ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୫ କିଲୋ ଚାଉଳ ପାଇଁ ପ୍ରବାସରୁ ଫେରିବେ, ନଆସିଲେ କଟିଯିବ ରାସନ୍‌ କାର୍ଡରୁ ନାଁ

କଟକ, ୦୩/୦୯ (ଜଗନ୍ନାଥ ରାଉତ) : ରୋଜଗାର ପାଇଁ ମାସକ ତଳେ ମୁମ୍ବାଇ ଯାଇଛନ୍ତି ସ୍ୱାମୀ । ଟଙ୍କାଟିଏ ପାଖରେ ନଥିଲା । ଧାରଉଧାର କରି ଗାଡ଼ି ଟିକେଟ୍‌ ଟଙ୍କା ଯୋଗାଡ଼ କରି ଯାଇଥିଲେ । ମାସେ ପୂରିନି ଏବେ ୫ କେଜି ଚାଉଳ ପାଇଁ ପୁଣି ଗାଁ ଫେରିବାକୁ ପଡ଼ିବ । ଡିଲର କହିଛନ୍ତି, ଗାଁକୁ ଆସି ଆଙ୍ଗୁଠି ଛାପ ନଦେଲେ ୫କେଜି ଚାଉଳ ଆଉ ମିଳିବନି । ପ୍ରତ୍ୟେକ ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସ୍‌ ବାଧ୍ୟତାମୂଳକ କରାଯିବା ପରେ ଏଭଳି ସମସ୍ୟାରେ ପଡ଼ିଛନ୍ତି କଟକର ନିର୍ମଳା ବେଉରାଙ୍କ ସ୍ୱାମୀ । ୫ କିଲୋ ଚାଉଳ ଛୋଟକଥା ନୁହେଁ ନିର୍ମଳାଙ୍କ ପାଇଁ । ତେଣୁ ସ୍ୱାମୀଙ୍କୁ ଫେରିବାକୁ ପଡ଼ିବ । 

ଜଗତସିଂହପୁର ଜିଲ୍ଲାର ଆଉ ଜଣେ ମହିଳା ରେବତୀ ଓଝା ମଧ୍ୟ ସମାନ ଭାବେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ତାଙ୍କ ସ୍ୱାମୀ ଶଙ୍କର୍ଷଣ ଓଝା ଯଦିଓ ଛଅ ମାସ ତଳୁ ସୁରଟ୍‌ ଯାଇଛନ୍ତି, ଏଇ ଅବେଳରେ ଫେରିବା ପାଇଁ ତାଙ୍କର କୌଣସି ଯୋଜନା ନଥିଲା । ଝିଅ ବାହାଘର ପାଇଁ ଧାରଉଧାର ଅଛି । ତେଣୁ ଆର ବର୍ଷ ରଜକୁ ଘରକୁ ଆସିଥାନ୍ତେ । କିନ୍ତୁ ଏବେ ଇ-କେୱାଇସି ପାଇଁ ବାଧ୍ୟ ହୋଇ ଶଙ୍କର୍ଷଣଙ୍କୁ ଫେରିବାକୁ ପଡ଼ୁଛି । କେବଳ ନିର୍ମଳା କି ରେବତୀଙ୍କ ପରିବାରର କଥା ଏହା ନୁହେଁ । ପ୍ରବାସରେ ରହୁଥିବା ହଜାର ହଜାର ଲୋକ ଏବେ ୫କେଜି ଚାଉଳ ପାଇଁ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଆଉ କିଛି ବାଟ ହିଁ ନାହିଁ । ଇ-କେୱାଇସି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା କେବଳ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇନାହିଁ, ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । 

