ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୩ରେ ୟୁକ୍ରେନ୍ ଯାତ୍ରା କରିବେ । ୟୁକ୍ରେନ୍ର ରାଜଧାନୀ କିଭ୍ରେ ମୋଦୀ ପ୍ରାୟ ୭ ଘଣ୍ଟା ରହିବେ । କିନ୍ତୁ କିଭ୍ରେ ପହଞ୍ଚିବା ଏବଂ ସେଠାରୁ ଫେରିବା ଲାଗି ମୋଦୀ ପ୍ରାୟ ୨୦ ଘଣ୍ଟାର ଟ୍ରେନ୍ ଯାତ୍ରା କରିବେ । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍କୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଭାରତୀୟ ନେତା ଭାବରେ ମୋଦୀ ୟୁକ୍ରେନ୍ ଗସ୍ତ କରିବାକୁ ଯାଉଛନ୍ତି । ପ୍ରଥମେ ପୋଲାଣ୍ଡ ଏବଂ ସେଠାରୁ କିଭ୍ ଅଭିମୁଖେ ଯାତ୍ରା କରିବେ ନରେନ୍ଦ୍ର ମୋଦୀ ।
ଏହି ସମୟରେ ମୋଦୀ ୟୁକ୍ରେନ୍ର ‘ଫୋର୍ସ ଓ୍ବାନ୍’ ଟ୍ରେନ୍ରେ କିଭ୍ ଯାତ୍ରା କରିବେ । ମୋଦୀଙ୍କ ଲାଗି ଏହା କେବଳ ଏକ ଟ୍ରେନ୍ ଯାତ୍ରା ନୁହେଁ ବରଂ ସେ ତମାମ ବିଶ୍ବ ନେତାଙ୍କ ସୂଚୀରେ ସାମିଲ ହୋଇଯିବେ ଯେଉଁମାନେ ଏହି ଟ୍ରେନ୍ ମାଧ୍ୟମରେ ଓ୍ବାର ଜୋନ୍ କିଭ୍ରେ ପହଞ୍ଚିଥିଲେ । ଏହି ଟ୍ରେନ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କୁ କିଭ୍ରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲା । ଏହା ଏକ ସାଧାରଣ ଟ୍ରେନ୍ ଯାତ୍ରା ନୁହେଁ ବରଂ ଯୁଦ୍ଧ କ୍ଷେତ୍ରରେ ଦୀର୍ଘ ଘଣ୍ଟାର ଆରମାଦାୟକ ଟ୍ରେନ୍ ଜର୍ଣ୍ଣି ।
ଟ୍ରେନ୍ରେ ଆବଶ୍ୟକୀୟ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି । ରେଲ୍ ଫୋର୍ସ ଓ୍ବାନ୍ କେବଳ ଏକ ଆକର୍ଷଣୀୟ ନାଁ ନୁହେଁ ବରଂ ଏହା ‘ଆଇରନ୍ ଡିପ୍ଲୋମେସି’କୁ ଦର୍ଶାଏ । ଋଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍ରେ ବିମାନ ସେବା ବନ୍ଦ ରହିଛି । ବିମାନବନ୍ଦର ଏବଂ ସଡ଼କ ସବୁ ଧ୍ବଂସ ହୋଇଯିବା ପରେ ଏବେ ୟୁକ୍ରେନ୍ରେ ଏକମାତ୍ର ସୁରକ୍ଷିତ ଏବଂ ବିଶ୍ବସନୀୟ ଗମନାଗମନର ମାଧ୍ୟମ ପାଲଟିଛି ଟ୍ରେନ୍ । କିନ୍ତୁ ରେଲ ଫୋର୍ସ ଓ୍ବାନ ବିଶେଷ ଭାବେ ଡିଜାଇନ୍ କରାଯାଇଛି । ଏହି ଟ୍ରେନ୍ରେ ବାଇଡେନ ଏବଂ ମାକ୍ରନ ଯାତ୍ରା କରିସାରିଛନ୍ତି । ଟ୍ରେନର ଇଣ୍ଟେରିୟର ଏହାର ଗେଷ୍ଟ ଲିଷ୍ଟ ଭଳି ପ୍ରଭାବଶାଳୀ । କାଠରେ ତିଆରି ପ୍ୟାନେଲ କ୍ୟାବିନରେ ସମସ୍ତ ଆବଶ୍ୟକୀୟ ଜିନିଷରେ ସୁସଜ୍ଜିତ ହୋଇ ରହିଛି । ବୈଠକ ଲାଗି ଏବ ବଡ଼ ଟେବୁଲ, ଆରମା କରିବା ପାଇଁ ବଡ଼ ସୋଫା, ଗୋଟିଏ ଟିଭି, ଏପରିକି ଶୋଇବା ପାଇଁ ଭଲ ବ୍ୟବସ୍ଥା ରହିଛି । ମୋଦୀ ଏହି ଟ୍ରେନ୍ରେ କିଭ୍ ଯାତ୍ରା କରିବେ ଏବଂ ସେଠାରୁ ସେହି ଟ୍ରେନ୍ରେ ପୁଣି ଥରେ ପୋଲାଣ୍ଡ ଫେରିବେ ।
ଏହି ଲଗଜରୀ ଟ୍ରେନ୍ ୨୦୧୪ରେ କ୍ରିମିୟା ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଡିଜାଇନ୍ କରାଯାଇଥିଲା । ଓଲେକଜାଣ୍ଡର କାମିସିନଙ୍କ ନେତୃତ୍ବରେ କମ୍ ସମୟରେ ଆରମଦାୟକ ଯାତ୍ରା ଲାଗି ଟ୍ରେନ୍ ସେବା ଆରମ୍ଭ ହୋଇଥିଲା। ହେଲେ ଋଷିଆ ଯୁଦ୍ଧ ଆରମ୍ଭ କରିବା ପାଖରୁ ଏହି ଟ୍ରେନ୍ ୟୁକ୍ରେନ୍ର ଲୋକମାନଙ୍କ ପାଇଁ ଲାଇଫଲାଇନ୍ ସାବ୍ୟସ୍ତ ହୋଇଛି । ଲକ୍ଷାଧିକ ଲୋକ ଟ୍ରେନ୍ ମାଧ୍ୟମରେ ସୁରକ୍ଷିତ ଭାବେ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାକୁ ସକ୍ଷମ ହୋଇଛନ୍ତି । ତେବେ ୩୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତ କରିବେ । ଏହା ପୂର୍ବରୁ ଜୁନରେ ମୋଦୀ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସକିଙ୍କ ମଧ୍ୟରେ ଇଟାଲୀରେ ଆୟୋଜିତ ହୋଇଥିବା ଜି-୭ ସମ୍ମିଳନୀରେ ସାକ୍ଷାତ ହୋଇଥିଲା । ତାପୂର୍ବରୁ ୨୦୨୩ରେ ଜାପାନରେ ଆୟୋଜିତ ଜି-୭ ସମିଟରେ ଦୁଇ ନେତାଙ୍କ ଭେଟଘାଟ ହୋଇଥିଲା । ସେପଟେ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଭ ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ରହିଛି ।