ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦଳଡିଆଁ ମହାମାରୀରେ ଆକ୍ରାନ୍ତ ନେତା: ବିଜୟ କିମ୍ବା ଟିକଟ ପାଇବା ଆଶାରେ ନୀତି ଆଦର୍ଶର ବେକମୋଡ଼ି କରୁଛନ୍ତି ମୂଲଚାଲ

Published By : Prameya | April 2, 2024 9:26 AM

ଭୁବନେଶ୍ୱର,୦୨/୦୪: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସୋମବାର ପଦ୍ମ ପୋଖରୀରେ ଲମ୍ଫ ମାରିଲେ । ଯେଉଁ ଦଳ (ବିଜେଡି) ତାଙ୍କୁ ଅଭିନୟ ଜଗତରୁ ଉଠାଇ ଆଣି ନେତା ଓ ସାଂସଦ ବନିବା ସୁଯୋଗ ଦେଇଥିଲା, ତାକୁ ପର କରିଦେଇଥିଲେ ଚାରି ଦିନ ତଳେ । ଗେରୁଆ ଚାଦର ବେକରେ ଗୁଡ଼ାଇ କହିଲେ, ଦେଶକୁ ଦ୍ରୁତ ବିକାଶ ପଥରେ ନେବାକୁ ପ୍ରଧାନ ମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ମୁଁ ପ୍ରଭାବିତ ହୋଇଛି । ଓଡ଼ିଶାରେ ସେମିତି ବିକାଶ ହେବା କଥା ଯେମିତି ଦେଶରେ ହେଉଛି । ଶଙ୍ଖ ହାତ ଛାଡ଼ିବା ପୂର୍ବରୁ କହୁଥିଲେ, ଦ୍ରୁତ ବିକାଶ ଓ ରୂପାନ୍ତରଣରେ ଓଡ଼ିଶା ଦେଶରେ ଉଦାହରଣ ।

ଦଳ ବଦଳିଲା, ମତ ବି ବଦଳିଲା । ଏଠି ଟିକଟ ପାଇବା ଆଶା କମ୍‌ ଥିଲା । ସେଠି ବୋଧହୁଏ ଆଶା ଅଧିକ । କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଥିଲେ । ସରକାରକୁ ପ୍ରଚଣ୍ଡ ଆକ୍ରମଣ କରୁଥିଲେ । ଦଳୀୟ କର୍ମୀଙ୍କୁ ନୀତି ଆଦର୍ଶ ପାଠ ପଢ଼ାଉଥିଲେ, ସରକାର ବିରୋଧରେ ଏକଜୁଟ କରୁଥିଲେ ।

ଭରସା ପାଇଲାନି ସେହି ଦଳକୁ ଯେଉଁଠି ତାଙ୍କର ରାଜନୈତିକ ଜନ୍ମ ହୋଇଥିଲା । କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କିଲେ ଦୁଇ ଥରିଆ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଚଉକି ମୋହ ଏତେ... । ୨୦୦୪ ଓ ୨୦୧୪ରେ ନିର୍ବାଚିତ ହୋଇଥିଲେ, ଗତ ନିର୍ବାଚନରେ ହାରିଥିଲେ । ପୁଣି ହାରିବା ଭୟ ସମ୍ଭବତଃ ମାଡ଼ି ବସିଲା, ଯେଉଁଥିପାଇଁ ହାତ ଡଙ୍ଗାରୁ ଡେଇଁଲେ ଶଙ୍ଖକୁ । 

ନୀଳଗିରି ବିଧାୟକ ସୁକାନ୍ତ ନାୟକ ଶୁକ୍ରବାର ପଦ୍ମ ଶିବିର ଛାଡ଼ିଲେ । ବିଜେଡି କ୍ୟାମ୍ପରେ ମିଶିଲେ । ପୂର୍ବତନ ବିଧାୟକ ଆକାଶ ଦାସନାୟକ ଶନିବାର ବିଜେଡି ଗୁହାଳ ପଘା ଛିଣ୍ଡାଇଲେ । ରବିବାର ପଦ୍ମ ଗୁହାଳରେ ଏଣ୍ଟ୍ରି ମାରିଲେ । ଥମୁନି ଦଳଡିଆଁ ସଂକ୍ରମଣ । ଏ ମହାମାରୀରେ ବିଜେଡି, ବିଜେପି ଓ କଂଗ୍ରେସର ଭେଟେରାନମାନେ ମଧ୍ୟ ଆକ୍ରାନ୍ତ । କିଏ ଦଳ ସହ ୩୦ ବର୍ଷର ସଂପର୍କକୁ ଗୋଡ଼ରେ ଏଡ଼ାଇ ଦେଉଛି । ଆଉ କିଏ ଘର ବାହୁଡ଼ୁଛି । 

