ଭୁବନେଶ୍ୱର,୧୯/୦୯: ମୁଣ୍ଡ ପିଛା ଆୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଓଡ଼ିଶା । ଏ କ୍ଷେତ୍ରରେ ପଶ୍ଚିମବଙ୍ଗକୁ ଟପିଯାଇଛି ରାଜ୍ୟ । ଏହି ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍) ପକ୍ଷରୁ ପ୍ରସ୍ତୁତ ପେପର୍ରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି ।
ଇଏସି-ପିଏମ୍ ସଦସ୍ୟ ସଞ୍ଜୀବ ସାନ୍ୟାଲ ଏବଂ ଯୁଗ୍ମ ନିର୍ଦ୍ଦେଶକ ଆକାଂକ୍ଷା ଆରୋରାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପେପର୍ ଅନୁସାରେ, ୨୦୨୩-୨୪ରେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% ଛୁଇଁଛି, ଯାହାକି ୧୯୯୦- ୯୧ରେ ମାତ୍ର ୫୪.୩% ଥିଲା। ୧୯୬୦ରେ ଏହା ୭୦.୯% ଥିବାବେଳେ ଏଥିରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ରାଜ୍ୟର ସମାବେଶୀ ନୀତି ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନା ଫଳରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛି ଓଡ଼ିଶା ।
ବର୍ତ୍ତମାନ ଭାରତର ମୁଣ୍ଡ ପିଛା ଆୟ ୧.୮୪ ଲକ୍ଷ ଥିବାବେଳେ ଓଡ଼ିଶାର ରହିଛି ୧.୬୧ ଲକ୍ଷ ଟଙ୍କା । ଗତ ଦୁଇ ଦଶନ୍ଧିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ରାଜ୍ୟ । ଯଦିଓ ଜାତୀୟ ହାରାହାରିଠାରୁ କମ୍ ରହିଛି ତଥାପି ୮୮.୫%କୁ ବୃଦ୍ଧି ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି। ଏହାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି ଯେ, ଆମର ସମାବେଶୀ ନୀତି ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନା ଯୋଗୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% କୁ ବୃଦ୍ଧି ପାଇଛି, ଯାହାକି ୨୦୦୦-୦୧ରେ ୫୫.୮% ଥିଲା । ଏହି ଦୁଇ ଦଶନ୍ଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ରାଜ୍ୟର ଯୋଗଦାନ ୨.୩%ରୁ ବଢ଼ି ୨.୮% ହୋଇଛି । ଆଲୋଚ୍ୟ ଅବଧିରେ ଓଡ଼ିଶାର ଅଗ୍ରଗତିକୁ ନେଇ ଇଏସି-ପିଏମ୍ ପ୍ରଶଂସା କରିଥିବା ଜାଣି ଅତ୍ୟନ୍ତ ଖୁସି ଅନୁଭବ କରୁଛି ।
Glad to know that our inclusive policies and prudent economic management have helped #Odisha increase its relative per-capita income from 55.8% in 2000-01 to 88.5% in 2023-24 and boost state’s share in country’s GDP from 2.3% to 2.8% during the period. Happy to know that Economic… pic.twitter.com/xr2RhBAnqt
— Naveen Patnaik (@Naveen_Odisha) September 18, 2024
୧୯୬୦-୬୧ରେ ପଶ୍ଚିମବଙ୍ଗର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୧୨୭.୫% ଥିଲା, ଯାହା ୨୦୨୩-୨୪ରେ ୮୩.୭%କୁ ହ୍ରାସ ପାଇଛି । ବିହାର ସମେତ ଅନ୍ୟାନ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଅର୍ଥନୈତିକ ପ୍ରଦର୍ଶନକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି । ଜାତୀୟ ହାରାହାରିର ୩୨.୮% ମୁଣ୍ଡ ପିଛା ଆୟ ସହିତ ବିହାର ସବୁଠାରୁ ଗରିବ ରାଜ୍ୟ ରହିଛି । ଯଥାକ୍ରମେ ୫୭.୨% ଏବଂ ୭୩.୭% ମୁଣ୍ଡ ପିଛା ଆୟ ସହିତ ଏହା ପଛକୁ ଝାଡ଼ଖଣ୍ଡ ଏବଂ ଆସାମ ରହିଛନ୍ତି । ଜାତୀୟ ହାରାହାରିର ୨୫୦.୮% ମୁଣ୍ଡ ପିଛା ଆୟ ସହିତ ଦିଲ୍ଲୀ ସବୁଠାରୁ ଧନୀ ରାଜ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ପଛକୁ ୧୯୩.୬% ସହିତ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ, ୧୮୦.୭% ସହିତ କର୍ଣ୍ଣାଟକ ତୃତୀୟ ସ୍ଥାନରେ, ୧୭୬.୮% ସହିତ ହରିୟାଣା ଚତୁର୍ଥ ସ୍ଥାନରେ ଏବଂ ୧୭୧.୭% ସହିତ ତାମିଲନାଡୁ ପଞ୍ଚମ ସ୍ଥାନରେ ରହିଛି ।