ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଭିଜିଲାନ୍ସ ବିଭାଗରେ ଅଫିସର୍‌ ସଂକଟ: କେମିତି ହେବ ଦୁର୍ନୀତିର ତଦନ୍ତ ? ୧୫୩ ଇନ୍ସପେକ୍ଟର୍‌ ପଦବିରୁ ୭୫ ଖାଲି

କଟକ,୨୯/୦୬: ମୋଟ ୧୫୩ଟି  ମଞ୍ଜୁରିପ୍ରାପ୍ତ ଇନ୍ସପେକ୍ଟର ପଦବିରୁ ଏବେ ୭୫ଟି  ଖାଲି ପଡ଼ିଛି । ସେହିପରି ୩୦୯ କନ୍‌ଷ୍ଟେବଲ୍‌ ପଦବିରୁ ୧୬୦ଟି ଫାଙ୍କା । ରାଜ୍ୟ ଦୁର୍ନୀତି ନିବାରଣ  ସଂସ୍ଥା (ଭିଜିଲାନ୍ସ)ର ସ୍ଥିତି ଏବେ ଏମିତିକା ।  ମାତ୍ର ୭୮ ଜଣ ଇନ୍ସପେକ୍ଟର ଏବଂ ୧୪୯ ଜଣ  କନଷ୍ଟେବଲ୍‌ଙ୍କୁ ନେଇ ଦୁର୍ନୀତି ସମ୍ପର୍କିତ ମାମଲାର  ତଦନ୍ତ ଓ ପରିଚାଳନା କେମିତି କରାଯିବ  ତାହାକୁ ନେଇ ଭିଜିଲାନ୍‌ସ ବିଭାଗର ଉପରିସ୍ଥ  ଅଧିକାରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ।  

ଗୋଟିଏପଟେ ରାଜ୍ୟରେ ଦୁର୍ନୀତି ଜନିତ  ଅପରାଧ, ଏ ସଂକ୍ରାନ୍ତ ମାମଲା ବଢ଼ି ଚାଲିଥିବା  ବେଳେ ଏସବୁର ତଦନ୍ତରେ ଠୋସ୍‌ ପ୍ରମାଣ ସଂଗ୍ରହ,  ମାମଲାର ତଦାରଖ, ବିଭିନ୍ନ ଆଇନଗତ କାର୍ଯ୍ୟ  ପାଇଁ ଅଧିକ ଅଫିସର ନିୟୋଜିତ ହେବା ଦରକାର  ପଡୁଛି । ଅଥଚ ତା ବଦଳରେ ବିଭାଗରେ ପଦବି  ସଂଖ୍ୟା ହ୍ରାସ ପାଉଛି । ଫଳରେ ଅନେକ ମାମଲାର  ତଦନ୍ତ, ଚାର୍ଜସିଟ୍‌ ପ୍ରଦାନ ଏବଂ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ରେ ଅସୁବିଧା  ହେଉଛି ବୋଲି ବିଭାଗର କେତେ ଜଣ ବରିଷ୍ଠ  ଅଧିକାରୀ ସ୍ୱୀକାର କରିଛନ୍ତି । ଭିଜିଲାନ୍ସରେ ଏସ୍‌ପି ପାହ୍ୟାରୁ କନ୍‌ଷ୍ଟେବଲ୍‌ ପାହ୍ୟା ପର୍ଯ୍ୟନ୍ତ ବହୁ ପଦବି  ଖାଲି ପଡ଼ିଛି । ଦୁର୍ନୀତି ସମ୍ପର୍କିତ ମାମଲାର ତଦନ୍ତରେ  ମୁଖ୍ୟତଃ ଇନ୍ସପେକ୍ଟର ପାହ୍ୟାର ଅଫିସରମାନେ  ନିୟୋଜିତ ଥାଆନ୍ତି । ରାଜନୈତିକ ବ୍ୟକ୍ତିବିଶେଷ,  ବରିଷ୍ଠ ପାହ୍ୟାର ଅଧିକାରୀ ଓ ବଡ଼ ଧରଣର ଆର୍ଥିକ  ଅନିୟମିତତା ଘଟଣାର ତଦନ୍ତଭାର ଡିଏସ୍‌ପି  କିମ୍ବା ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ  ଦିଆଯାଇଥାଏ । ମାତ୍ର ୭୫ ଭାଗ ଦୁର୍ନୀତି ଅପରାଧ  ମାମଲାର ତଦନ୍ତ ଇନ୍ସପେକ୍ଟରମାନେ କରିଥାଆନ୍ତି ।  

ସେହିପରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲାର  ପରିଚାଳନା (ପ୍ରସିକ୍ୟୁସନ୍‌) ଲାଗି ଲିଆସନିଙ୍ଗ୍‌  ଅଫିସର ଭାବେ ଇନ୍ସପେକ୍ଟରମାନେ ହିଁ ନିୟୋଜିତ  ଥାଆନ୍ତି । ମାତ୍ର ଅଫିସର ସଂକଟ ପଡ଼ିଥିବାରୁ  ରୁଜୁ ହେଉଥିବା ମାମଲାଗୁଡ଼ିକ ଅଦାଲତରେ  ପରିଚାଳନା ହେବାରେ ବିଭ୍ରାଟ ହେଉଛି ।  ସେହିପରି ଅଭିଯୁକ୍ତମାନଙ୍କ ବିରୋଧରେ  ବଳିଷ୍ଠ ପ୍ରମାଣ ଯୋଗାଡ଼, ସାକ୍ଷୀମାନଙ୍କ ସହ  ସମନ୍ୱୟ ରକ୍ଷା କରି ସାକ୍ଷ୍ୟ ପ୍ରଦାନ କରାଇବା ଆଦି  ମାମଲା ପରିଚାଳନା ସଂକ୍ରାନ୍ତ କାର୍ଯ୍ୟ ଲିଆସନିଙ୍ଗ୍‌  ଅଫିସରଙ୍କ ମୁଖ୍ୟ କାମ । ଏଥିରେ ବ୍ୟତିକ୍ରମ  ହେଲେ ମାମଲାପରିଚାଳନାରେ ବିଭ୍ରାଟ ହେବା  ସହିତ ଅଭିଯୁକ୍ତମାନେ ଆଇନର ଗଳା ବାଟରେ  ଖସିଯିବାର ଆଶଙ୍କା ରହିଛି । ରାଜ୍ୟର ୨୧ଟି ଭିଜିଲାନ୍ସ କୋର୍ଟ ମଧ୍ୟରୁ ୨/୩ଟିକୁ ଛାଡ଼ିଦେଲେ  ପ୍ରାୟ ଅନେକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ  ଅବସରପ୍ରାପ୍ତ ଇନ୍ସପେକ୍ଟରଙ୍କୁ ଲିଆସନିଙ୍ଗ୍‌  ଅଫିସର ଭାବେ କାମଚଳା ଦାୟିତ୍ୱରେ ରଖାଯାଇଛି ।  ଅଫିସର ଅଭାବରୁ ଦୁର୍ନୀତିଗ୍ରସ୍ତଙ୍କ ସଂପର୍କରେ  ପ୍ରମାଣ ଯୋଗାଡ଼ କରିବା, ବିଭିନ୍ନ ଧରପଗଡ଼  କାର୍ଯ୍ୟ ବ୍ୟାହତ ହେଉଛି । ବିଭାଗରେ ୮ରୁ  ଅଧିକ ଡିଏସ୍‌ପି ପଦବି ମଧ୍ୟ ଫାଙ୍କା ପଡ଼ିଛି ।  ଏସ୍‌ପି ପାହ୍ୟାରେ ଖାଲି ପଦବିରେ ନିୟମିତ ଅଧିକାରୀ ନଥିବାରୁ ଅବସର ନେଇଥିବା ଅତିରିକ୍ତ  ଏସ୍‌ପି ଓ ଏସ୍‌ପିଙ୍କ ମଧ୍ୟରୁ ପ୍ରାୟ ୫ ଜଣ  ଓଏସ୍‌ଡି ଭାବେ ସଂସ୍ଥାରେ ନିୟୋଜିତ ଅଛନ୍ତି।  