ମୂଳ କାରଣ, ସୁବିଧାରେ ବିଜୟ କିମ୍ବା ଟିକଟ ପାଇବାର ଶତ ପ୍ରତିଶତ ଗ୍ୟାରେଣ୍ଟି । ଲୋଭ ଗୋଡ଼ାଉଛି । ଜିତିବା ଲୋଭର ନାଗଫାଶରେ ନେତା ବାନ୍ଧି ହେଉଛନ୍ତି । ନୀତି ଆଦର୍ଶର ବେକମୋଡ଼ି ମୂଲଚାଲ କରୁଛନ୍ତି । ସକାଳ ପାଇଲେ ନିଜ ଦଳକୁ ‘ଗୁଡ୍‌ ବାଏ’ କହି ସଂଜରେ ଅନ୍ୟ ଦଳରେ ମିଶି ଗୁଣଗାନ କରୁଛନ୍ତି ।

ହାରିବା ଭୟ । ମନ ଅଥୟ । ବାରମ୍ବାର ପରାଜୟରୁ ଆତ୍ମବିଶ୍ୱାସ ଦୋହଲିଛି । ନିଜ ଉପରେ ନିଜର ଭରସା ନାହିଁ । ବିଜେଡି କ୍ୟାମ୍ପ୍‌କୁ ଗଲେ ‘ହାରୁ ନେତା’ ଷ୍ଟାମ୍ପ୍‌ ହଟିବ । ନବୀନଙ୍କ କ୍ରେଜ୍‌ ଓ ବିଜେଡି ହାୱାରେ ଭୋଟ ଜିତିହେବ । ଏମିତି ଅନୁମାନ ଲଗାଇ ବହୁ କଂଗ୍ରେସ ନେତା ଶଙ୍ଖ ଧରିଛନ୍ତି । 

ବିଜେଡିରେ ମିଶିବା ପରେ କଂଗ୍ରେସର ଗୋଇ ଖୋଳିଛନ୍ତି । ନୀତି ଆଦର୍ଶର କଥା କହୁଛନ୍ତି । ବିନା ସ୍ୱାର୍ଥରେ ବିଜେଡିକୁ ଆସିଛୁ । କେବଳ ଓଡ଼ିଶାବାସୀଙ୍କ ସେବା କରିବାକୁ । ସତେ ଯେମିତି କଂଗ୍ରେସରେ ରହି ସେବା କରି ହେଉନଥିଲା ।

ରାଜନୈତିକ କ୍ୟାରିୟରର ଲଞ୍ଚପ୍ୟାଡ୍‌ କଂଗ୍ରେସକୁ ‘ଶୁଭ ବିଦାୟ’ ଜଣାଇ ଅଂଶୁମାନ ମହାନ୍ତି ବାଡ଼ ଡେଇଁଲେ । ବିଜେଡିକୁ ଆସି କେନ୍ଦ୍ରାପଡ଼ା ଏମ୍‌ପି ଟିକଟ ପାଇଲେ । ଆଶା ବାନ୍ଧିଛନ୍ତି, ବିଜେଡି ହାୱାରେ ସଂସଦ ଯିବେ । ଭେଟେରାନ ଚିରଞ୍ଜୀବ ହାରିିବା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ବିଜେଡି ଶରଣ ପଶିଛନ୍ତି । ଆଶା କରିଛନ୍ତି, ନବୀନ ତାଙ୍କୁ ନିରାଶ କରିବେନି । ଟିକଟ ଦେବେ । 

ଏ ଦଳଡିଆଁ ସଂକ୍ରାମକ ରୋଗରେ ପୀଡ଼ିତ ହେଲେଣି ଜଣକ ପରେ ଜଣେ ନେତା । ବ୍ରେକ୍‌ ଲାଗୁନି । ମାଡ଼ି ଚାଲିଛି ମହାମାରୀ ।କଂଗ୍ରେସର ଭେଟେରାନ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜୁ ଜନତା ଦଳ ତାଙ୍କୁ ବଲାଙ୍ଗୀର ଆସନରୁ ସାଂସଦ ପ୍ରାର୍ଥୀ କରିପାରେ । 

ଖରିଆର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ବ୍ରେକ୍‌ ଦେଇଥିଲା କଂଗ୍ରେସ । ସହଜ ବିଜୟ ପାଇଁ ସେ ମଧ୍ୟ ହାତ କ୍ୟାମ୍ପ ଛାଡ଼ି ଶଙ୍ଖ ଶିବିରରେ । ବିଜେଡିକୁ ଆସିଲେ କଂଗ୍ରେସର ପୁରୁଖା ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।  ବିଜେଡିରେ ମିଶୁ ମିଶୁ ଦଳ ତାଙ୍କୁ ଭୁବନେଶ୍ୱର ସାଂସଦ ଟିକଟ ଦେଇଦେଲା । 

