ପ୍ୟାରିସ୍,୦୮/୦୯: ପ୍ୟାରିସ୍ ପାରାଲିମ୍ପିକ୍ସର ଦଶମ ଦିବସରେ ଭାରତକୁ ଆଉ ୨ଟି ପଦକ ମିଳିଛି । ପୁରୁଷ ଜାଭେଲିନ୍ (ଏଫ୍-୪୧)ରେ ନବଦୀପ ସ୍ୱର୍ଣ୍ଣ ଏବଂ ମହିଳା ୨୦୦ମିଟର (ଟି-୧୨)ରେ ସିମରନ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୩ ବ୍ରୋଞ୍ଜ ପଦକ ସାମିଲ ରହିଛି ।
ଜାଭେଲିନ୍: ପାରା ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ନବଦୀପ ୪୭.୩୨ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେ ନିଜର ତୃତୀୟ ପ୍ରୟାସରେ ଏହି ଦୂରତା ଛୁଇଁଥିଲେ । ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ମାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ଇରାନର ସାଦେଖ ବିଏଟ ସାୟା ଅଯୋଗ୍ୟ ଘୋଷିତ ହେବା ଫଳରେ ନବଦୀପଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । ସାଦେଖ ୫୭.୬୪ମିଟର ଥ୍ରୋ କରିଥିଲେ । ଚୀନର ପେଙ୍ଗଜିୟାଙ୍ଗ୍ ସନ ୪୪.୭୨ମିଟର ସହ ରୌପ୍ୟ ଏବଂ ଇରାକର ୱିଲଡାନ ୪୦.୪୬ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ନବଦୀପ ପୂର୍ବରୁ ୨୦୧୯ରେ ୨୦ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଲୋକଲୋଚନକୁ ଆସିଥିଲେ । ଗତ ଟୋକିଓ ପାରାଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ଥିଲେ । ମାତ୍ର ଏଥର ସେ ପାରାଲିମ୍ପିକ୍ସ ସ୍ୱପ୍ନ ପୂରଣ କରିଛନ୍ତି ।
ମହିଳା ୨୦୦ମିଟର: ଦୃଷ୍ଟି ବାଧିତ ମହିଳା ଆଥଲେଟ୍ ସିମରନ ନିର୍ଦ୍ଧାରିତ ଦୂରତାକୁ ୨୪.୭୫ ସେକେଣ୍ଡ୍ରେ ଶେଷ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତାଙ୍କ ସହ ଗାଇଡ୍ ଅଭୟ ସିଂହ ଦୌଡ଼ିଥିଲେ । କ୍ୟୁବାର ପ୍ରସିଦ୍ଧ ଆଥଲେଟ୍ ଓମାରା ଡୁରାଣ୍ଡ ଏଲିଆସ୍ ୨୩.୬୨ ସେକେଣ୍ଡ ସହ ସ୍ୱର୍ଣ୍ଣ ଏବଂ ଭେନେଜୁଏଲାର ଆଲେଜାନ୍ଦ୍ରା ପାଓଲା ପେରେଜ ଲୋପେଜ ୨୪.୧୯ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି । ଓମାରା କ୍ରମାନ୍ୱୟରେ ତୃତୀୟ ଥର ଟାଇଟଲ୍ ବଜାୟ ରଖିଛନ୍ତି । ଇତିମଧ୍ୟରେ ସେ ପାରାଲିମ୍ପିକ୍ସରେ ମୋଟ ୧୧ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଭାଗ ନେଇଥିବା ସମସ୍ତ ଇଭେଣ୍ଟରେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛନ୍ତି ।
କାନୋଏ: ନିରାଶ କଲେ ପ୍ରାଚୀ ମହିଳା ୨୦୦ମିଟର (ଭିଏଲ୍-୨) ଇଭେଣ୍ଟରେ ପ୍ରାଚୀ ଯାଦବ ଫାଇନାଲ୍ରେ ଅଷ୍ଟମ ସ୍ଥାନରେ ରହି ବିଦାୟ ନେଇଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୧:୦୮.୫୫ ସେକେଣ୍ଡରେ ଶେଷ କରିଥିଲେ । ବ୍ରିଟେନର ଏମ୍ମା ୱିଗ୍ସ (୫୮.୮୮) ସ୍ୱର୍ଣ୍ଣ, କାନାଡ଼ାର ବ୍ରିୟାନା ହେନେସି (୧:୦୦.୧୨) ରୌପ୍ୟ ଏବଂ ଅଷ୍ଟ୍ରେଲିଆର ସୁସାନ ସିପଲ (୧:୦୧.୩୯) ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ ସେମି ଫାଇନାଲ୍ରେ ପ୍ରାଚୀ ତୃତୀୟ ସ୍ଥାନରେ ରହି ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ ।
ସୁଇମିଂ: ସୂୟାଶଙ୍କ ଅଭିଯାନ ଶେଷ ପୁରୁଷ ୫୦ମିଟର ବଟରଫ୍ଲାଏ (ଏସ୍-୭) ଇଭେଣ୍ଟରେ ସୂୟାଶ ନାରାୟଣ ଯାଦବ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ହିଟ୍୧ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୂୟାଶ ୩୩.୪୭ ସେକେଣ୍ଡ ସହ ପଞ୍ଚମ ସ୍ଥାନରେ ରହି ବିଦାୟ ନେଇଥିଲେ