ପୁରୀ, ୧୦/୦୨ : ଆଜି ରାତିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ବଡସିଂହାର ହୋଇ ଦିଅଁ ପହୁଡିବେ। ଆଉ କାଲି ସକାଳୁ ଏହି ଦିବ୍ୟ ବେଶ ଦର୍ଶନ କରିବେ ସାଧାରଣ ଭକ୍ତ। ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଯେଉଁ ବେଶ ଅନୁଷ୍ଠିତ ହୋଇଥାଏ ତାକୁ ପଦ୍ମ ବେଶ କୁହାଯାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି। କେତେକ ଗବେଷକଙ୍କ ମତରେ ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦସ (ଶପ୍ତଦଶ ଶତାବ୍ଦୀ) ।
ଶ୍ରୀଜିଉଙ୍କ ମୁଖପଦ୍ମ ସହିତ ପଦ୍ମ ପାଖୁଡ଼ା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ମଧ୍ୟ ଲାଗି କରାଯାଏ । ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୁଏ ।ସେଥିରୁ ଝୁଲି ଦୁଇ ତିନି ଖଣ୍ଡ ହୋଇ ପଦ୍ମ ନାଡ଼ ଶ୍ରୀମୁଖ କମଳରୁ ନିମ୍ନକୁ ଲମ୍ବି ଥାଏ । ଯଥା ସ୍ଥାନରେ ଶୋଭାପାଏ ପତ୍ରରାଜି ।ଜଳାଶୟର ସୂଚନା ସହିତ ସିଂହାସନ ଉପରେ ଦୁଇପଟେ ଦେଖାଯାଆନ୍ତି ସନ୍ତରଣ ହଂସ, କରରେ କରପଲ୍ଲବ, ହୃଦୟରେ ହୃଦପଦକ, ଶ୍ରୀପୟର ମାଳା, ଫୁଲଝୁମ୍ପା, ଫୁଲର ଚିତା ମଧ୍ୟ ଭୂଷଣ ରୂପେ ତାଙ୍କୁ ଲାଗି କରାଯାଏ । ମଠଦ୍ଵାରା ପ୍ରଦତ୍ତ ଭୋଗ ଦ୍ରବ୍ୟରେ କ୍ଷୀରି ଓ ଅମାଲୁ ରୋଷଘରର ଚୁଲିରେ ପ୍ରସ୍ତୁତ ହୋଇ ଭୋଗ କରାଯାଏ । ବଡ଼ସିଂହାରର ପଦ୍ମବେଶରେ ମହାପ୍ରଭୁ ସାରାରାତି ରହନ୍ତି । ମା ସୁଭଦ୍ରା ମଧ୍ୟ ପଦ୍ମବେଶରେ ଭୂଷିତ ହୁଅନ୍ତି ! ସୋଲରେ ନିର୍ମିତ ଚାରି ଗୋଟି ହଂସ ରତ୍ନସିଂହାସନ ମଣ୍ଡନ କରନ୍ତି । ଶନିବାର କଳାଘୋଡ଼ ଉପରେ ଧଳା ସୋଲ ପଦ୍ମ ସୁନ୍ଦର ଦିଶିବା ପାଇଁ ବା ବୁଧବାର ସବୁଜ ରଙ୍ଗର ଘୋଡ଼ ଉପରେ ଧଳାପଦ୍ମ ସୁନ୍ଦର ଦିଶିବ ବୋଲି ଘୋଡ଼ ଥାଉ ଥାଉ (ବସନ୍ତ ପଞ୍ଚମୀରେ ଘୋଡ଼ ଶେଷ ହୋଇ ଜାମା ବେଶ ହୁଏ) ଏହା ମାଘ ପଞ୍ଚମୀ ପୂର୍ବରୁ କରାଯାଉଛି । ଶୀତଦିନେ ପଦ୍ମଫୁଲ ମିଳୁ ନ ଥିବାରୁ ସୋଲ ତିଆରି ପଦ୍ମଫୁଲରେ ୩୦୦ ବର୍ଷ ହେବ ପଦ୍ମବେଶ ହେଉଥିଲା !