ସେହିଭଳି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା, କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ, ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରିଆ ରାଓ ଏବଂ ବୌଦ୍ଧର ୨୦୧୪ରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅବକାଶ ସାହୁ ବିଜେଡିରେ ଯୋଗ ଦେଇଛନ୍ତି । ଆଉ କିଛି ବିଧାୟକ ଓ ପୂର୍ବତନ ବିଧାୟକ ଖୁବଶୀଘ୍ର କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ତେଜୁଛିି । ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ଜିଲ୍ଲାର ନେତାଙ୍କୁ ଅଟକାଇବାରେ ମଧ୍ୟ ସକ୍ଷମ ହେଉନାହାନ୍ତି ।

ଦଳଡିଆଁ ମହାମାରୀ ବିଜେଡି ଶିବିରକୁ ମଧ୍ୟ ସଂକ୍ରମିତ ହୋଇଛି । ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଭେଟେରାନ ଭର୍ତ୍ତୃହରି ମହତାବ ବିଜେପିରେ ମିଶିଲେ । ଅଭିଜ୍ଞ ଭର୍ତ୍ତୃହରିଙ୍କୁ ବିଜେପି କଟକ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ କରିଛି । ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଟିକଟ ଆଶାରେ ପଦ୍ମ ଟୋପି ପିନ୍ଧିଛନ୍ତି । ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରି ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରିବେ ।

ରାଜନୈତିକ କ୍ୟାରିୟର ପାଇଁ ବିଜେପି ଟିକଟ ହାତେଇବାକୁ ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିଛନ୍ତି । ବିଜେପି ଟିକଟ ଲୋଭରେ ଅରବିନ୍ଦ ଢାଲି, ପ୍ରେମାନନ୍ଦ ନାୟକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ, ଡମ୍ବରୁ ସିସା, ଦେବାଶିଷ ନାୟକ ଓ ସିନେଷ୍ଟାର ଅରିନ୍ଦମ ପଦ୍ମ କ୍ୟାମ୍ପକୁ ଲମ୍ଫ ମାରିଛନ୍ତି । ଇଏ ହେଲା ବଡ଼ ନେତାଙ୍କ ତାଲିକା । ଛୋଟଙ୍କୁ ହିସାବ କଲେ ଶହେ ଟପିବ ସଂଖ୍ୟା । ଗତ ମାସେ ଭିତରେ ଏମାନେ ନିଜ ଦଳ ଛାଡ଼ି ଶଙ୍ଖ କି ପଦ୍ମ ଶିବିରକୁ ଯାଇଛନ୍ତି । 

କଂଗ୍ରେସକୁ ଏ ଦଳଡିଆଁ ରୋଗ ବହୁଳ ଭାବେ କ୍ଷତିଗ୍ରସ୍ତ କରିଛି । ଦଳର ବହୁ ନେତା ଦଳଠୁ ଦୂରେଇ ଗଲେଣି । ମାତ୍ର ପ୍ରଥମ ଦଫାରେ କଂଗ୍ରେସକୁ ଭରସା କରି କିଛି ନେତା ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ଶିଶିର ଗମାଙ୍ଗୋ, କେନ୍ଦୁଝରର ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରୀ ଓ ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ମଧ୍ୟ ଟିକଟ ଆଶାରେ ‘ହାତ କ୍ୟାମ୍ପ’କୁ ଆଶ୍ରା କରିଛନ୍ତି । 

ବିଜେପି କେବଳ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ବିଧାନସଭା ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିନି । ବିଦ୍ରୋହୀଙ୍କ ଭୟରେ ଅତି ସତର୍କତାର ସହ ଗୋଟି ଚଳାଉଛି । ବିଜୁ ଜନତା ଦଳ ମଧ୍ୟ ୧୫ ଲୋକସଭା ସହ ୭୨ ବିଧାନସଭା ସିଟ୍‌ ପାଇଁ ଯୋଦ୍ଧା ଘୋଷଣା କରିସାରିଛି । ବଳକା ଆସନ ପାଇଁ ଦଳ ପେଡ଼ି ଖୋଲୁନି । ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ପଛରେ । କୌଣସି ଗୋଟିଏ ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ କହିନି ।

‘ଦଳ ଡିଆଁ’ଙ୍କ ପ୍ରାଦୁର୍ଭାବରେ ପୁରୁଣା ନେତାମାନେ ମଳିନ ପଡ଼ି ଏବେ ଟିକଟ ହରାଇବା ଭୟରେ ଛଟପଟ । ତିନି ଦଳରେ ଆଶାୟୀଙ୍କୁ ନିଦ ହେଉନି । ମୁଣ୍ଡ ପୂରାକୁ ପୂରା ଗୋଲ୍‌୍‌ ଧରିଲାଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.