ରାଜ୍ୟରେ ପ୍ରାୟ ୮୫ ଲକ୍ଷ ରାସନ୍‌ କାର୍ଡ ରହିଛି । ଏହା ଦ୍ୱାରା ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । କିନ୍ତୁ ଦୀର୍ଘବର୍ଷ ଧରି ଯାଞ୍ଚ୍‌ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ହିତାଧିକାରୀଙ୍କ ନାମରେ ବି ଖାଉଟି ସାମଗ୍ରୀ ଉଠୁଥିଲା । ଫଳରେ ହଜାରହଜାର କୁଇଣ୍ଟାଲ ଖାଉଟି ସାମଗ୍ରୀ ବାଟମାରଣା ହୋଇଆସୁଥିଲା । ଏଥିରେ ରୋକ୍‌ ଦେବା ଲାଗି ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି । ରାସନ୍‌ କାର୍ଡ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ଏହି ଇ-କେୱାଇସି ଲାଗୁ କରାଯାଇଛି । ଅର୍ଥାତ ଗୋଟେ ରାସନ୍‌ କାର୍ଡରେ ପରିବାର ଯେତେଜଣଙ୍କ ନାମ ରହିଛି ସେମାନେ ସମସ୍ତେ ନିଜର ଫିଙ୍ଗର୍‌ପ୍ରିଣ୍ଟ ଦେବେ । ପ୍ରତ୍ୟେକ ଡିଲର୍‌ ପଏଣ୍ଟ୍‌କୁ ଯାଇ ହିତାଧିକାରୀମାନେ ସେମାନଙ୍କ ପରିବାର ସହ ଫିଙ୍ଗର୍‌ ପ୍ରିଣ୍ଟ୍‌ ଦେବେ । ଫିଙ୍ଗର୍‌ ପ୍ରିଣ୍ଟ୍‌ ନେବା ପରେ ହିତାଧିକାରୀଙ୍କର ନାମ ନବୀକରଣ ହୋଇଗଲା ବୋଲି ଧରାଯିବ । ଯେଉଁମାନେ ଫିଙ୍ଗରପ୍ରିଣ୍ଟ ନଦେବେ ସେମାନଙ୍କ ନାମ ତାଲିକାରୁ ବାସ୍‌ ଦିଆଯିବ ବୋଲି ଏକ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ହଠାତ୍‌ ଏହି ନିର୍ଦ୍ଦେଶନାମା ଜାରି କରାଯିବା ଫଳରେ ଦୂରରେ ଥିବା ଖାଉଟିଙ୍କୁ ଏହା ଅକଳରେ ପକାଇଦେଇଛି । ଯେଉଁମାନେ ପରିବାର ସହ ଗାଁରେ ରହୁଛନ୍ତି ସେମାନଙ୍କ ପାଇଁ ତ’ ଏଥିରେ ବିଶେଷ କ୍ଷତିନାହିଁ । କିନ୍ତୁ ଯେଉଁଠି ପରିବାରର ସଦସ୍ୟ ରୋଜଗାର ପାଇଁ ଘରଠାରୁ ହଜାରହଜାର କିମି ଦୂରରେ ଚାକିରି କରୁଛନ୍ତି ସେମାନଙ୍କୁ ଏବେ ଅବେଳରେ ଘରକୁ ଫେରିବାକୁ ପଡ଼ିବ । ଯଦି ନଆସିଲେ ତାହେଲେ କାର୍ଡରୁ ନିଜ ନାଁ କଟିଯିବାର ଭୟ । ତେଣୁ ୫କେଜି ଚାଉଳ ପାଇଁ ଜଣେ ହିତାଧିକାରୀଙ୍କୁ କେବଳ ହଜାରେ କିମି ନୁହେଁ ହଜାରହଜାର ଟଙ୍କା ଖର୍ଚ୍ଚ କରି ଫେରିବାକୁ ପଡ଼ିବ ।  