ପଦ୍ମବେଶ ବିଷୟରେ ଭକ୍ତ ମନୋହର ଦାସଙ୍କ କିମ୍ବଦନ୍ତୀ ରହିଛି, ତେବେ ଶୀତଦିନରେ ପଦ୍ମଫୁଲର ଅଭାବ ହେତୁ ମଠ ତରଫରୁ ସୋଲରେ ନିର୍ମିତ ପଦ୍ମଆଭୁଷଣରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି ! ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏମିତି ଜଣେ ଭକ୍ତ ଅଛନ୍ତି ଯେ କି ମହାପ୍ରଭୁଙ୍କ ପାଇଁ ପଦ୍ମଫୁଲ ଆଣି ଲାଗି କରାଉଛନ୍ତି ! ମହାପ୍ରଭୁଙ୍କୁ ପଦ୍ମରେ ସଜେଇବାକୁ ଫୁଲ ବେତା ଧରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଧାଇଁ ଆସନ୍ତି ଚିନ୍ତାମଣି ଦାଶ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବମୟ ସମ୍ପର୍କର ଡୋରି ଏତେ ମଜଭୁତ ଯେ ବର୍ଷକ ଆଗରୁ ଏହି ଦିନକୁ ଚାହିଁ ରହିଥାଆନ୍ତି ସେ। ଏହି ଅପୂର୍ବ ଦିନରେ ସେ ଫୁଲ ଆଣି ଆସିବା ବାଟରେ ମା’ବାଟ ମଙ୍ଗଳାଙ୍କୁ ପଦ୍ମରେ ପ୍ରସ୍ତୁତ ମାଳ ସମର୍ପଣ କରନ୍ତି। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ସେ ନିଜେ ମୁଣ୍ଡରେ ଫୁଲ ବେତା ମୁଣ୍ଡେଇ ଶ୍ରୀମନ୍ଦିରକୁ ଯାଆନ୍ତି। ଚିନ୍ତାମଣିଙ୍କ ଘର ଭୁବନେଶ୍ବର ଶାସ୍ତ୍ରୀନଗରରେ। ସଂସ୍କୃତ ଶିକ୍ଷକ ଭାବେ ୨୦୧୩ରେ କ୍ୟାପିଟାଲ୍ ହାଇସ୍କୁଲ୍ରୁ ଅବସର ନେଇଛନ୍ତି। ତାଙ୍କ କହିବା ମୁତାବକ, ଥରେ ଏକ ଖବରକାଗଜରୁ ସେ ଜାଣିବାକୁ ପାଇଲେ ଯେ ଶୀତଦିନରେ ପଦ୍ମଫୁଲ ଅଭାବରୁ ମହାପ୍ରଭୁଙ୍କୁ ସୋଲ ତିଆରି ପଦ୍ମ ଫୁଲରେ ବେଶ ହୁଅନ୍ତି। ଏ ଖବର ତାଙ୍କୁ ଏତେ ବ୍ୟଥିତ କଲା ଯେ ସେ ଶୋଇପାରିଲେ ନାହିଁ। କିଭଳି ଗୋଟିଏ ଦିନ ମହାପ୍ରଭୁଙ୍କୁ ସତେଜ ପଦ୍ମ ଫୁଲରେ ବେଶ କରିପାରିବେ ସେଇ ଉଦ୍ଦେଶ୍ୟ ନେଇ ଆରମ୍ଭ କଲେ ଅଭିଯାନ। ଧଉଳି ନିକଟରେ ୫ଟି ପଦ୍ମ ପୋଖରୀ ଲିଜ୍ ସୂତ୍ରରେ ନେଇଥିବା ବେଳେ ପ୍ରତିବର୍ଷ ବଡ଼ ବେତାରେ ଫୁଲ ଧରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଆସନ୍ତି। ବଡ଼ଦାଣ୍ଡରେ ପଦ୍ମଫୁଲ ବେତାକୁ ମୁଣ୍ଡେଇ ଯାଆନ୍ତି। ପ୍ରତିବର୍ଷ ଏଥିପାଇଁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବେଦନ ବି କରନ୍ତି। ସେ କାଳେ ମହାପ୍ରଭୁଙ୍କ ଇଚ୍ଛାକୁ ଅନୁଭବ କରିପାରିଥିଲେ। ଏହା ହିଁ ତାଙ୍କୁ ୨୦୧୧ ମସିହାରୁ ଫୁଲ ଆଣିବାକୁ ପ୍ରେରିତ କରିଛି ସେ ୨୦୧୧ ମସିହାରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ପାଇଁ ୧୦୦୮ ପଦ୍ମପୁଷ୍ଫ, ୨୦୧୨ ମସିହାରେ ୩୦୦୮ ପଦ୍ମପୁଷ୍ଫ, ପ୍ରଦାନ କରିଥିଲେ , ୨୦୧୩ ମସିହାରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ପାଇଁ ୩୦୦୮ ପଦ୍ମପୁଷ୍ଫ ଦେବା ସହ ମା ବିମଳାଙ୍କ ପାଇଁ ୧୦୮, ବାଟମଙ୍ଗଳାଙ୍କ ପାଇଁ ୫୪, କମଳାତ୍ମିକାଙ୍କ ପାଇଁ ୧୦୮ ଓ ପଦ୍ମାଳୟା ମହାଲକ୍ଷ୍ମୀଙ୍କ ପାଇଁ ୧୦୮ ପଦ୍ମପୁଷ୍ଫ ପ୍ରଦାନ କରିଥିଲେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ମହାପ୍ରଭୁଙ୍କ ବେଶ ନିମନ୍ତେ ସେ ପଦ୍ମ ଫୁଲ ପ୍ରଦାନ କରିବେ
ll କିମ୍ବଦନ୍ତୀ ll :-
କିମ୍ବଦନ୍ତୀ ଅନୁଯାୟୀ ଉତ୍କଳ ଠାରୁ ଶହ ଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ମହାତ୍ମା ମନୋହର ଦାସ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୈଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପଦବ୍ରଜରେ ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧୟେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ l
ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର ।
ଭକ୍ତ ପ୍ରବର ସାଧୁ ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର କିମ୍ବଦନ୍ତୀ ମୂଳକ ଆଖ୍ୟାନ ଅନୁକ୍ରମେ ମାଘମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି ।
ଭାରି ବିଚିତ୍ର ଆମ କାଳିଆ ସାଆନ୍ତ ଙ୍କ ଲୀଳା । ଭକ୍ତ ଦ୍ଵାରା ଅର୍ପିତ କ୍ଷୁଦ କଣିକା ଟିକୁ ବି ଗ୍ରହଣ କରିଦିଅନ୍ତି ସିଏ । ଭାବରେ ଯିଏ ଜାହା ଦେଇଛି ସବୁ ସେ ମହାଆନନ୍ଦ ରେ ଗ୍ରହଣ କରିଛନ୍ତି ସେହି ପରମ କାରୁଣିକ ସଚ୍ଚିଦାନନ୍ଦ ଭଗବାନଙ୍କ ମହିମା ଜାଣିବା ପାଇଁ ଶିବ ବିରଞ୍ଚି ଓ ନାରଦ ଯାହାର ଦ୍ୱାର ଦେଶରେ କର ପତ୍ର ଯୋଡ଼ିଣ ନତ ମସ୍ତକ ହୋଇଣ ପାଦ ବନ୍ଦନା କରୁଥାନ୍ତି । ତଥାପି କଳ୍ପ କଳ୍ପ ବିତି ଯାଇଥିଲେ ମଧ୍ୟ ତାଙ୍କର ସ୍ୱରୂପକୁ ଠାବ କରିପାରି ନାହାନ୍ତି । ଏ ଛାର ମନୁଷ୍ୟ ତାଙ୍କର କଥା କ’ଣ ବା ଜାଣିପାରିବ !
" ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ ,
ଦେବେ ନ ଜାନାତି କୃତଃ ମନୁଷ୍ୟ ’’।
ଏଣୁ ଏହି ରହସ୍ୟକୁ ପୁରାଣରୁ ଖୋଜି ବାହାର କରିବା ନିରର୍ଥକ। ସେ ହେଉଛନ୍ତି ଏ ଦେଶର ଆଧ୍ୟାତ୍ମିକ ଜନମାନସର ସର୍ବଶେଷ ଉଦ୍ବର୍ତ୍ତନ ଜଗନ୍ନାଥଙ୍କୁ ଅନ୍ୟମାନଙ୍କ ପରି କୌଣସି ଶାସ୍ତ୍ର ପୁରାଣ ଜନ୍ମ ଦେଇନାହିଁ। ସ୍ୱୀକାର କରିବା ପାଇଁ ଦୁଃସାହସ କରିନାହିଁ । ସେ ହେଉଛନ୍ତି ଲୋକର ଦେବତା ଜନମାନସର ଅପୂର୍ବ ଅଲୌକିକ ପ୍ରତିରୂପ
" ନୌମିଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ "
ଯେ ନିତ୍ୟଂ ରମତେ ନୀଳାଚଳେ ତୈ ବ୍ରହ୍ମଧାମନି । ବ୍ରହ୍ମଧାମ ଶ୍ରୀକ୍ଷେତ୍ରର ମହନୀୟତା ହେଉଛି ଏହି ପାବନ ନୀଳାଚଳ ଧାମର ନାମ ପୁରୁଷୋତ୍ତମ ଏବଂ କ୍ଷେତ୍ରଧୀଶ୍ୱର ମଧ୍ୟ ପୁରୁଷୋତ୍ତମ। ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ହିଁ ଅଖିଳ ଭାରତର ସ୍ୱାମୀ, ଆର୍ୟ୍ୟ, ଅନାର୍ୟ୍ୟ, ବେଦାନ୍ତୀ, ଶୈବ, ବୈଷ୍ଣବ ସଭିଏଁ ତାଙ୍କରି ଭିତରେ ଆପଣା ଆପଣା ଇଷ୍ଟଙ୍କୁ ଦର୍ଶନ କରିଛନ୍ତି । ଅର୍ଥ ତାଙ୍କ ନାମ, ରୂପ, ଲୀଳା ଓ ଧାମର ରହସ୍ୟ ଭେଦ କରିବାକୁ ସମର୍ଥ ହୋଇପାରି ନାହାନ୍ତି। ଜଗତର ନାଥ ହୋଇଥିବାରୁ ଜଗତବାସୀଙ୍କୁ ଏକ ସାମ୍ୟ ଦୃଷ୍ଟିରେ ଦେଖୁ ଥାଆନ୍ତି।
ତେଣୁ ଭୃଗୁ ଗୀତାରେ କୁହାଯାଇଛି " ସମୋହଂ ସର୍ବଭୂତଷୁ " । ଏଣୁ ତାହାଙ୍କୁ ଜାଣିବା ବା ବର୍ଣ୍ଣନା କରିବା ସମ୍ଭବ ନୁହେଁ। ବେଦାନ୍ତ ଶାସ୍ତ୍ର ଯାହାଙ୍କୁ କହିଛି ନେତି-ନେତି । ଆର୍ୟ୍ୟ ଓ ଅନାର୍ୟ୍ୟ ମାନଙ୍କ ରାଜା ଇନ୍ଦ୍ରଦ୍ୟୁମ୍ନ ଶବର ଶ୍ରେଷ୍ଠ ବିଶ୍ୱାବସୁ ଓ ପ୍ରମୁଖ ବ୍ରାହ୍ମଣ ବିଦ୍ୟାପତି ତାଙ୍କ ସେବାର ଗୋଟିଏ ଗୋଟିଏ ଅଙ୍ଗ । ସେହିପରି ଶଙ୍କରାଚାର୍ୟ୍ୟଙ୍କ ସ୍ମୃତି, ଚୈତନ୍ୟଙ୍କ ଭକ୍ତି, ସାଲବେଗଙ୍କ ସଙ୍ଗୀତ ଓ ଦାସିଆ ବାଉରିର ଅଧିକାର ତାଙ୍କ ସୃଷ୍ଟିର ଅନବଦ୍ୟ ଅବଦାନ । ବିଶ୍ୱାବସୁ ଶବର ଦ୍ୱାରା ପୂଜିତ ନୀଳମାଧବ ଉଭାନ ହୋଇ ପରିଶେଷରେ ଦାରୁବ୍ରହ୍ମ ଭାବରେ ଆସି ଚତୁର୍ଦ୍ଧାମୂର୍ତ୍ତି ରୂପରେ ପ୍ରତିଷ୍ଠିତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀକ୍ଷେତ୍ରରେ ବିଦ୍ୟମାନ ହେଲେ। ତେଣୁ କରି ଶ୍ରୀଜଗନ୍ନାଥ ବୌଦ୍ଧ କିମ୍ବା ଜୈନ୍ୟ ସଂପ୍ରଦାୟର ଦେବତା ବୋଲି କୁହାଯାଇପାରିବ ନାହିଁ ବରଂ ସେ ହେଉଛନ୍ତି ସର୍ବ ଧର୍ମର ସ୍ୱାମୀ ତାଙ୍କ ପାଖରେ ସମସ୍ତେ ସମାନ। ସେ ଏକା ଧାରରେ ବୈଷ୍ଣବମାନଙ୍କର ବିଷ୍ଣୁ, ବୌଦ୍ଧମାନଙ୍କର ବୁଦ୍ଧ, ଜୈନମାନଙ୍କର ଜିନେଶ୍ୱର, ଶବରମାନଙ୍କର ପତିତପାବନ। ସବୁ ଧର୍ମର ଭକ୍ତମାନେ ଆସି ତାଙ୍କର ଉପାସନା କରିଅଛନ୍ତି ଏବଂ କରୁଛନ୍ତି। ଶ୍ରୀଜଗନ୍ନାଥ ଚେତନା ଅତି ବ୍ୟାପକ ଓ ଉଦାର କୌଣସି ଗୋଟିଏ ଜାତି ଓ ସଂପ୍ରଦାୟରେ ସେ ଆବଦ୍ଧ ନୁହନ୍ତି। ଜଗତର ନାଥ ହୋଇଥିବାରୁ ଜଗତବାସୀଙ୍କୁ ଏକ ସାମ୍ୟ ଦୃଷ୍ଟିରେ ଦେଖୁଥାଆନ୍ତି।