ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍‌...୧୨ ଚକ ପ୍ରସ୍ତୁତ, ଆରମ୍ଭ ହେଲା ତିନି ରଥର ଅଖ ନିର୍ମାଣ

ପୁରୀ,୨୭/୦୫: ରବିବାର ତିନି ରଥର ଅଖ କାମ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଅଖର ୨ ପାର୍ଶ୍ୱକୁ ଚଉପଟ ପରେ ବାରିସି ଚଳାଇ ଗୋଲେଇ କରାଯାଉଛି । ପ୍ରତି ରଥର ନାହାକା ଅଖ କାମ ଚାଲିଛି । ଧଉରା କାଠରେ ତିଆରି ହେଉଛି ଅଖ । ତେବେ ଅପରାହ୍ନରେ ଝିପି ଝିପି ବର୍ଷା ହୋଇଥିଲା । ତଥାପି ରଥ ତିଆରି ଜାରି ରଖିଥିଲେ ନିର୍ମାଣକାରୀ । ୨୯ ତାରିଖ ଭଉଁରୀ ଉତ୍ସବରେ ଚକ ଓ ଅଖ ସଂଯୋଗ ହେବ ।  

ଏପଟେ ରଥ ଖଳାରେ ଚାଲିଛି ଚକ  ଫିଟିଂ । ରଥର ନାହାକା ଚକରେ ପଇତା  ପିନ୍ଧାଯାଇଛି । ଚକର ସୌନ୍ଦର୍ଯ୍ୟ ବୃଦ୍ଧି  କରେ ପଇତା । ପହିର ମଝି ଅଂଶରେ  ଅଢେଇ ଇଞ୍ଚର ଏକ ବିଟ ଭଳି ଚକ୍ରାକାର  ବଳୟ ହେଉଛି ‘ପଇତା’ । ପୁରୁଷ  ଛାତିରେ ପଇତା ସଦୃଶ । ବାରିସିରେ  ହାଣି ନିପୁଣ ବିଶ୍ୱକର୍ମାମାନେ ଏହାକୁ  ତିଆରିଛନ୍ତି । ଭଉଁରୀ ଉତ୍ସବ ପାଇଁ ୬ ଚକ  ପ୍ରସ୍ତୁତ ସରିଥିବା ବେଳେ ସୋମବାର ସୁଦ୍ଧା  ନାହାକା ଅଖ କାର୍ଯ୍ୟ ଶେଷ ପର୍ଯ୍ୟାୟରେ  ପହଞ୍ଚିବ ବୋଲି ନିର୍ମାଣକାରୀ କହୁଛନ୍ତି ।  

ରଥ ଖଳାରେ ଏବେ ଚକ କାମ  ଉପରେ ଜୋର ଦିଆଯାଉଛି । ତିନି ରଥର  ୨ଟି ଲେଖାଏଁ ନାହାକା ଚକ ଓ ପଡ଼ି ନାହାକା  ଚକ ପ୍ରାୟତଃ ସମ୍ପୂର୍ଣ୍ଣ । ସାନଉଛୁଳା ଚକ  କାମ ଚାଲିଛି । ଭୂଇଁର ଚଉତା କାଠ  ତଥା ଅରମୁଣ୍ଡି କାଟୁଛନ୍ତି ବିଶ୍ୱକର୍ମା ।  ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ  ଚାଲିଛି । ବିଶ୍ୱକର୍ମାମାନେ ଧଉରା କାଠ  ଚଉପଟ କରି ଯୋଗାଉଛନ୍ତି । ରୂପକାର  ସେଥିରେ ସିଂହବିରାଳ ଓ ଗଜବିରାଳ ମୂର୍ତ୍ତି  ତିଆରିରେ ବ୍ୟସ୍ତ । ଆଜି ସୁଦ୍ଧା ରଥ ତ୍ରୟର  ପ୍ରାୟ ୧୨ଟି ଚକ ସରିଥିବା ସୂଚନା ରହିଛି । 

ଚକ ପାଇଁ ଆବଶ୍ୟକ ଅର କଣ୍ଟା,  ପନ୍ଦାରି ଓ ବଳା । ଏସବୁକୁ ଶାଳରେ  ତିଆରି ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି  କମାର ସେବକ । ସିଙ୍ଗଡ଼ା ବାଡ଼ିଆ  ପଦ୍ଧତିରେ ତୁମ୍ବ ସହ ଅର ଯୋଡ଼ି  ରଥଖଳାକୁ ବୋହି ନେଉଛନ୍ତି ଭୋଇ  ସେବକ । ରଥଖଳାରେ ବିଲେଇ ବାଡ଼ିଆ  ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି । ଆଜି  ସୁଦ୍ଧା ୧୮ଟିର ସିଙ୍ଗଡ଼ା ପ୍ରସ୍ତୁତ ହୋଇଥିବା  କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । 

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.