ଭଦ୍ରକ, ୧୧/୦୯ (ପ୍ରଭାତ ଦାଶ) : ମଣିଷ ଜିଇଁବାର ପ୍ରାଣକେନ୍ଦ୍ର ହେଉଛି ଗାଁ। ଯାହା କରୋନା ବେଳେ ପ୍ରମାଣିତ ହୋଇସାରିଛି। ସମସ୍ତେ ଗାଁରୁ ସହରକୁ ଚାଲି ଯାଉଛନ୍ତି। ଗାଁରୁ ଯାଇ ଦେଶ ବିଦେଶରେ ଯିଏ ଯେତେ ବଡ଼ ହେଉନା କାହିଁକି ବୟସର ସାୟାହ୍ନରେ ଜନ୍ମମାଟିକୁ ଫେରିବା ଉଚିତ। ଗାଁରେ ନିଜ ପ୍ରତିଭାର ପ୍ରଗତି ଭଣ୍ଡାରକୁ ଦେଖାଇବା ଦରକାର । ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ଭଦ୍ରକର ଶିଳ୍ପୀଗୁରୁ ପ୍ରହଲ୍ଲାଦ ପାଣି । ସେଥିପାଇଁ ନିପଟ ମଫସଲରେ ୩୦ ଫୁଟ୍ ଘର ଭିତରେ ଶତାଧିକ କାଠ ଖୋଦେଇ କାରୁକାର୍ଯ୍ୟର ଏକ ଭିଲେଜ୍ ଆର୍ଟ ମ୍ୟୁଜିୟମ ପ୍ରତିଷ୍ଠା କରିଛନ୍ତି । ଏହି ମ୍ୟୁଜିୟମରେ ଶିଳ୍ପୀ ଗୁରୁଙ୍କ ଦ୍ୱାରା ନିର୍ମିତ ହୋଇଥିବା ନିଶା ନିବାରଣ, କରୋନା ଦୂର, ଗାଁ ପରିବେଶ, ପଞ୍ଚାୟତ ନିଶାପ (ମୀମାଂଶା ବୈଠକ) ଭଳି ସାମାଜିକ କଥାର ଅବିକଳ କାରିଗରୀ ସମସ୍ତଙ୍କୁ ବିସ୍ମିତ କରୁଛି । ମା’ଦୁର୍ଗାଙ୍କ ଦଶାବତାର ହେଉ କି ଭାରତମାତାଙ୍କ ପ୍ରତୀକ, ବନ୍ଦେ ମାତରମ୍ ଚିତ୍ର, ପୁଣି ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନ ଭଳି ଚିତ୍ରକୁ ଅତି ନିଖୁଣ ଭାବେ ଶିଳ୍ପୀ ପ୍ରହ୍ଲାଦ ଚିତ୍ରଣ କରିଛନ୍ତି । ଦେଶାତ୍ମବୋଧକ ଚିତ୍ରରେ ସବୁଠୁ ଅଧିକ ଆତ୍ମସନ୍ତୋଷ ଲାଭ କରୁଥିଲେ ବି ପ୍ରହ୍ଲାଦଙ୍କ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ପ୍ରେମର ପ୍ରତୀକ, ନର୍ତ୍ତକୀର ନୃତ୍ୟ, ଯମୁନା କୂଳର ଚିତ୍ରଠାରୁ କୋଣାର୍କର ଚକ୍ର ଭଳି ସବୁ ଚିତ୍ର କଥା କହୁଛି । କାଠ ଓ ବାଉଁଶରେ ନିର୍ମିତ ଏଭଳି ଅନେକ ଚିତ୍ର ତାଙ୍କ କଳା ମନ୍ଦିରରେ ପୂଜା ପାଉଛି ।
