ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ମଧ୍ୟପ୍ରାଚ୍ୟ ଅଶାନ୍ତ ହେବା ପରେ ଫ୍ରାନ୍ସକୁ ସୁରକ୍ଷା ଚିନ୍ତା, କେମିତି ହେବ ଆୟୋଜନ

ନୂଆଦିଲ୍ଲୀ ୨୯/୦୪: ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରୀଡ଼ାର ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ । ଦୀର୍ଘ ୧୦୦ ବର୍ଷ ପରେ ପୁଣି ଅଲିମ୍ପିକ୍ସ କ୍ରୀଡ଼ା ପ୍ୟାରିସ ନଗରୀରେ ଆୟୋଜିତ ହେଉଛି । ଯାହାକୁ ନେଇ ପୂରା ସହର ସଜେଇ ହୋଇଛି । ମଧ୍ୟପ୍ରାଚ୍ୟ ଅଶାନ୍ତ ହେବା ପରେ ଫ୍ରାନ୍ସକୁ ଏବେ ସୁରକ୍ଷା ଚିନ୍ତା ଗ୍ରାସ କରିଛି ।

ପ୍ରଥମ ଥର ଅଲିମ୍ପିକ୍ସ ଇତିହାସରେ ଉଦ୍‌ଘାଟନୀ ଉତ୍ସବ ଖୋଲା ଆକାଶ ତଳେ ହେବାକୁ ଯାଉଛି । ପ୍ୟାରିସର ସେନ ନଦୀରେ ଏହି ଉତ୍ସବ ଆୟୋଜିତ ହେବ । କିନ୍ତୁ ସୁରକ୍ଷା ପ୍ରତି ବିପଦ ଦେଖା ଦେଲେ ଉଦ୍‌ଘାଟନୀ ଉତ୍ସବ ଶେଷ ମୁହୂର୍ତ୍ତରେ କୌଣସି ଷ୍ଟାଡିୟମକୁ ସ୍ଥାନାନ୍ତରିତ ହେବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶେଷ ଥର ୨୯୨୪ରେ ପ୍ୟାରିସରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ହୋଇଥିଲା । ଏଥର ଉଭୟ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଆୟୋଜିତ ହେବ । 

ଉଦ୍‌ଘାଟନୀ ଉତ୍ସବ ପରେଡରେ ୧୦୫୦୦ ଖେଳାଳି ଭାଗ ନେବେ । ସେମିତି ପୂର୍ବରୁ ୬ ଲକ୍ଷ ଦର୍ଶକ ଉତ୍ସବର ପ୍ରତ୍ୟକ୍ଷ ଆନନ୍ଦ ନେବେ ବୋଲି ଆୟୋଜକ ଯୋଜନା ରଖିଥିଲେ । କିନ୍ତୁ ଏହାକୁ ୩ ଲକ୍ଷକୁ ହ୍ରାସ କରାଯିବ ବୋଲି ‘ଫ୍ରାନ୍ସ୨୪’ ତା’ର ରିପୋର୍ଟରେ ଦର୍ଶାଇଛି । ‘କ୍ରୀଡ଼ା ଆୟୋଜନକୁ ନେଇ ଆମେ ଆମର ଯୋଜନା ଅନୁସାରେ କାର୍ଯ୍ୟ ଜାରି ରଖିଛୁ । ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ପ୍ଲାନ ବି ଏବଂ ସି’ ପ୍ରସ୍ତୁତ ଥିବା ରାଷ୍ଟ୍ରପତି ମାକ୍ରନ କହିଥିଲେ । ପୂର୍ବରୁ ୧୯୭୨ ଏବଂ ୧୯୯୬ ଅଲିମ୍ପିକ୍ସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କେବଳ ବାହ୍ୟ ସୁରକ୍ଷା ନୁହେଁ କିଛି ଭିତିରି ସମସ୍ୟା ମଧ୍ୟ ଫ୍ରାନ୍ସ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେନ ନଦୀକୁ ପରିଷ୍କାର କରି ସନ୍ତରଣ ଉପଯୋଗୀ କରିବା, ପ୍ୟାରିସ ମେଟ୍ରୋ ବ୍ୟବସ୍ଥାର ସୁପରିଚାଳନା ଏବଂ କର୍ମଚାରୀମାନଙ୍କ ଅଲିମ୍ପିକ୍ସ ବୋନସ ଏବେ ପ୍ରମୁଖ ସମସ୍ୟା ପାଲଟିଛି ।

