କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ପୋଲିସ ଅଧିକାରୀ ନିଲମ୍ବିତ । ରାଜ୍ୟ ସରକାର ବୁଧବାର ୨ ଜଣ ଏସିପିଙ୍କ ସମେତ ୩ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ ୧୫ରେ ଆରଜି ମେଡିକାଲ କଲେଜ୍ରେ ହଜାର ହଜାର ଲୋକ ପଶି ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ସେମାନଙ୍କୁ ସସପେଣ୍ଡ କରାଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରଜି କର ମେଡିକାଲ କଲେଜର ସୁରକ୍ଷା ଦାୟିତ୍ବ ସିଆଇଏସ୍ଏଫ ନିଜ ହାତକୁ ନେଇଛି । ବୁଧବାର ସିଆଇଏସଏଫ ଅଧିକାରୀ ହସ୍ପିଟାଲରେ ପହଞ୍ଚିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ହସ୍ପିଟାଲରେ ଭଙ୍ଗାରୁଜା ହେବା ପରେ ସୁପ୍ରିମକୋର୍ଟ ସିଆଇଏସଏଫ୍କୁ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ହସ୍ପିଟାଲରେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି । କାର୍ଯ୍ୟକାଳ ସମୟରେ ସନ୍ଦୀପ ଘୋଷ ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ କରିବା ସହ ଇଡି ତଦନ୍ତ ନେଇ ସେ ଦାବି କରିଛନ୍ତି ।
ଅନ୍ୟପଟେ ସୁରକ୍ଷାକୁ ନେଇ ନୂଆ ଆଇନ ଦାବିରେ ଡାକ୍ତର ଆନ୍ଦୋଳନ ଦଶମ ଦିନରେ ପ୍ରବେଶ କରିଛି । କୋଲକାତା, ଦିଲ୍ଲୀ ଏବଂ ଅନ୍ୟ ସହରରେ ଡାକ୍ତରମାନେ ଆଜି ଆନ୍ଦୋଳନ କରିଛନ୍ତି । ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ସୁରକ୍ଷା ଲାଗି କମିଟି ଗଠନ କରିଛି । ଏହା ବ୍ୟତୀତ କୋଲକାତାରେ ବୁଧବାର ବିଜେପି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ସେହିଭଳି ମମତା ବାନାର୍ଜୀଙ୍କ ବିରୋଧରେ ପ୍ରଥମ ଥର ଆମ ଆଦମୀ ପାର୍ଟି (ଆପ୍) ବିରୋଧ ପ୍ରଦର୍ଶନ କରିଛନ୍ତି ।