ଗୁରୁ ପ୍ରହ୍ଲାଦଙ୍କୁ ଏବେ ୮୨ ବର୍ଷ । ଘର ଭଦ୍ରକ ବ୍ଲକ ଅଧୀନ କଲେଇ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମରେ । ଯେଉଁଠି ସେ ଭିଲେଜ୍ ଆର୍ଟ ମ୍ୟୁଜିୟମ ନିର୍ମାଣ କରିଛନ୍ତି । ନିଜ ବଡ଼ ବାପାଙ୍କ ନାମ ନାରାୟଣ ଚନ୍ଦ୍ର ପାଣିଙ୍କ ଉଦ୍ଦେଶ୍ୟରେ ଏହାକୁ ସେ ‘ନାରାୟଣ ଚନ୍ଦ୍ର କଳା ମନ୍ଦିର’ ନାମ କରଣ କରିଛନ୍ତି । ତାଙ୍କ ନିହାଣରେ ନିର୍ଜୀବ ବସ୍ତୁ ଜୀବନ୍ୟାସ ପାଇ ଏବେ ମନ୍ଦିରରେ ପୂଜା ପାଉଛନ୍ତି । ନିଜ ଜୀବନ ତମାମ କଳାକୃତିର କାରିଗରୀ କୌଶଳ ଦ୍ୱାରା ନିର୍ମାଣ କରିଥିବା ଅନେକ କୀର୍ତ୍ତୀରାଜିକୁ ନେଇ ସେ ଭିଲେଜ ଆର୍ଟ ମ୍ୟୁଜିୟମରେ ସଜାଇଛନ୍ତି । ଶୈଶବରୁ ବାପା ଜୟରାମ ପାଣିଙ୍କୁ ହରାଇ ବଡ଼ ବାପା ନାରାୟଣ ଚନ୍ଦ୍ର ପାଣିଙ୍କ ପାଖରୁ କାଠ କାରିଗରୀର କଳା କୌଶଳ ଶିଖିଥିଲେ । ପରେ ସେ ଭଦ୍ରକରୁ କୋଲକାତା, ଚେନ୍ନାଇ ଭଳି ସହରରେ ରହି ବଡ ବଡ଼ ମଲ୍, ସାହେବଙ୍କ ଘରର ଇଣ୍ଟେରିୟର୍ ଡିଜାଇନ୍ ଓ ମ୍ୟୁଜିୟମ ଆଦିକୁ ସରସ ସୁନ୍ଦର କରି ସୁନାମ ଆଣିଛନ୍ତି । ଅନେକ କାରୁକାର୍ଯ୍ୟ ଗଢ଼ି ସେ ଓଡ଼ିଶାର କଳା କାରିଗରୀ ବିଦ୍ୟାକୁ ଦେଖାଇ ରାଜ୍ୟ ପାଇଁ ସୁନାମ ସାଉଁଟିଛନ୍ତି । ତାଙ୍କ ୪ ପୁଅ ଓ ବୋହୂ ମଧ୍ୟ ସେହି କଳାକୁ ବୃତ୍ତି କରି ଆଗକୁ ବଢ଼ିଛନ୍ତି । ପୁଅ ବୀରେନ୍ଦ୍ର ପାଣିଙ୍କୁ ଶାନ୍ତିନିକେତନ ଓ ବରୋଦା ଭଳି ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟରେ କଳା କାରୁକାର୍ଯ୍ୟରେ ସ୍ନାତ୍ତକତ୍ତୋର ପଢ଼ାଇଛନ୍ତି । ବୋହୂ ଡ. ରାଜଶ୍ରୀ ବିଶ୍ୱାଳଙ୍କ ସହ ପୁଅ ଏବେ ଭାରତ ସମେତ ବିଦେଶରେ ଓଡ଼ିଶା କଳା କାରିଗରୀର ଚିତ୍ର ଦେଖାଇ ଅନେକ ସଫଳତା ପାଉଛନ୍ତି ।
