ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଗୋଟାଉଛି ଓଡ଼ିଶାର ସାନ୍ତାଳି ଫିଲ୍ମ, ଚରିତ୍ରଠାରୁ ନିର୍ଦ୍ଦେଶନା ସବୁଠି ଜନଜାତିଙ୍କ ଛାପ

ଭୁବନେଶ୍ୱର ୧୦/୦୫: ଚଳଚ୍ଚିତ୍ରରେ ସାନ୍ତାଳି ଚେହେରା । ଅଭିନୟଠାରୁ ନିର୍ଦ୍ଦେଶନା ଯାଏ ସବୁଠି ସାନ୍ତାଳି ଭାବ । ନିରୀହ, ନିଷ୍କପଟ ଏହି ଜନଜାତିଙ୍କ ସଂସ୍କୃତି ଓ ଜୀବନ ଏବେ ପ୍ରତିବିମ୍ବିତ ହେଉଛି ଲାଇଟ୍‌,  କ୍ୟାମେରା ଓ ଆକ୍ସନ୍‌ ମାଧ୍ୟମରେ । କାହାଣୀଠାରୁ ଆରମ୍ଭ  କରି ଚରିତ୍ର ସବୁକୁ ଜୀବନ୍ୟାସ ଦେଉଛନ୍ତି ଦୁଇ ସାନ୍ତାଳି  ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମସୁନ୍ଦର ମାଝୀ ଓ ଦୀପକ  କୁମାର ବେଶ୍ରା । ଶ୍ୟାମ ବାଲେଶ୍ୱରର ହୋଇଥିବା ବେଳ  ଦୀପକ ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜର । 

୨୦୧୯ରେ ପ୍ରଥମ କରି ଶ୍ୟାମଙ୍କ ନିର୍ଦ୍ଦେଶନାରେ  ଆସିଥିଲା ସାନ୍ତାଳି ଚଳଚ୍ଚିତ୍ର ‘କୁକଲି’ । ଯାହାର ଅର୍ଥ  ପ୍ରଶ୍ନ । ବାଲେଶ୍ୱର ସ୍ଥିତ ମାର୍ଶଲ ମଣ୍ଡଓବା ପ୍ରଡକ୍ସନ୍‌  ସହାୟତାରେ ମୁକ୍ତିଲାଭ କରିଥିବା ଶ୍ୟାମଙ୍କ ଏହି ଚଳଚ୍ଚିତ୍ର  ପରବର୍ତ୍ତୀ ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ  ଚଳଚ୍ଚିତ୍ର ଉତ୍ସବ ଦ୍ୱାରା ୧୩୦ରୁ ଅଧିକ ପୁରସ୍କାର  ପାଇଥିଲା । ୨୦୨୨ରେ ଶ୍ୟାମଙ୍କ ନିର୍ଦ୍ଦେଶିତ ମୀରୁ (ଶୁଆ)  ମୁକ୍ତିଲାଭ କରିଥିଲା । ପିଙ୍କି ପ୍ରଡକ୍ସସନର ପ୍ରଯୋଜନାରେ  ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଇତିମଧ୍ୟରେ ୪୮ଟି  ଅନ୍ତର୍ଜାତୀୟ ପୁରସ୍କାର ପାଇପାରିଛି । 

ଶ୍ୟାମଙ୍କ ଭଳି ଦୀପକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର  ମୋହତ୍‌ (ମୂଲ୍ୟ) ଓ ପାପାୟା (ଏକ ଫଳର ନାମ)  ମଧ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଉତ୍ସବରେ ପ୍ରଶଂସା  ଅର୍ଜନ କରିଛି । ମୋହତ୍‌ ୨୦୨୨-୨୩ରେ ୭ଟି ପୁରସ୍କାର  ପାଇଥିବା ବେଳେ ପପାୟା ୨୦୨୪ରେ ଦୁଇଟି ପୁରସ୍କାର ପ୍ରାପ୍ତ କରିଛି । ଦୀପକ ଓ ଶ୍ୟାମଙ୍କ ୪ଟି ଯାକ ସାନ୍ତାଳି  ଚଳଚ୍ଚିତ୍ରରେ ଗୋଟିଏ କଥା ସମାନ । ସେଇଟା ହେଲା ନୂଆ  ଚରିତ୍ରଙ୍କୁ ସୁଯୋଗ ଦେବା । ଅର୍ଥାତ ଯେଉଁମାନଙ୍କର ପୂର୍ବରୁ  ଲାଇଟ-କ୍ୟାମେରା ଓ ଆକ୍ସନ୍‌ ସହ କୌଣସି ସମ୍ପର୍କ  ନଥିଲା । ଏଥିପାଇଁ ସେମାନଙ୍କୁ ବିଭିନ୍ନ ସମୟରେ ବିପରୀତ  ପାରିପାଶ୍ୱିର୍କ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । ପରେ  ଯାଇ ସେମାନଙ୍କୁ ଚରିତ୍ର ସ୍ୱରୂପ ଦିବ୍ୟାଜ୍ୟୋତି ମାରାଣ୍ଡି, ଶିବ ହେମ୍ବ୍ରମ ଓ ତୁଫାନ ସୋରେଙ୍କ ସନ୍ଧାନ ମିଳିଛି ।  

