକଟପୁରରେ ମଧ୍ୟ ବିଜେଡି- ବିଜେପି ସିଧା ଲଢ଼େଇ ହେଉଛି । କେବଳ ତିର୍ତ୍ତୋଲରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ଭଲ ଫାଇଟ୍‌ ଦେଉଛନ୍ତି ।  ଏହି ସଂସଦୀୟ କ୍ଷେତ୍ରରେ ଏବେ ପରିସ୍ଥିତି ଯାହା ବିଜେପି ମଧ୍ୟ ଖାତା ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.