ସେନ ନଦୀରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ । ଦୀର୍ଘ ୬ ମିଟର ଧରି ଭାସମାନ ମଞ୍ଚ ଯାତ୍ରା କରିବ । କିନ୍ତୁ ଏ ପର୍ଯ୍ୟନ୍ତ ସେନ ନଦୀର ଦୂଷିତ ପାଣିକୁ ସନ୍ତରଣ ଉପଯୋଗୀ କରାଯାଇ ପାରିନାହିଁ । କିଛି ଜଳ କ୍ରୀଡ଼ା ଇଭେଣ୍ଟ ନଦୀରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ୟାରିସକୁ ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସଡ଼କ ଓ ମେଟ୍ରୋ ଗମନାଗମନ ଉପରେ ପର୍ଯ୍ୟଟକ ସଂପୂର୍ଣ୍ଣ ନିର୍ଭର କରିବେ । କିନ୍ତୁ ମେଟ୍ରୋ ଚଳାଚଳକୁ କିଭଳି ଅଧିକ ସୁଗମ କରାଯିବ ତା ଉପରେ ଆୟୋଜକ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯଦି ପ୍ରାକ୍‌ ଆକଳନଠୁ ଅଧିକ ପର୍ଯ୍ୟଟକ ହୁଅନ୍ତି, ତେବେ ମେଟ୍ରୋ ଗମନାଗମନରେ ତୀବ୍ର ସମସ୍ୟା ଦେଖାଯାଇ ପାରେ ।

 ଅଲିମ୍ପିକ୍ସ ବୋନସ ଦାବିରେ ସରକାରୀ ଏବଂ ବେସରକାରୀ କର୍ମଚାରୀ ଧର୍ମଘଟକୁ ଓହ୍ଲାଇଲେଣି । ଅଲିମ୍ପିକ୍ସ କ୍ରୀଡ଼ାକୁ ସଫଳ କରାଇବା ପାଇଁ କର୍ମଚାରୀମାନେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଗ୍ରୀଷ୍ମ ଛୁଟିରେ ବି କାର୍ଯ୍ୟ ଜାରି ରଖିଛନ୍ତି । ଏଥିପାଇଁ ସରକାର କର୍ମଚାରୀମାନଙ୍କୁ ବୋନସ ଦେବେ ବୋଲି କହିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇ ନଥିବାରୁ କର୍ମଚାରୀ ଧର୍ମଘଟକୁ ଓହ୍ଲାଇଲେଣି । ବିଭିନ୍ନ ସଂଗଠନ ପକ୍ଷରୁ ବୋନସ ଦାବିରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ବୋନସ ନମିଳିଲେ ଅଲିମ୍ପିକ୍ସ ମଶାଲ ଯାତ୍ରାରେ ସହଯୋଗ ନକରିବାକୁ ଫ୍ରାନ୍ସ ପୁଲିସ ୟୁନିୟନ ଧମକ ଦେଇଛି । ଆସନ୍ତା ମେ’ ୮ ତାରିଖରୁ ମର୍ସେଲ ସହରରୁ ଆରମ୍ଭ ହେବ ଅଲିମ୍ପିକ୍ସ ମଶାଲ ଯାତ୍ରା ବା ଟର୍ଚ ରିଲେ । ଦ ଏଲାଏନ୍ସ ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ‘ସରକାର ଅଲିମ୍ପିକ୍ସ ପାଇଁ ସ୍ୱତନ୍ତ୍ର ଦରମା ଦେବେ ବୋଲି  ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ । ଏହି ଦାବିରେ ଆମେ ଗତ ଗୁରୁବାର ଦିନ ପ୍ରତିବାଦ ପ୍ରଦର୍ଶନ କରିଥିଲୁ ।  ଯଦି ସେମାନେ ପ୍ରତିଶ୍ରୁତି ପୂରଣ ନକରନ୍ତି, ତେବେ ମଶାଲ ଯାତ୍ରାରେ ଆମେ ସହଯୋଗ କରିବୁ ନାହିଁ ।’

କେନ୍ଦ୍ରୀୟ ପ୍ରଶାସନିକ ସେବାର କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି । ଅଲିମ୍ପିକ୍ସ କ୍ରୀଡ଼ା ସମୟରେ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି । ସେମିତି ଜାତୀୟ ମୁଦ୍ରାଶାଳାର କର୍ମଚାରୀମାନେ ମଧ୍ୟ ବୋନସ ଦାବି କରିଛନ୍ତି । ଏହି କର୍ମଚାରୀମାନେ କ୍ରୀଡ଼ା ପାଇଁ ପଦକ ତିଆରି କରୁଛନ୍ତି । ଫ୍ରାନ୍ସର ବାୟୁସେନା ବିଭାଗର ଟ୍ରାଫିକ୍‌ ଦାୟିତ୍ୱରେ ଥିବା କର୍ମଚାରୀମାନେ ମଧ୍ୟ ଦାବି ପୂରଣ ନହେଲେ ଧର୍ମଘଟକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.