ଦିବ୍ୟାଜ୍ୟୋତି ଓ ତୁଫାନ ମୟୂରଭଞ୍ଜର ହୋଇଥିବା  ବେଳେ ଶିବ ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳର । ଦିବ୍ୟଜ୍ୟୋତି କହନ୍ତି, ଯେତେବେଳେ ମୁଁ  ‘କୁକଲି’ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ  କରିଥିଲି ସେତେବେଳେ ବାଲେଶ୍ୱରର ବୈଷ୍ଣବ  ବନ୍ଧ ଆଶ୍ରମ ସ୍କୁଲରେ ଷଷ୍ଠ ପଢ଼ୁଥିଲି । ‘ମୀରୁ’  ଚଳଚ୍ଚିତ୍ରରେ ଅଭିନୟ ବେଳକୁ ଉକ୍ତ ସ୍କୁଲରେ ନବମ  ଶ୍ରେଣୀ ହୋଇଯାଇଥିଲା । ସମାନ ଭାବେ ଶିବ ଏବେ ଜାମ୍‌ସେଦପୁରର ରୋବର୍ଟ ହାଇସ୍କୁଲରେ ସପ୍ତମ  ଶ୍ରେଣୀରେ ପଢ଼ୁଥିବା ବେଳେ ତୁଫାନ ବାରିପଦାର  ତଳଡିହି ପ୍ରାଥମିକ ସ୍କୁଲରେ ୫ମ ଶ୍ରେଣୀରେ ପଢ଼ୁଛନ୍ତି । ଦୀପକ କହନ୍ତି, ବାରିପଦାର ବିଭିନ୍ନ ସ୍କୁଲରେ  ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଜରିଆରେ ମୁଁ ତୁଫାନକୁ  ପାଇଛି । ଏଥିପାଇଁ ମୋତେ ବାରିପଦାର ୩ଟି ସ୍କୁଲ  ଯିବାକୁ ପଡ଼ିଥିଲା । 

୩ଟି ଯାକ ଚଳଚ୍ଚିତ୍ର କାହାଣୀ ସାମ୍ପ୍ରତିକ ଘଟଣାବଳୀ  ସହ ଆଦିବାସୀଙ୍କ ଜୀବନ କିପରି ପ୍ରଭାବିତ ହେଉଛି ତାହା  ଉପରେ ପର୍ଯ୍ୟବସିତ । ଶ୍ୟାମସୁନ୍ଦର ମାଝୀଙ୍କ ନିର୍ଦ୍ଦେଶିତ  ‘କୁକଲି’ ଚଳଚ୍ଚିତ୍ରରେ ବିଶ୍ୱରେ ବିଭିନ୍ନ ପ୍ରକାର ଧ୍ୱଂସଲୀଳା  ଚାଲିଥିବା ବେଳେ ସାଧାରଣ ମଣିଷ ଜୀବନରେ କିପରି  ଶାନ୍ତିର ଆବଶ୍ୟକତା ରହିଛି ତାହାକୁ ପରିସ୍ପୁଟ କରାଯାଇଛି ।  ଏଥିରେ ମୁଖ୍ୟ ଚରିତ୍ର ଭୂମିକାରେ ଅଭିନୟ କରିଥିବା ପୁକଲି ଏକ ଟେଲିଭିଜନ୍‌ ଚ୍ୟାନେଲରେ ଯୁଦ୍ଧର ଧ୍ୱଂସଲୀଳା  ଦେଖିବା ପରେ କିପରି ବିବ୍ରତ ହୋଇପଡ଼ିଛନ୍ତି ତାହା  ପ୍ରଦର୍ଶିତ କରାଯାଇଛି । ସେହିପରି ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର  ‘ମୀରୁ’ରେ ଏକ ଶୁଆର ଜୀବନ ସହ ମୀରୁର ଜୀବନକୁ  ତୁଳନା କରିବାକୁ ଚେଷ୍ଟା କରାଯାଇଛି । ଚଳଚ୍ଚିତ୍ରରେ ମୀରୁର  ବାପା ମୀରୁକୁ ପାରିବାରିକ କଳହ ଓ ଦ୍ୱନ୍ଦ୍ୱ ଭିତରକୁ ଟାଣୁଥିବା  ବେଳେ ତା’ର ମା’ କିପରି ତାକୁ ସବୁ ସମୟରେ ପଢ଼ିବାକୁ  ଉତ୍ସାହିତ କରିଛନ୍ତି ତାହା ଦେଖାଇବାର ପ୍ରୟାସ କରାଯାଇଛି । 

ଦୀପକ କୁମାର ବେଶ୍ରାଙ୍କ ନିର୍ଦ୍ଦେଶିତ ‘ମୋହତ’  ସ୍ଥିରତା ଓ ସମୟର ଗୁରୁତ୍ୱକୁ ଏକ ଭିନ୍ନ ଢଙ୍ଗରେ  ପରିବେଷଣ କରିବାକୁ ଚେଷ୍ଟା କରିଛି । ଏହି ଚଳଚ୍ଚିତ୍ରରେ  ମୋବାଇଲ୍‌ ଫୋନ୍‌ ସହ ଶିକ୍ଷାର ପରିଣାମକୁ ସଂଯୋଗ  କରାଯାଇଛି । ସମାନ ଭାବେ ‘ପାପାୟା’ ଚଳଚ୍ଚିତ୍ରରେ  ପାଠପଢ଼ାର ଗୁରୁତ୍ୱକୁ ଦେଖାଇବାର ଚେଷ୍ଟା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.