ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଓଡ଼ିଶାରେ ଦଳଡିଆଁ ପର୍ବ, ସବୁ ଟିକଟ ପାଇଁ ନାଟ: ବିଜେଡିରେ ସାମିଲ ହୋଇ ଟିକଟ ନେବେ ! ବିଜେପିରୁ ପାଇଲେ ଲଢ଼ିବେ,ଆଉ କଂଗ୍ରେସରୁ...

Published By : Prameya | March 30, 2024 9:18 AM

ଭୁବନେଶ୍ୱର,୩୦/୦୩: କଂଗ୍ରେସର ବଲାଙ୍ଗିର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅତି ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ସୁରେନ୍ଦ୍ର ସିଂ ଭୋଇ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି । ଗୁରୁବାର ସେ ଇସ୍ତଫା ଦେଇଥିଲେ କଂଗ୍ରେସରୁ । ବିଜେଡି ତାଙ୍କୁ ବଲାଙ୍ଗୀରରୁ ସାଂସଦ ପ୍ରାର୍ଥୀ କରିବାକୁ ଗ୍ୟାରେଣ୍ଟି ଦେଇଥିବା ଆଲୋଚନା ହେଉଛି । 

ଶଙ୍ଖ ଧରିବା ପରେ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି । ନୂଆ ଓଡ଼ିଶା ଗଠନ ପାଇଁ ସେ ଯାହା ଦାୟିତ୍ୱ ଦେବେ ତୁଲାଇବି ।

ସେହିଭଳି କଂଗ୍ରେସ ଛାଡ଼ି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏ ଦୁଇ କଂଗ୍ରେସ ନେତା ସୁନିଶ୍ଚିତ ଟିକଟ ଓ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଦଳ ଡେଇଁଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ମଧ୍ୟ ଶୁକ୍ରବାର ବିଜେଡିରୁ ବିଜେପିକୁ ଡେଇଁଛନ୍ତି ।

ଦଳୀୟ ଟିକଟ ହାତେଇବାକୁ ଆୟାରାମ ଗୟାରାମ୍‌ ଏବେ ପୂରା ସକ୍ରିୟ । କିଏ ପଦ୍ମ ପୋଖରୀକୁ ବାଏ ବାଏ କହି ଶଙ୍ଖ ଫୁଙ୍କିଲେଣି । ଆଉ କିଏ ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଲେଣି । କଂଗ୍ରେସ ସହ କିଏ ସମ୍ପର୍କ ତୁଟାଇ ପଦ୍ମ-ଶଙ୍ଖ ମୁହାଁ ମଧ୍ୟ ହେଲେଣି । 

ଦଳଡିଆଁ ପର୍ବ- ସବୁ ଟିକଟ ପାଇଁ ନାଟ । କଂଗ୍ରେସିଆ ଟିକଟ ପାଇଲେ ବି ହାରିବା ନିଶ୍ଚିତ ଜାଣି ବିଜେଡି କି ବିଜେପିକୁ କୋଳେଇ ନେଉଛନ୍ତି । ବିଜେଡି ବିଦ୍ରୋହୀ ବିଜେପି ମୁହାଁ । ରାଜନୈତିକ ମୂଲ୍ୟବୋଧ, ନୈତିକତା, ଆନୁଗତ୍ୟ ସବୁକିଛି ରାତାରାତ ବଦଳି ଯାଉଛି । ଗତକାଲି ଯାଏ ଗୋଟିଏ ଦଳର ତୀବ୍ର ବିରୋଧୀ ଆଜି ସେହି ଦଳର ଗୁଣଗାନ କରୁଛି । ଆଜି ଯିଏ ପ୍ରିୟ ନେତା, କାଲି ଅପାରଗ ହୋଇ ଯାଉଛନ୍ତି ଆଉ ଯିଏ ଅପାରଗ ଥିଲା ସେ ଏବେ ବିକାଶ ପୁରୁଷ ଏ ଦଳଡିଆଁମାନଙ୍କ ପାଇଁ । ମତଦାତା ଏଠି ଭକୁଆ ।  