ଲାଞ୍ଚ ନେବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  କରିବା, ବେଆଇନ ସୂତ୍ରରୁ ଟଙ୍କା ଆଦାୟ,  ଟିକସ୍‌ ଫାଙ୍କି, ବେଆଇନ୍‌ କରତକଳ ଚାଲୁ,  ସରକାରୀ ସମ୍ପତ୍ତି ବାଟମାରଣା ଆଦି ଦୁର୍ନୀତିର  ତରିକା ଏବେ ବଦଳିଛି । ସରକାରୀ ସ୍ତରରେ  ଅଫିସରଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ କର୍ମଚାରୀ,  ଲୋକପ୍ରତିନିଧିମାନେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍‌ସନ୍‌  ଓ ତୃତୀୟ ପକ୍ଷ ଦ୍ୱାରା ଟଙ୍କା ଲାଞ୍ଚ ନେଉଛନ୍ତି ।  ଏ ପ୍ରକାର ଅପରାଧରେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ  ସରକାରୀ କର୍ମଚାରୀ ଓ ମୁନାଫାଖୋର ଅସାଧୁ  ବ୍ୟବସାୟୀ, ନେତାଙ୍କୁ ଠାବ କରି ଧରିବା ପାଇଁ  ଭିଜିଲାନ୍ସ ସଂସ୍ଥାରେ ମାନବ ସମ୍ବଳର ଘୋର  ଅଭାବ ପରିଲକ୍ଷିତ ହେଉଛି । ଦିନୁଦିନ ମାମଲା  ସଂଖ୍ୟା ବଢୁଛି । ମିଳିଥିବା ସୂଚନା ଅନୁସାରେ,  ୨୦୧୯ରେ ଭିଜିଲାନ୍ସରେ ୩୫୩ଟି ମାମଲା ରୁଜୁ  ହୋଇଥିଲା । 

କୋଭିଡ୍‌ ସମୟରେ ମାମଲା ସଂଖ୍ୟା  ସାମାନ୍ୟ କମିଥିଲେ ହେଁ ୨୦୨୦ରେ ୨୪୫ଟି,  ୨୦୨୧ରେ ୨୬୭ଟି ମାମଲା ରୁଜୁ ହୋଇଥିଲା ।  ସେମିତି ୨୦୨୨ରେ ୨୮୭ଟି, ୨୦୨୩ରେ ୨୬୩ଟି  ମାମଲା ରୁଜୁ ହୋଇଥିଲା । ଚଳିତ ଜୁନ୍‌ ସୁଦ୍ଧା  ୧୦୦ରୁ ଅଧିକ ମାମଲା ରୁଜୁ ହୋଇସାରିଛି ।  ଅଥଚ ରୁଜୁ ହେଉଥିବା ମାମଲା ମଧ୍ୟରୁ ଅଧାରୁ  ଅଧିକ ଘଟଣାରେ ଅଭିଯୁକ୍ତ ଦୁର୍ନୀତିଖୋରମାନେ  ଖସିଯିବାରେ ସକ୍ଷମ ହେଉଛନ୍ତି । ଦୋଷୀ ସାବ୍ୟସ୍ତ  ହାର ପଚାଶ ପ୍ରତିଶତଠୁ ବି କମିଯାଉଛି ।  ଅଧିକାରୀଙ୍କ ଅଭାବ ଓ ତଦନ୍ତରେ ତ୍ରୁଟି ଯୋଗୁଁ  ଏପରି ହେଉଥିବା କୁହାଯାଉଥିବା ବେଳେ ଏ  ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ କିନ୍ତୁ କୌଣସି  ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.