ନୂଆଦିଲ୍ଲୀ, ୪/୧୧ : ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟର ରଚିନ ରବିନ୍ଦ୍ର ଖୁବ ସୁନ୍ଦର ଶତକ ଯୋଡ଼ିଛନ୍ତି । ରଚିନ ରବିନ୍ଦ୍ର ୯୪ବଲରେ ୧୦୮ରନ୍ କରିଛନ୍ତି । ସେ ନିଜ ପାଳିରେ ୧୫ଚୌକା ଏବଂ ଗୋଟିଏ ଛକା ଲଗାଇଛନ୍ତି । ଏହି ବିଶ୍ବକପରେ ରଚିନ ରବିନ୍ଦ୍ର ତୃତୀୟ ଥର ଶତକୀୟ ପାଳି ଖେଳିଛନ୍ତି । ୨୩ବର୍ଷୀୟ ରଚିନ ତୃତୀୟ ଥର ବିଶ୍ବକପ ମ୍ୟାଚରେ ଶତକ ମାରି ଖାସ୍ ରେକର୍ଡ଼ ନିଜ ନାଁରେ କରିଛନ୍ତି ।
ରଚିନ ରବିନ୍ଦ୍ର ୨୩ବର୍ଷୀୟ ବୟସରେ ୩ବିଶ୍ବକପ ଶତକ ଯୋଡ଼ିବାରେ ପ୍ରଥମ ବ୍ୟାଟର । ଏହାପୂର୍ବରୁ ପୂର୍ବତନ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ୨୩ବର୍ଷ ବୟସରେ ୨ବିଶ୍ବକପ ଶତକ ଯୋଡ଼ିଥିଲେ । କିନ୍ତୁ ଏବେ ରଚିନ ରବିନ୍ଦ୍ର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ଏହା ବ୍ୟତୀତ ରଚିନ ରବିନ୍ଦ୍ର ଅନ୍ୟ ଏକ ବଡ଼ ରେକର୍ଡ଼ ନିଜ ନାଁରେ କରିଛନ୍ତି । ପ୍ରକାଶ ଯେ, ରଚିନ ରବିନ୍ଦ୍ର ନ୍ୟୁଜିଲାଣ୍ଡ ଲାଗି ବିଶ୍ବକପରେ ସବୁଠାରୁ ଅଧିକ ଶତକ କରିଥିବା ବ୍ୟାଟର ହୋଇଯାଇଛନ୍ତି। ଏହାପୂର୍ବରୁ କୌଣସି କ୍ବିଓ୍ବି ବ୍ୟାଟର ବିଶ୍ବକପରେ ୩ଥର ଶତକ ପାର୍ କରିପାରିନଥିଲେ ।
ଏହି ବିଶ୍ବକପରେ ରଚିନ ରବିନ୍ଦ୍ରଙ୍କ ପଲ୍ଲା ଭାରି ରହିଛି । ରଚିନ ସବୁଠାରୁ ଅଧିକ ରନ୍ କରିବାରେ ଦ୍ବିତୀୟ ନମ୍ବରରେ ରହିଛି । ଏବେ ପର୍ଯ୍ୟନ୍ତ ରଚିନ ରବିନ୍ଦ୍ର ୮ଟି ମ୍ୟାଚରେ ୭୪.୭୧ଆଭରେଜରେ ୫୨୩ରନ କରିଛନ୍ତି । ଏହା ବ୍ୟତୀତ ୩ମ୍ୟାଚରେ ଶତକ ମାରିଛନ୍ତି । ରଚିନ ଇଂଲଣ୍ଡ ବିପକ୍ଷରେ ୯୬ବଲରେ ୧୨୩ରନ କରିଥିଲେ । ଅଷ୍ଟେ୍ରଲିଆ ବିପକ୍ଷରେ ରଚିନ ୮୯ବଲରେ ୧୧୬ରନ କରିଛନ୍ତି । ଏବେ ପାକିସ୍ତାନ ବିପକ୍ଷରେ ୯୪ବଲରେ ୧୦୮ରନ୍ କରିଛନ୍ତି ।