ଜଣେ ଡିଲରଙ୍କ କହିବା ଅନୁସାରେ, ସେମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କ ଇ-କେୱାଇସି ନେବାକୁ କୁହାଯାଇଛି । ଏଥିପାଇଁ ଗୋଟେ ମାସ ସମୟ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ଇ-କେୱାଇସିରେ ନିଜ ନାମକୁ ସାମିଲ୍‌ କରିପାରିଲେ ନାହିଁ ତାହେଲେ ସେମାନଙ୍କ ନାମକୁ ରାସନ୍‌ କାର୍ଡ ତାଲିକାରୁ କାଟି ଦିଆଯିବ ବୋଲି ଏ ସଂକ୍ରାନ୍ତରେ ଏକ ଅଲିଖିତ ନିର୍ଦ୍ଦେଶନାମା ମଧ୍ୟ ପ୍ରତ୍ୟେକ ଡିଲରଙ୍କୁ ଦିଆଯାଇଛି । ଡିଲରମାନେ ମଧ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାରେ ଲାଗି ପଡ଼ିଛନ୍ତି । ଏହି ଘୋଷଣା ଦିନଠାରୁ ପ୍ରତ୍ୟେକ ଡିଲର୍‌ ପଏଣ୍ଟ୍‌ରେ ସାଧାରଣ ଖାଉଟିଙ୍କ ଜୋର୍‌ଦାର୍‌ ଭିଡ଼ ଲାଗିରହିଛି । କିନ୍ତୁ ଯେଉଁମାନେ ଘରେ ନାହାନ୍ତି ସେମାନଙ୍କ ପାଇଁ ଚିନ୍ତା ବଢ଼ିଯାଇଛି ।  

ଯୋଗାଣ ବିଭାଗର ଜଣେ ଅଧିକାରୀ ଏ ସଂକ୍ରାନ୍ତରେ କହିଛନ୍ତି ଯେ, ବ୍ୟାଙ୍କ୍‌ ପାଇଁ ଯେଉଁଭଳି କେୱାଇସି ବାଧ୍ୟତାମୂଳକ ସେହିଭଳି ରାସନ୍‌ କାର୍ଡ଼ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଆଜି ପର୍ଯ୍ୟନ୍ତ ସରକାର କେବେ ରାସନ୍‌ କାର୍ଡ଼ର ପ୍ରକୃତ ହିତାଧିକାରୀ କିଏ ଅଛନ୍ତି ବା ନାହାନ୍ତି ତାହା ଯାଞ୍ଚ୍‌ ପାଇଁ ପଦକ୍ଷେପ ନେଇନଥିଲେ । ଫଳରେ ଥରେ ରାସନ୍‌ କାର୍ଡ ହୋଇଯିବା ପରେ ଏଥିରେ ଥିବା ସମସ୍ତ ସଦସ୍ୟଙ୍କ ନାମରେ ଖାଉଟି ସାମଗ୍ରୀ ଉଠାଯାଇ ଆସୁଥିଲା । ମୃତ ହିତାଧିକାରୀଙ୍କ ସଂପର୍କରେ ସୂଚନା ନଥିଲା । ଏଣେ ଦୀର୍ଘବର୍ଷ ଧରି ଆବେଦନ କରି ମଧ୍ୟ ଅନେକ ନୂତନ ହିତାଧିକାରୀଙ୍କୁ ରାସନ୍‌ କାର୍ଡରେ ସରକାର ସାମିଲ୍‌ କରିପାରୁ ନାହାନ୍ତି । ଇ-କେୱାଇସି କାର୍ଯ୍ୟକାରୀ ହେବାପରେ ବହୁ ଭୂତ ହିତାଧିକାରୀ ଆପଣାଛାଏଁ ତାଲିକାରୁ ବାଦ୍‌ ପଡ଼ିଯିବେ । ଫଳରେ ସେହି ସ୍ଥାନରେ ଅନେକ ନୂତନ ହିତାଧିକାରୀଙ୍କୁ ସାମିଲ୍‌ ପାଇଁ ଏକ ସୁଯୋଗ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.