ଭୁବନେଶ୍ୱର,୦୩/୦୮: ଚଳିତବର୍ଷ ଜୁଲାଇରେ ରାଜ୍ୟ ଜିଏସ୍ଟି (ରାଜ୍ୟ ଜିଏସ୍ଟି + ସମନ୍ୱିତ ଜିଏସ୍ଟି ସେଟେଲ୍ମେଣ୍ଟ) ବାବଦକୁ ଓଡ଼ିଶା ୨୦୩୫.୧୮ କୋଟି ଟଙ୍କା ସଂଗ୍ରହ କରିଛି । ଏହା ୨୦୨୩ ଜୁଲାଇରେ ୧୬୨୮.୪୩ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ରହିଛି ୨୪.୯୮% । ପୁନଃ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ରାଜ୍ୟ ଜିଏସ୍ଟି ସଂଗ୍ରହ ପରିମାଣ ୮୮୬୬.୯୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବବର୍ଷ ସମାନ ଅବଧିରେ ଥିଲା ୭୦୫୫.୫୩ କୋଟି । ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ରହିଛି ୨୫.୬୭% ।
ସେହିପରି ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାର ମୋଟ ଜିଏସ୍ଟି (କେନ୍ଦ୍ରୀୟ ଜିଏସ୍ଟି, ରାଜ୍ୟ ଜିଏସ୍ଟି, ସମନ୍ୱିତ ଜିଏସ୍ଟି ଓ ସେସ୍) ସଂଗ୍ରହ ପରିମାଣ ୪୯୨୫.୦୨ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୩ ଜୁଲାଇରେ ଏହି ପରିମାଣ ଥିଲା ୪୨୪୫.୪୦ କୋଟି ଟଙ୍କା । ପୁନଃ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଓଡ଼ିଶାର ମୋଟ ଜିଏସ୍ଟି ସଂଗ୍ରହ ପରିମାଣ ୨୦୮୪୧.୩୩ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବବର୍ଷ ସମାନ ଅବଧିରେ ଥିଲା ୧୮୦୫୮.୮୪ କୋଟି । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୫.୪୧% ।
ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍ଟି କମିଶନରେଟ୍ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା-ରାଜ୍ୟ ଜିଏସ୍ଟି/ସମନ୍ୱିତ ଜିଏସ୍ଟି ଫଇସଲା, ଭାଟ୍, ବୃତ୍ତିକର ଆଦି ଅଧୀନରେ ଚଳିତ ବର୍ଷ ଜୁଲାଇ ମାସରେ ୩୨୦୯.୬୬ କୋଟି ଟଙ୍କା ସଂଗ୍ରହ ହୋଇଛି, ଯାହାକି ଗତବର୍ଷ ଜୁଲାଇ ମାସରେ ୨୭୧୬.୫୨ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୮.୧୫ ପ୍ରତିଶତ । ଚଳିତବର୍ଷ ଜୁଲାଇରେ ୨୧.୦୨ ଲକ୍ଷ ସଂଖ୍ୟକ ଇ-ୱେ ବିଲ୍ ଜାରି କରାଯାଇଛି, ଯାହା ପୂର୍ବ ବର୍ଷ ସମାନ ସମୟରେ ଥିଲା ୨୦.୧୩ ଲକ୍ଷ ।