ମାଲକାନଗିରି,୪/୮: ମାଲକାନଗିରି ଘଡ଼େଇ ଆବାସିକ ଉଚ୍ଚ ବିଦ୍ୟାଳୟରେ ଛାତ୍ର ନିର୍ଯ୍ୟାତନା ଦେଉଥିବା ଘଟଣା ସାମନାକୁ ଆସିଛି । ଶିକ୍ଷକ ଓ ସେଠାକାର ଜଣେ ବିଦ୍ୟୁତ୍ କର୍ମଚାରୀ ନିସ୍ତୁକ ମାଡ଼ ମାରିବା ପରେ ପ୍ରୀୟାଂଶୁ ସୁନା ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲ ଛାଡ଼ି ରାତିରେ ପଳାୟନ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ସହାୟତାରେ ପରିବାର ଲୋକେ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ।
ଛାତ୍ର ଜଣକୁ ସତିଗୁଡ଼ା ଜଳ ଭଣ୍ଡାର ନିକଟରୁ ଉଦ୍ଧାର କରି ପରିବାର ଲୋକେ ଘରକୁ ଫେରାଇ ଆଣିଛନ୍ତି । ଏଭଳି ଘଟଣା ପାଇଁ ଘଡ଼େଇ ଆବାସିକ ବିଦ୍ୟାଳୟକୁ ପରିବାର ଲୋକେ ଦାୟୀ କରିବା ସହ ଉଚ୍ଚ ବିଦ୍ୟାଳୟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୋଲିସକୁ ଦାବି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଘଡ଼େଇ ଆବାସିକ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।