ଶୁକ୍ରବାର ବିଜେପି ଛାଡ଼ିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଚର୍ଚ୍ଚା ହେଉଛି ସୁକାନ୍ତଙ୍କର ହେବ ଘରବାହୁଡ଼ା । ନିଜ ପୁରୁଣା ଦଳ ବିଜୁ ଜନତା ଦଳକୁ ସେ ପୁଣି ଫେରିବେ । ୨୦୧୪ରେ ସେ ବିଜେଡି ଟିକଟରେ ବିଧାନସଭାକୁ ଆସିଥିଲେ । ୨୦୧୯ରେ ବିଜେପିକୁ ଯାଇ ଦ୍ୱିତୀୟ ଥର ମଧ୍ୟ ବିଧାନସଭାକୁ ଆସିଥିଲେ । ସୁକାନ୍ତ ଶଙ୍ଖ ଫୁଙ୍କି ପୁଣି ବିଜେଡି ଟିକଟରେ ଭୋଟ ଲଢ଼ିବେ ବୋଲି ଆଲୋଚନା ହେଉଛି ।

ସୁକାନ୍ତଙ୍କ ଭଳି ପଦ୍ମ କ୍ୟାମ୍ପ୍‌କୁ ବାଏ ବାଏ କହିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ପ୍ରକାଶ ବିଜୁ ଜନତା ଦଳକୁ ଆସିିବେ । ବିଜେଡି ଟିକଟ ନେଇ ଚଳିତ ଭୋଟରେ ଭାଗ୍ୟ ପରୀକ୍ଷା କରିବେ । 

ଏମିତି ଚର୍ଚ୍ଚା ଏବେ ଘୂରିବୁଲୁଛି । ପ୍ରକାଶଙ୍କ କ୍ୟାରିୟର ଗ୍ରାଫ୍‌ କହୁଛି ସେ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେପି ଟିକଟରେ ଭାଗ୍ୟ ପରୀକ୍ଷା କରି ଫେଲ୍‌ ହୋଇଥିଲେ । ସେ ବିଜେପି କଟକ ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ । ଅପରପକ୍ଷରେ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ି ଟିକଟ ଆଶାରେ ବିଜେପିକୁ ଧରିଛନ୍ତି । 

ସେହିଭଳି ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଭେଟେରାନ ଭର୍ତ୍ତୃହରି ମହତାବ ବିଜେପିରେ ମିଶିଛନ୍ତି । ଅଭିଜ୍ଞ ଭର୍ତ୍ତୃହରିଙ୍କୁ ବିଜେଡି ଟିକଟ ଦେବାର ସମ୍ଭାବନା ଯଥେଷ୍ଟ କମ୍‌ ଥିଲା । ଏହାକୁ ଅନୁମାନ ଲଗାଇ ଠିକ୍‌ ଭୋଟ ପୂର୍ବରୁ ସେ ଦଳବଦଳ କରିଛନ୍ତି। ବିଜେପି କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଲଟକାଇ ରଖିଥିଲା ବେଳେ ଭର୍ତ୍ତୃହରିଙ୍କୁ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଟିକଟ ଆଶାରେ ପଦ୍ମ ଟୋପି ପିନ୍ଧିଛନ୍ତି ।

ସେହିଭଳି ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡ଼ି ବିଜେଡିରେ ମିଶିଲେ । ବିଜେଡି ତାଙ୍କୁ ଭରସା କରି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ପଦ୍ମ ଟୋପି ପିନ୍ଧିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ବ୍ରହ୍ମପୁର ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ କରିଛି । ରାଜନୈତିକ କ୍ୟାରିୟର ପାଇଁ ଦଳୀୟ ଟିକଟ ହାତେଇବାକୁ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିଛନ୍ତି ।

ବିଜେପି କେବଳ ପ୍ରଥମ ପର୍ଯ୍ୟାୟରେ ୧୮ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରଛି । ବିଧାନସଭାର କୌଣସି ଆସନ ପାଇଁ ନାମ ଘୋଷଣା କରିନି । କଂଗ୍ରେସ ନା ଲୋକସଭା ନା ବିଧାନସଭା କେଉଁଥି ପାଇଁ ପ୍ରାର୍ଥୀ ତାଲିକା ଜାରି କରିନି। ବିଜେଡି ଆହୁରି ୭୫ ବିଧାନସଭା ଓ ୬ ଲୋକସଭା ପାଇଁ ଯୋଦ୍ଧାଙ୍କ ନାମ ଘୋଷଣା କରିବାକୁ ବାକି ଅଛି । ତିନି ଦଳର ଆଉ କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଦଳଡିଆଁଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.