ଅନ୍ୟତମ ପୁତ୍ର ରାଜୀବ ଲୋଚନ ପାଣି ଗୁଜରାଟରେ କଳା କାରୁକାର୍ଯ୍ୟରେ କାମ କରୁଥିବାବେଳେ ରାଜେନ୍ଦ୍ର ନାରାୟଣ ବଡ଼ କମ୍ପାନୀରେ ଜଣେ ଆର୍ଟିଷ୍ଟ ଭାବେ ନିଯୁକ୍ତି ପାଇଛନ୍ତି । ପିଲାବେଳୁ ଗୁରୁ ପ୍ରହ୍ଲାଦ ନିଜ ଭିଟାମାଟିରେ ମ୍ୟୁଜିୟମ କରିବାକୁ ପଣ କରିଥିଲେ । ଯେବେ ଯେବେ ସମୟ ପାଆନ୍ତି, ସେହି ମ୍ୟୁଜିୟମ ପାଇଁ କ୍ଷୁଦ୍ର ଆଇଟମ ଗଢ଼ିପକାନ୍ତି । ତାକୁ ନେଇ ଏବେ ସେ ନାରାୟଣ କଳା ମନ୍ଦିରକୁ ସଜାଇଛନ୍ତି । ଏବେ ୧୦ ବର୍ଷ ହେବ ଗାଁରେ ରହୁଛନ୍ତି । ସେହି ମ୍ୟୁଜିୟମ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ମ୍ୟୁଜିୟମ୍ର ସୁରକ୍ଷା ଓ ସଫା ସୁତୁରା ପତ୍ନୀ ମାଳତୀ ଲତା ପାଣି କରୁଥିବା ବେଳେ କଳାମନ୍ଦିର ପୂଜା ପାଠ ନିଜେ ପ୍ରହ୍ଲାଦ କରୁଛନ୍ତି । ଗୁରୁ ପ୍ରହ୍ଲାଦ କେବଳ କାରିଗରୀ ବିଦ୍ୟା ନୁହଁ, ସେ ଜଣେ ସାରସ୍ୱତ ସାଧକ ଭାବେ ମଧ୍ୟ ପରିଚିତ । ଭଲ କବିତା ଲେଖନ୍ତି । କାରୁକାର୍ଯ୍ୟ ବେଳେ ସେହି କବିତା ବି ବୋଲନ୍ତି । ତାଙ୍କର ପ୍ରଥମ କବିତା ବହି "୭ରୁ ୭୦' ପ୍ରକାଶିତ ହୋଇଥିଲା । ଯାହା ପାଠକୀୟ ଆଦୃତି ଲାଭ କରିଥିଲା । ପରେ ଉପନ୍ୟାସ "ପ୍ରେମର ଅନ୍ୟନାମ ନିର୍ବାଣ' ଓ ଗଳ୍ପ ସଙ୍କଳନ "ମଝି ପାହାଚରେ ଦେଖା' ଭଳି ୪ଟି ପୁସ୍ତକ ପ୍ରକାଶ ପାଇଛି ।
କଳାକୃତି, ସାହିତ୍ୟକୁ ନେଇ ସାରା ଜୀବନ ସମର୍ପିତ ଥିବା ଗୁରୁ ପ୍ରହ୍ଲାଦଙ୍କୁ କିଛି ଘରୋଇ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଛନ୍ତି । ହେଲେ ସରକାରୀ ସ୍ତରରେ ତାଙ୍କୁ କେହି କେବେ ଖୋଜିନାହାନ୍ତି । ପ୍ରତିବର୍ଷ ଗାଁର ସ୍କୁଲ ପିଲାଙ୍କୁ ନେଇ ଚିତ୍ର ପ୍ରତିଯୋଗିତା କରି ପୁରସ୍କାର ଦେଇ ଆସୁଛନ୍ତି । ପୂର୍ବରୁ ସଂସ୍କୃତି ବିଭାଗ ଅନେକ ଥର ତାଙ୍କ କଳାମନ୍ଦିରକୁ ଆସି ବୁଲି ଫେରିଛି । ବରଦାପ୍ରସନ୍ନ ତ୍ରିପାଠୀ, ମାନସ ଜେନାଙ୍କ ଭଳି ପ୍ରତିଷ୍ଠିତ କଳାକାର ଏହି ମ୍ୟୁଜିୟମକୁ ଆସିଛନ୍ତି । ନିକଟରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯାଇ କଳା ମନ୍ଦିର ବୁଲି ଦେଖିଛନ୍ତି ।